କଟକଣା ସତ୍ତ୍ବେ ଅଲ୍‌ ଇଂଲଣ୍ଡ ଖେଳିଥିଲେ ସିନ୍ଧୁ

ନୂଆଦିଲ୍ଲୀ: କରୋନା ଭୂତାଣୁ ସତର୍କତା ସୂଚନା ପରେ ବି ପିଭି ସିନ୍ଧୁ ଅଲ୍‌ଇଂଲଣ୍ଡ ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ଖେଳିଥିଲେ। ହେଲେ ସେଠାରୁ ଫେରିବା ପରେ ସିନ୍ଧୁ ଓ ତାଙ୍କ ବାପା ପିଭି ରମନା ଏକାନ୍ତବାସରେ ରହିଛନ୍ତି। କଟକଣା ସତ୍ତ୍ବେ ସିନ୍ଧୁ କ’ଣ ପାଇଁ ଖେଳିଥିଲେ ତା’ ଉପରୁ ପରାଦା ଉଠାଇଛନ୍ତି ତାଙ୍କ ବାପା। ମାର୍ଚ୍ଚ ୧୧ରେ ଭାରତ ସରକାର ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଭିସା କଟକଣା ଲଗାଇବା ସହ ବିଦେଶରୁ ଫେରିଥିବା ସମସ୍ତ ବ୍ୟକ୍ତି ୧୪ ଦିନ ସଂଗରୋଧ ରହିବା ଲାଗି ‌ନିର୍ଦେଶ ଦେଇଥିଲା। ମାର୍ଚ ୧୧ ରାତିରେ ଏହି ନିର୍ଦେଶାନାମା ଜାରି ହେଲା। ଏ‌ହାର ପରଦିନ ସକାଳେ ଜାତୀୟ ଦଳ ପ୍ରଶିକ୍ଷକ ପୁଲେଲା ଗୋପୀଚାନ୍ଦ ମ୍ୟାଚ୍‌ ‌ନ ଖେଳି ଭାରତ ଫେରିବାକୁ କହିବା ସହ କ’ଣ କହୁଛନ୍ତି ବୋଲି ପଚାରିଥିଲେ। କେବଳ ସିନ୍ଧୁ, ଲକ୍ଷ୍ୟ ସେନ୍‌, ଏନ୍‌ ସିକ୍କି ରେଡ୍ଡୀ ଓ ଅଶ୍ବିନୀ ପୋନାପ୍ପା ଦ୍ବିତୀୟ ପର୍ଯ୍ୟାୟରେ ପହଞ୍ଚିଥିଲେ। ଫଳରେ ମ୍ୟାଚ୍‌ ଖେଳିବା ପରେ ଫେରିବା ପାଇଁ ଆମେ ନିଷ୍ପତ୍ତି ନେଇଥିଲୁ ବୋଲି କହିଛନ୍ତି ରମନା। କିନ୍ତୁ ଆମେ ସବୁପ୍ରକାର ସଚେତନତା ଅବଲମ୍ବନ କରିଥିଲୁ। ‌ ସେଠା‌ରେ କେହି ମାସ୍କ ବାନ୍ଧୁନଥିଲା ବେଳେ ଆମେ ବାନ୍ଧିଥିଲୁ। ସିନ୍ଧୁଙ୍କୁ ମଧ୍ୟ ଜିମ୍‌ ଯିବା ପାଇଁ ମନାକରିଥିଲି ବୋଲି ସେ କହିଛନ୍ତି। ଏବେ ଇଂଲଣ୍ଡରୁ ଫେରିବା ପରେ ଏକାନ୍ତବାସରେ ରହିଛୁ। ମୋ ସାନ ଝିଅ ନିକଟରେ ରହୁଥିଲେ ମଧ୍ୟ କେହି କାହାରିକୁ ଦେଖା କରୁନୁ। ଅତିକମ୍‌ରେ ୧୦ ଦିନ ଏକାନ୍ତବାସରେ ରହିବା ଦରକାର। ଏହି ସମୟରେ ନିଜର ଫିଟ୍‌ନେସ୍‌ ପାଇଁ କିଛି ବ୍ୟାୟାମ କରିବା ଲାଗି ସିନ୍ଧୁଙ୍କୁ କହିଛି ବୋଲି ରମନା କହିଛନ୍ତି।

ସମ୍ବନ୍ଧିତ ଖବର