ତ୍ରିରଙ୍ଗା ଧରିବେ ସିନ୍ଧୁ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଗୋଲ୍‌କୋଷ୍ଟ୍‌ରେ ଆୟୋଜିତ ହେବାକୁ ଯାଉଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଉଦ୍‌ଘାଟନୀ ସମାରୋହରେ ଭାରତୀୟ ପ୍ରତିନିଧିଙ୍କ ତରଫରୁ ବ୍ୟାଡ୍‌ମିଣ୍ଟନ ଲଳନା ପିଭି ସିନ୍ଧୁ ତ୍ରିରଙ୍ଗା ବହନ କରିବେ। ସେ ଜାତୀୟ ପତାକା ଧରି ଭାରତୀୟ ପ୍ରତିନିଧିମଣ୍ଡଳୀର ଆଗରେ ଚାଲିବେ। ଗତ ସପ୍ତାହରେ ଅଲ୍‌ ଇଂଲଣ୍ଡ ପ୍ରତିଯୋଗିତାର ସେମିଫାଇନାଲ୍‌ ପ୍ରବେଶ କରିଥିବା ସିନ୍ଧୁଙ୍କୁ ଏହି ଦାୟିତ୍ୱ ପାଇଁ ଶୁକ୍ରବାର ବୈଠକରେ ଭାରତୀୟ ଅଲିମ୍ପିକ୍‌ ସଂଘ (ଆଇଓଏ) ବାଛିଛି। ଫଳରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଗତ ୩ ସଂସ୍କରଣ ମଧ୍ୟରେ ଜଣେ ବ୍ୟାଡ୍‌ମିଣ୍ଟନ ଖେଳାଳି ତ୍ରିରଙ୍ଗା ବହନ କରିବା ପ୍ରଥମ ଘଟଣା ହେବ। ଏହା ପୂର୍ବରୁ ୨୦୧୪ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଲଣ୍ଡନ ଅଲିମ୍ପିକ୍ସ ରୌପ୍ୟ ବିଜେତା ବନ୍ଧୁକଚାଳକ ବିଜୟ କୁମାର ତ୍ରିରଙ୍ଗା ଧରିବାର ଗୌରବ ବହନ କରିଥିଲେ। ସେହିପରି ୨୦୦୬ ମେଲ୍‌ବର୍ନ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏଥେନ୍‌ସ ଅଲିମ୍ପିକ୍ସ ରୌପ୍ୟ ବିଜେତା ବନ୍ଧୁକଚାଳକ ରାଜ୍ୟବର୍ଧନ ସିଂହ ରାଠୋର (ଏବର କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ) ଏବଂ ୨୦୧୦ ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବେଜିଂ ଅଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ଅଭିନବ ବିନ୍ଦ୍ରାଙ୍କୁ ତ୍ରିରଙ୍ଗା ଧରିବାର ଦାୟିତ୍ୱ ମିଳିଥିଲା।

ଟେବୁଲ ଟେନିସ୍‌ ପରିଚାଳନା ଦାୟିତ୍ୱରେ ଜୀବନ

କଟକ: ଆସନ୍ତା ଏପ୍ରିଲ ୪ ତାରିଖରୁ ଆରମ୍ଭ ହେଉଥିବା ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଉ ଜଣେ ଓଡ଼ିଆଙ୍କୁ ଦେଖିବାକୁ ମିଳିବ। କଟକର ଜୀବନ ବଲ୍ଲଭ ସାମଲ ଟେବୁଲ୍‌ ଟେନିସ୍‌ ମ୍ୟାଚ୍‌ ପରିଚାଳନା ଦାୟିତ୍ୱରେ ରହିବେ। ଭାରତରୁ ମ୍ୟାଚ୍‌ ପରିଚାଳନା ପାଇଁ ୨ ଜଣ ଅଧିକାରୀ ଗୋଲ୍ଡକୋଷ୍ଟକୁ ଯାଉଥିବା ବେଳେ ଜୀବନ ସେଥିରୁ ଅନ୍ୟତମ। ଆସନ୍ତା ୩୧ ତାରିଖରେ ସେ ଅଷ୍ଟ୍ରେଲିଆ ଗସ୍ତ କରିବେ। ପୂର୍ବରୁ ମଧ୍ୟ ଜୀବନ ୧୨ରୁ ଅଧିକ ଆନ୍ତର୍ଜାତିକ ମ୍ୟାଚ୍‌ ପରିଚାଳନା କରିସାରିଛନ୍ତି। ୨୦୧୦ ଓ ୨୦୧୫ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ଭାରତରୁ ମ୍ୟାଚ୍‌ ପରିଚାଳନା ଅଧିକାରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ବର୍ତ୍ତମାନ ଜୀବନ ଭାରତୀୟ ଡାକ ବିଭାଗରେ କାର୍ଯ୍ୟରତ ଥିବାବେଳେ କଟକରେ ରହୁଛନ୍ତି। ଜୀବନଙ୍କୁ ମିଳିଥିବା ଏହି ଦାୟିତ୍ୱକୁ ନେଇ ଓଡ଼ିଶା ଟେବୁଲ ଟେନିସ୍‌ ସଂଘ ସମ୍ପାଦକ ରବୀନ୍ଦ୍ର କୁମାର ପରିଡ଼ା ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର