ଅଲିମ୍ପିକ୍ସ ଲାଗି ସିନ୍ଧୁ ପ୍ରସ୍ତୁତ

ଟୋକିଓ ଅଲିମ୍ପିକ୍ସ: ୪୯ ଦିନିଆ ଅବଗଣନା

ନୂଆଦିଲ୍ଲୀ : ଏକ ମାତ୍ର ଭାରତୀୟ ମହିଳା ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ଭାବେ ପିଭି ସିନ୍ଧୁ ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଗତ ଥର ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିବା ସିନ୍ଧୁ ଆଗାମୀ ଅଲିମ୍ପକ୍ସରେ ସ୍ବର୍ଣ୍ଣ ପଦକ ଲକ୍ଷ୍ୟ ରଖିଛନ୍ତି। ତାଙ୍କର ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଗତଥରର ସ୍ବର୍ଣ୍ଣ ବିଜୟିନୀ ସ୍ପେନ୍‌ର କାରୋଲିନା ମାରିନ ଆହତ ଯୋଗୁଁ ଟୋକିଓ ଅଲିମ୍ପିକ୍ସରୁ ଓହରି ଯାଇଛନ୍ତି। ଫଳରେ ସିନ୍ଧୁ ପ୍ରମୁଖ ଦାବିଦାର ଭାବେ ଏହି ବହୁଦେଶୀୟ ପ୍ରତିଯୋଗିତାରେ ଓହ୍ଲାଇବେ। ଏଥିପାଇଁ ସେ ମଧ୍ୟ ପୂରା ପ୍ରସ୍ତୁତ ଅଛନ୍ତି। ମ୍ୟାଚ୍‌ ବିଜୟ ପାଇଁ ନୂଆ କୌଶଳ ମଧ୍ୟ ଶିଖିଯାଇଛନ୍ତି। ସିନ୍ଧୁଙ୍କ ସହ ଏହି ପ୍ରତିଯୋଗିତାରେ ବିଶ୍ବ ଚାମ୍ପିଅନ୍‌ସିପ୍‌ କାଂସ୍ୟ ବିଜେତା ବି ସାଇ ପ୍ରଣୀତ ପୁରୁଷ ଏକକରେ ଏବଂ ପୁରୁଷ ଯୁ‌ଗଳରେ ଯୁବ ‌ଯୋଡ଼ି ସ୍ବାତିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରଗ ସେଠୀ ଭାରତରୁ ପ୍ରତିନିଧିତ୍ବ କରିବେ।

‘‘୨୦୧୬ରେ ମୁଁ ପ୍ରଥମ ଥର ଅଲିମ୍ପିକ୍ସରେ ଭାଗନେଇଥିଲି। ସେତେବେଳେ ଅଲଗା ପରିବେଶ ଥିଲା। ଏହା ‌କିପରି ଚାଲିବ ମୁଁ ବୁଝିପାରୁନଥିଲି। ‌ଏବେ ଦ୍ବିତୀୟ ଥର ଲାଗି ଖେଳିବାକୁ ଯାଉଥିବାରୁ ବହୁତ କିଛି ଶିଖି ଯାଇଛି। ଅଧିକ ବି ଅଶା ରଖିଛି। ତେବେ ଏକ ମାତ୍ର ଭାରତୀୟ ମହିଳା ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ଭାବେ ଅଂଶଗ୍ରହଣ କରୁଥିବା ନେଇ ମୋ ଉପରେ କୌଣସି ଚାପ ନାହିଁ। ମୁଁ ସେଠାରେ ନିଜର ୧୦୦ ପ୍ରତିଶତ ଦେବାକୁ ଚେଷ୍ଟା କରିବି। ଅଧିକ ଆଶା ରଖିଛି। କିନ୍ତୁ କେବଳ ମୋର ଶ୍ରେଷ୍ଠ ଦେବା ଏବଂ ଲକ୍ଷ୍ୟ ରଖିବା ହିଁ ‌ମୋ ହାତରେ ରହିଛି।’’ ବୋଲି ଗୁରୁବାର ଭାରତୀୟ କ୍ରୀଡ଼ା ପ୍ରାଧିକରଣ ପକ୍ଷରୁ ଆୟୋଜିତ ଏକ ଭର୍ଚୁଆଲ୍‌ କାର୍ଯ୍ୟକ୍ରମରେ ସିନ୍ଧୁ ପ୍ରକାଶ କରିଛନ୍ତି। ଅଲିମ୍ପିକ୍ସ ଗୋଟିଏ ବର୍ଷ ଘୁଞ୍ଚିଥିବାରୁ ଅଭ୍ୟାସ ଲାଗି ଅଧିକ ସମୟ ମିଳିଛି। ଫଳରେ ଏହି ସମୟରେ ଅଧିକ ପରିଶ୍ରମ କରିବା ସହ ନୂଆ କୌଶଳ ମଧ୍ୟ ଶିଖି ନେଇଛି ବୋଲି ସେ କହିଛନ୍ତି।

ସାଇନା, ଶ୍ରୀକାନ୍ତ ପାଇଁ ଦୁଃଖିତ
ଅଲିମ୍ପିକ୍ସ କାଂସ୍ୟ ବିଜୟିନୀ ପୂର୍ବତନ ଏକ ନମ୍ବର ଖେଳାଳି ସାଇନା ନେହୱାଲ ଏବଂ କିଦାମ୍ବି ଶ୍ରୀକାନ୍ତଙ୍କ ଯୋଗ୍ୟତା ଅର୍ଜନ କରିବାରେ ମହାମାରୀ କରୋନା ବାଧା ଦେଇଥିଲା। ଏକାଧିକ ପ୍ରତିଯୋଗିତା ବାତିଲ ହେବାରୁ ନିର୍ଦ୍ଧାରିତ ସମୟରେ ଏହି ଦୁଇ ଖେଳାଳି ଅଲିମ୍ପିକ୍ସ ମାନଦଣ୍ଡ ପୂରଣ କରିପାରିନଥିଲେ। ‘‘ସାଇନା ଓ ଶ୍ରୀକାନ୍ତ ଯୋଗ୍ୟତା ଅର୍ଜନ କରିପାରିଲେନି। କରୋନା ଏଭଳି ପରିସ୍ଥିତ ଆଣିଛି, କେତେବେଳେ କ’ଣ ହେଉଛି ବୁଝି ହେଉନି। ପ୍ରତିଯୋଗିତା ବାତିଲ ହେବାରୁ ସେମାନଙ୍କର ଏଭଳି ଅସୁବିଧା ହୋଇଛି। ଆମେ ଭାବିନଥିଲୁ ଯେ ଏକାଠି ଅଲିମ୍ପିକ୍ସରେ ଅଂଶଗ୍ରହଣ କରିପାରିବୁନି। ଏମାନେ ଖେଳିବାର ସୁଯୋଗ ନ ପାଇଥିବାରୁ ଦୁଃଖିତ।’’ ବୋଲି ସିନ୍ଧୁ କହିଛନ୍ତି।

ସମ୍ବନ୍ଧିତ ଖବର