ବର୍ମିଙ୍ଗ୍ହାମ୍: ଭାରତୀୟ ବ୍ୟାଡ୍ମିଣ୍ଟନ ତାରକା ପିଭି ସିନ୍ଧୁ, ସାଇନା ନେହ୍ବାଲ ଓ ଶ୍ରୀକାନ୍ତ ଏଠାରେ ଚାଲିଥିବା ଅଲ୍ ଇଂଲଣ୍ଡ ଚାମ୍ପିଅନ୍ସିପ୍ର ଦ୍ବିତୀୟ ରାଉଣ୍ଡରୁ ବିଦାୟ ନେଇଛନ୍ତି। ତେବେ ଭାରତୀୟ ପୁରୁଷ ତାରକା ଲକ୍ଷ୍ୟ ସେନ୍ ନିଜର ବିଜୟଧାରା ଜାରି ରଖି କ୍ବାର୍ଟର ଫାଇନାଲ୍ ସ୍ଥାନ ପକ୍କା କରି ନେଇଛନ୍ତି। ଗୁରୁବାର ମହିଳା ଏକକ ପ୍ରିକ୍ବାର୍ଟର ଫାଇନାଲ୍ରେ ଦୁଇ ଅଲିମ୍ପିକ୍ସ ପଦକ ବିଜେତା ଷଷ୍ଠ ମାନ୍ୟତାପ୍ରାପ୍ତ ସିନ୍ଧୁ କଡ଼ା ସଂଘର୍ଷ କରି ୧୯-୨୧, ୨୧-୧୬, ୧୭-୨୧ରେ ଜାପାନର ତାହିକା ସାକାହାସିଙ୍କଠୁ ପରାଜିତ ହୋଇଥିଲେ।
ସେହିଭଳି ଅଲିମ୍ପିକ୍ କାଂସ୍ୟ ବିଜୟିନୀ ସାଇନା ୧୪-୨୧, ୨୧-୧୭, ୧୭-୨୧ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଜାପାନ୍ ଆକାନେ ଆମାଗୁଚିଙ୍କଠୁ ହାରି ଯାଇଥିଲେ। ପୁରୁଷ ଏକକରେ ଶ୍ରୀକାନ୍ତ ୨୧-୯, ୧୮-୨୧, ୧୮-୨୧ରେ ଇଣ୍ଡୋନେସିଆର ଆନ୍ଥୋନୀ ସିନିସୁକା ଗିଣ୍ଟିଙ୍ଗଙ୍କଠୁ ପରାସ୍ତ ହୋଇଥିଲେ। ତେବେ ବିଶ୍ବ କାଂସ୍ୟ ବିଜେତା ଲକ୍ଷ୍ୟ ୨୧-୧୬, ୨୧-୧୮ରେ ବିଶ୍ବର ୩ ନମ୍ବର ଡେନ୍ମାର୍କର ଆଣ୍ଡର୍ସ ଆଣ୍ଟୋନସେନ୍ଙ୍କୁ ମାତ୍ ଦେଇଥିଲେ। କ୍ବାର୍ଟର ଫାଇନାଲ୍ରେ ସେନ୍ ଚୀନ୍ର ଲୁ ଗୁଆଙ୍ଗ ଜୁଙ୍କୁ ଭେଟିବେ। ଭାରତୀୟ ପୁରୁଷ ଯୁଗଳ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଏବଂ ମହିଳା ଯୋଡ଼ି ତ୍ରିଶା ଜୋଲି ଓ ପୁଲେଲା ଗାୟତ୍ରୀ ଗୋପୀଚାନ୍ଦ କ୍ବାର୍ଟର ଫାଇନାଲ୍ରେ ପହଞ୍ଚିଛନ୍ତି। ସାତ୍ତ୍ବିକ-ଚିରାଗ ୨୧-୭, ୨୧-୭ରେ ଜର୍ମାନିର ମାର୍କ ଲାମ୍ସଫୁସ ଓ ମାର୍ବିନ ସିଡେଲଙ୍କୁ ଏବଂ ତ୍ରିଶା ଓ ଗାୟତ୍ରୀ ୧୮-୨୧, ୧୯-୧୪ (ରିଟାର୍ଡ ହର୍ଟ)ରେ ଇଣ୍ଡୋନେସିଆର ଗ୍ରେସିଆ ପୋଲି ଓ ଆପ୍ରିୟାନି ରାହାୟୁଙ୍କୁ ପରାସ୍ତ କରିଥିଲେ।