କାଂସ୍ୟ ଜିତିଲେ ଶ୍ରୀକାନ୍ତ:ଫାଇନାଲ୍‌ରେ ସିନ୍ଧୁ, ସେନ୍‌, ସାତ୍ତ୍ବିକ-ଚିରାଗ

ବର୍ମିଂହାମ୍‌: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବ୍ୟାଡ୍‌ମିଣ୍ଟନରୁ ଭାରତକୁ ଦ୍ବିତୀୟ ପଦକ ମିଳିଛି। ପୁରୁଷ ଏକକରେ କିଦାମ୍ବି ଶ୍ରୀକାନ୍ତ କାଂସ୍ୟ ପଦକ ଜିତିଛନ୍ତି। ‌କାଂସ୍ୟ ମୁକାବିଲାରେ ସେ ସିଧାସଳଖ ୨୧-୧୫, ୨୧-୧୮ରେ ସିଙ୍ଗାପୁରର ଜିଆ ହେଙ୍ଗ୍‌ ତେହଙ୍କୁ ପରାସ୍ତ କରିଥିଲେ। ଚଳିତ ପ୍ରତିଯୋଗିତାରେ ଏହା ଶ୍ରୀକାନ୍ତଙ୍କ ଦ୍ବିତୀୟ ଏବଂ ‌ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଚତୁର୍ଥ ପଦକ। ପୂର୍ବରୁ ସେ ଏଠାରେ ମିଶ୍ରିତ ଦଳଗତରେ ରୌପ୍ୟ ଜିତିଥିଲେ। ୨୦୧୮ଗୋଲ୍ଡକୋଷ୍ଟ‌ରେ ସେ ମିଶ୍ରିତ ଦଳଗତରେ ସ୍ବର୍ଣ୍ଣ ଏବଂ ପୁରୁଷ ଏକକରେ ରୌପ୍ୟ ଜିତିଥିଲେ।

ଅତିକମ୍‌ରେ ଭାରତର ଆଉ ୩ଟି ରୌପ୍ୟ ପଦକ ନିଶ୍ଚିତ ହୋଇଛି। ରବିବାର ମହିଳା ଏକକରେ ପିଭି ସିନ୍ଧୁ, ପୁରୁଷ ଏକକରେ ଲକ୍ଷ୍ୟ ସେନ୍‌ ଏବଂ ପୁରୁଷ ଯୁଗଳରେ ସା‌ତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ-ଚିରାଗ ସେଟ୍ଟୀ ଯୋଡ଼ି ଫାଇନାଲ୍‌ରେ ପହଞ୍ଚି ଏହି ପଦକ ସୁନିଶ୍ଚିତ କରିଛନ୍ତି। ଯୁଗଳ ଅଲିମ୍ପିକ୍‌ ପଦକ ବିଜୟିନୀ ସିନ୍ଧୁ ସେମିଫାଇନାଲ୍‌ରେ ସିଙ୍ଗାପୁର ପ୍ରତିଦ୍ବନ୍ଦ୍ବୀ ୟିଓ ଜିଆ ମିନ୍‌ଙ୍କୁ ମାତ୍ର ୪୯ ମିନିଟ୍‌ରେ ୨୧-୧୯ ଓ ୨୧-୧୭ ସିଧାସଳଖ ଗେମ୍‌ରେ ପରାସ୍ତ କରି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କ୍ରମାଗତ ସ୍ବର୍ଣ୍ଣ ପଦକ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି। ଏଥି ସହିତ କ୍ରମାଗତ ତୃତୀୟ ସଂସ୍କରଣରୁ ମଧ୍ୟ ପଦକ ନିଶ୍ଚିତ କରିଛନ୍ତି। ଏହା ପୂର୍ବରୁ ସିନ୍ଧୁ ଗତ ୨୦୧୮ ଗୋଲ୍‌ଡକୋଷ୍ଟ (ଅଷ୍ଟ୍ରେଲିଆ) ସଂସ୍କରଣରେ ରୌପ୍ୟ ପଦକ ଜିତିଥିଲା ବେଳେ ୨୦୧୪ରେ କାଂସ୍ୟ ପଦକ ହାସଲ କରିଥିଲେ। ସେହିପରି ପୁରୁଷ ଏକକ ସେମିଫାଇନାଲ୍‌ରେ ବିଶ୍ବ ମାନ୍ୟତାର ଦଶମ ସେନ୍‌ ନିଜଠୁ ନିମ୍ନ ମାନ୍ୟତାପ୍ରାପ୍ତ ସିଙ୍ଗାପୁର ପ୍ରତିଦ୍ବନ୍ଦ୍ବୀ ଜିଆ ହେଙ୍ଗ୍‌ ତେହ (୮୭ ମାନ୍ୟତା)ଙ୍କ ବିପକ୍ଷରେ କିଛିଟା ସଂଘର୍ଷ କରିଥିଲେ। ତଥାପି ୨୧-୧୦, ୧୮-୨୧ ଓ ୨୧-୧୬ରେ ମ୍ୟାଚ୍‌ ଜିତି ଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିନେଇଥିଲେ। ସେନ୍‌ ଏବେ ସ୍ବର୍ଣ୍ଣ ପଦକ ପାଇଁ ଏନ୍‌ଜି ଜି ୟଙ୍ଗ୍‌ଙ୍କ ସହ ମୁହାଁମୁହିଁ ହେବେ। ଅନ୍ୟପକ୍ଷରେ ସାତ୍ତ୍ବିକ-ଚିରାଗ ଯୋଡ଼ି ମାଲେସିଆର ପେଙ୍ଗ ସୁନ ଚାନ-କିଆନ ମେଙ୍ଗ୍‌ ଟାନ୍‌ଙ୍କୁ ୨୧-୬, ୨୧-୧୫ ସିଧାସଳଖ ଗେମ୍‌ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି।

ସମ୍ବନ୍ଧିତ ଖବର