ସିନ୍ଧୁ, ସାଇନା ଜିତିଲେ; ଶ୍ରୀକାନ୍ତ ବିଦା

ଏସୀୟ ବ୍ୟାଡ୍‌ମିଣ୍ଟନ

ଉହାନ୍‌ (ଚୀନ୍‌): ପିଭି ସିନ୍ଧୁ ଓ ସାଇନା ‌ନେହ୍ବାଲ ଏସୀୟ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ହେଲେ କିଦାମ୍ବି ଶ୍ରୀକାନ୍ତ ଆରମ୍ଭରୁ ବିଦାୟ ନେଇଛନ୍ତି। ଅଲିମ୍ପିକ୍‌ ଓ ବିଶ୍ବ ପ୍ରତିଯୋଗିତାର ରୌପ୍ୟ ବିଜୟିନୀ ସିନ୍ଧୁ ମହିଳା ଏକକ ପ୍ରଥମ ରାଉଣ୍ଡ୍‌ରେ ଜାପାନର ଟାକାହାସି ସାୟାକାଙ୍କୁ ସିଧାସଳଖ ‌ଗେମ୍‌ ୨୧-୧୪ ଓ ୨୧-୭ରେ ପରାସ୍ତ କରି ଦ୍ବିତୀୟ ରାଉଣ୍ଡ୍‌ ସ୍ଥାନ ପକ୍କା କରିଛନ୍ତି। ଏହି ମ୍ୟାଚ୍‌ ଜିତିବା ପାଇଁ ସିନ୍ଧୁଙ୍କୁ ମାତ୍ର ୨୮ ମିନିଟ୍‌ ସମୟ ଲାଗିଥିଲା। ଚତୁର୍ଥ ମାନ୍ୟତା ସିନ୍ଧୁ ଦ୍ବିତୀୟ ରାଉଣ୍ଡ୍‌ରେ ଇଣ୍ଡୋନେସିଆର ଚୋଇରୁନିଶାଙ୍କୁ ଭେଟିବେ। ଅନ୍ୟପକ୍ଷରେ ବିଶ୍ବ ମାନ୍ୟତାର ନବମ ସାଇନା ପ୍ରଥମ ରାଉଣ୍ଡ୍‌ ଜିତିବା ପାଇଁ କିଛିଟା ସଂଘର୍ଷ କରିଥିଲେ। ସେ ସପ୍ତମ ମାନ୍ୟତା ଚୀନ୍‌ର ହାନ୍‌ ୟୁଇଙ୍କ ନିକଟରୁ ପ୍ରଥମ ଗେମ୍‌କୁ ୧୨-୨୧ରେ ହାରିଯିବା ପରେ ପରବର୍ତୀ ଦୁଇ ଗେମ୍‌କୁ ଯଥାକ୍ରମେ ୨୧-୧୧ ଓ ୨୧-୧୭ରେ ଜିତି ନେଇଥିଲେ। ଲଣ୍ଡନ ଅଲିମ୍ପିକ୍ସ କାଂସ୍ୟ ବିଜୟିନୀ ସାଇନା ଦ୍ବିତୀୟ ରାଉଣ୍ଡ୍‌ରେ ଦକ୍ଷିଣ କୋରିଆର କିମ୍‌ ଗା ଇଉନ୍‌ଙ୍କୁ ଭେଟିବେ।
ମହିଳା ଏକକରେ ସିନ୍ଧୁ ଓ ସାଇନାଙ୍କ ଭଳି ପୁରୁଷ ଏକକରେ ସମୀର ବର୍ମା ମଧ୍ୟ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ପ୍ରଥମ ରାଉଣ୍ଡ୍‌ରେ ସେ ତୀବ୍ର ସଂଘର୍ଷ କରିବା ପରେ ଜାପାନ ପ୍ରତିଦ୍ବନ୍ଦ୍ବୀ ସାକାଇ କାଜୁମାସାଙ୍କୁ ୨୧-୧୩, ୧୭-୨୧ ଓ ୨୧-୧୮ରେ ପରାସ୍ତ କରି ଦେଇଥିଲେ। ବିଶ୍ବ ମାନ୍ୟତାର ପଞ୍ଚଦଶ ସମୀର ପରବର୍ତୀ ରାଉଣ୍ଡ୍‌ରେ ହଂକଂର ଏନ୍‌ଜି କା ଲଙ୍ଗ୍‌ ଅଙ୍ଗୁସ୍‌ଙ୍କ ସହ ମୁହାଁମୁହିଁ ହେବେ। ତେବେ ପୁରୁଷ ଏକକରେ ଶ୍ରୀକାନ୍ତ ପ୍ରଥମ ରାଉଣ୍ଡ୍‌ରେ ଇଣ୍ଡୋନେସିଆର ସେସାର୍‌ ହିରେନ୍‌ ରୁସ୍ତାଭିଟୋଙ୍କଠୁ ୧୬-୨୧, ୨୦-୨୨ ସିଧାସଳଖ ଗେମ୍‌ରେ ହାରି ବିଦାୟ ନେଇଛନ୍ତି। ସେହିପରି ପୁରୁଷ ଓ ମହିଳା ଯୁଗଳରେ ଭାରତକୁ ଆରମ୍ଭରୁ ଝଟ୍‌କା ଲାଗିଛି। ଏମ୍‌ଆର୍‌ ଅର୍ଜୁନ ଓ ରାମଚନ୍ଦ୍ରନ୍‌ ଶ୍ଲୋକ୍‌ ଯୋଡ଼ି ୧୮-୨୧ ଓ ୧୫-୨୧ରେ ଚୀନ୍‌ ଯୋଡ଼ି ହି ଜିଟିଙ୍ଗ୍‌ ଓ ଟାନ୍‌ କ୍ବାଙ୍ଗ୍‌ଙ୍କ ନିକଟରୁ ହାରିଯାଇଥିଲା ବେଳେ ମେଘନା ଜାକାମ୍‌ପୁଡ଼ି ଓ ପୂର୍ବୀଶା ଏସ୍‌ ରାମ ୧୩-୨୧ ଓ ୧୬-୨୧ରେ ଥାଇଲାଣ୍ଡ୍‌ ଯୋଡ଼ି ଜଙ୍ଗ୍‌କୋଲ୍‌ଫନ୍‌ କିଟିଥ୍ରାକୁଲ୍‌ ଓ ରାୱିଣ୍ଡା ପ୍ରଜଙ୍ଗ୍‌ଜାଇଙ୍କ ନିକଟରୁ ହାରି ବିଦାୟ ନେଇଛନ୍ତି।

ସମ୍ବନ୍ଧିତ ଖବର