ନୂଆଦିଲ୍ଲୀ: ଭାରତୀୟ ତାରକା ପିଭି ସିନ୍ଧୁଙ୍କ ଅପରାଜେୟ ଧାରା ଫାଇନାଲ୍ରେ ଅଟକିଗଲା। ସେମିଫାଇନାଲ୍ରେ ବିଶ୍ୱ ମାନ୍ୟତାର ତୃତୀୟ ଥାଇଲାଣ୍ଡ୍ ପ୍ରତିଦ୍ୱନ୍ଦ୍ୱୀ ରାଚାନକ୍ ଇନ୍ଥାନନ୍ଙ୍କୁ ୨୧-୧୩ ଓ ୨୧-୧୫ ସିଧାସଳଖ ଗେମ୍ରେ ପରାସ୍ତ କରିଥିବା ସିନ୍ଧୁ ରବିବାର ଫାଇନାଲ୍ରେ ଆମେରିକାର ବିେଓ୍ଵନ୍ ଝାଙ୍ଗ୍ଙ୍କ ବିପକ୍ଷରେ ପ୍ରବଳ ସଂଘର୍ଷ କରିବା ସତ୍ତ୍ୱେ ହାରି ଇଣ୍ଡିଆ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଉପବିଜୟିନୀରେ ସନ୍ତୁଷ୍ଟ ରହିଲେ। ସ୍ଥାନୀୟ ସିରି ଫୋର୍ଟ ଇନ୍ଡୋର ଷ୍ଟାଡିୟମ୍ରେ ରବିବାର ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ ଆରମ୍ଭରୁ ଉତ୍କଣ୍ଠାପୂର୍ଣ୍ଣ ରହିଥିଲା। ପ୍ରଥମ ଗେମ୍କୁ ବିଶ୍ୱ ମାନ୍ୟତାର ଏକାଦଶ ଝାଙ୍ଗ୍ ୨୧-୧୮ରେ ଜିତି ଅଗ୍ରଣୀ ପାଇଥିଲେ। ତେବେ ଏଠାରେ ପୂର୍ବତନ ବିଜୟିନୀ ସିନ୍ଧୁ ଦମ୍ଦାର ପ୍ରତ୍ୟାବର୍ତନ କରି ଦ୍ୱିତୀୟ ଗେମ୍କୁ ୨୧-୧୧ରେ ନିଜ ପକ୍ଷକୁ ନେଇଯାଇଥିଲେ। ଏଥି ସହିତ ସ୍ଥିତି ୧-୧ କରି ମ୍ୟାଚ୍କୁ ତୃତୀୟ ତଥା ନିର୍ଣ୍ଣାୟକ ଗେମ୍କୁ ଟାଣି ନେଇଥିଲେ। ଏହି ନିର୍ଣ୍ଣାୟକ ଗେମ୍ ମଧ୍ୟ ବେଶ୍ ରୋଚକ ହୋଇଥିଲା। ଏକ ସମୟରେ ଉଭୟ ୧୯-୧୯ ଓ ପରେ ୨୦-୨୦ ପଏଣ୍ଟ୍ରେ ରହିଥିଲେ। ହେଲେ ଶେଷରେ ଝାଙ୍ଗ୍ ୨୨-୨୦ରେ ଏହି ଗେମ୍କୁ ଜିତି ସିନ୍ଧୁଙ୍କୁ ପରାଜୟ ପାଇଁ ବାଧ୍ୟ କରିଥିଲେ। ଏହି ମ୍ୟାଚ୍ ୧ ଘଣ୍ଟା ୯ ମିନିଟ୍ ପରେ ଶେଷ ହୋଇଥିଲା। କ୍ୱାର୍ଟର ଫାଇନାଲ୍ରେ ଭାରତୀୟ ଲଳନା ସାଇନା ନେହ୍ଵାଲ ଏବଂ ସେମିଫାଇନାଲ୍ରେ ଷଷ୍ଠ ମାନ୍ୟତା ହଂକଂର ଚିଉଙ୍ଗ୍ ଏନ୍ଗନ୍ ୟି’ଙ୍କୁ ପରାସ୍ତ କରିଥିବା ଝାଙ୍ଗ୍ ଫାଇନାଲ୍ରେ ସିନ୍ଧୁଙ୍କୁ ହରାଇ ବିଜେତା ଟ୍ରଫି କରାୟତ କରି ନେଇଥିଲେ। ଝାଙ୍ଗ୍ ମଧ୍ୟ ନିଜ ଜୀବନର ପ୍ରଥମ ବୃହତ୍ ପ୍ରତିଯୋଗିତା ଜିତିବାର ସଫଳତା ପାଇଲେ। ପୂର୍ବରୁ ଶନିବାର ଭାରତୀୟ ଯୋଡ଼ି ପ୍ରଣବ ଜେରି ଚୋପ୍ରା ଓ ଏନ୍ ସିକି ରେଡ୍ଡୀ ମିଶ୍ରିତ ଯୁବଳ ସେମିଫାଇନାଲ୍ ହାରିଯାଇଥିଲେ। ଏହି ଯୋଡ଼ି ୧୬-୨୧ ଓ ୧୯-୨୧ରେ ପଞ୍ଚମ ମାନ୍ୟତା ଡେନ୍ମାର୍କ ଯୋଡ଼ି ମାଥିଆସ୍ କ୍ରିଷ୍ଟିଆନ୍ସେନ୍ ଓ କ୍ରିଷ୍ଟିନା ପେଡେର୍ସେନ୍ଙ୍କ ନିକଟରୁ ହାରି ବିଦାୟ ନେଇଥିଲେ।
ଫାଇନାଲ୍ରେ ହାରିଲେ ସିନ୍ଧୁ
ଇଣ୍ଡିଆ ଓପନ୍ ବ୍ୟାଡ୍ମିଣ୍ଟନ
/sambad/media/post_attachments/wp-content/uploads/2018/02/12-PV-Sindhu-and-Beiwen-Zhang-pose-for-a-picture-with-their-medals.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)