ସିନ୍ଧୁ ସୁନେଲି

ଏବିଡିଙ୍କ ଅବସର, ହାମିଲଟନଙ୍କ ହମଲା

ହାଇଦ୍ରାବାଦ ଲଳନା ପିଭି ସିନ୍ଧୁଙ୍କ ପାଇଁ ୨୦୧୮ ସ୍ମରଣୀୟ ସଫଳତା ନେଇ ଆସିଥିଲା। ଏବର୍ଷ ସିନ୍ଧୁ ଜାକର୍ତା ଏସୀୟ କ୍ରୀଡ଼ାରେ ‌ପ୍ରଥମ ଭାରତୀୟ ଭାବେ ରୌପ୍ୟ ପଦକ ଜିତିଥିଲେ। ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା ଏକକରେ ରୌପ୍ୟ ଏବଂ ମିଶ୍ରିତ ଯୁଗଳରେ ସ୍ବର୍ଣ୍ଣ ପଦକ ପାଇଥିଲେ। ୨୦୧୮ରେ ବିଡବ୍ଲୁ୍ଏଫ୍ ବିଶ୍ବ ପ୍ରତିଯୋଗିତାରେ ଲଗାତାର ଦ୍ବିତୀୟ ଥର ଟ୍ରଫି ଜିତିଥିଲେ। ବର୍ଷ ଶେଷ ଆଡ଼କୁ ସେ ମଧ୍ୟ ଆଉ ଏକ ବଡ଼ ସଫଳତା କରାୟତ କରିଥିଲେ। ବିଡବ୍ଲ୍ୟୁଏଫ୍ ବିଶ୍ବ ଟୁର ଫାଇନାଲରେ ସ୍ବର୍ଣ୍ଣ ପଦକ ଜିତିବାରେ ମଧ୍ୟ ସେ ପ୍ରଥମ ଭାରତୀୟ ହେବାର ଗୌରବ ଅର୍ଜନ କରିଥିଲେ। ଏଥିସହିତ ବଡ଼ ପ୍ରତିଯୋଗିତାର ଫାଇନାଲରେ ବାରମ୍ବାର ହାରିବାର ଅପଯଶକୁ ସିଦ୍ଧୁ ଷ୍ଟାଇଲରେ ଦୂର କରିଥିଲେ।

ଏବିଡିଙ୍କ ଅବସର

କ୍ରିକେଟ୍ ଦୁନିଆରେ ବହୁ ଖେଳାଳି ୨୦୧୮ରେ ସଫଳତାର ଶୀର୍ଷ ଛୁଇଁଥି‌ଲେ। ଅନେକ ନିଜ ଘଟଣା ବହୁଳ ଖେଳ ଜୀବନରେ ଅଚାନକ ପୂର୍ଣ୍ଣଛେଦ ମଧ୍ୟ ଟାଣିଥିଲେ। ଏମାନଙ୍କ ମଧ୍ୟରୁ ଦକ୍ଷିଣ ଆଫ୍ରିକାର ଦୁର୍ଦ୍ଧର୍ଷ ବ୍ୟାଟ୍ସମ୍ୟାନ୍ ଏବି ଡିଭିଲିୟର୍ସ ଥିଲେ ଅନ୍ୟତମ। ଅଗଷ୍ଟରେ ଡିଭିଲିୟର୍ସ ଅବସର ‌ଘୋଷଣା କରିବା ସମଗ୍ର କ୍ରିକେଟ୍ ଜଗତକୁ ସ୍ତମ୍ଭୀଭୂତ କରିଥିଲା। ହେଲେ ଏବିଙ୍କ ନିଷ୍ପତ୍ତିକୁ ସମସ୍ତେ ସମ୍ମାନ ଜଣାଇଥିଲେ। ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ଡ୍ବେନ୍ ବ୍ରାଭୋ ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଥିଲେ। ସେହିଭଳି ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀର ମଧ୍ୟ କ୍ରିକେଟ୍‌ରୁ ସନ୍ୟାସ ନେଇଥିଲେ। ଟେନିସରେ ରୋବର୍ଟା ଭିନ୍ସି, ଫ୍ରାନସିସ୍କା ସିଆଭନ, ମିଖାଇଲ ୟୁଝନି, ଜାଇଲ୍ସ ମୁଲର ପ୍ରମୁଖ ଅବସର ଘୋଷଣା କରିଥିଲେ।

ହାମିଲଟନଙ୍କ ହମଲା

ଫର୍ମୁଲା ୱାନ୍ ସର୍କିଟ୍‌ରେ ବ୍ରିଟିସ୍ ଚାଳକ ଲୁଇସ୍ ହାମିଲଟନଙ୍କ ଯାଦୁ ଏବର୍ଷ ମଧ୍ୟ ଦେଖିବାକୁ ମିଳିଥିଲା। ନିକଟତମ ପ୍ରତିଦ୍ବନ୍ଦ୍ବୀ ସେବାସ୍ତିଆନ ଭେଟେଲ (୩୨୦)ଙ୍କଠାରୁ ୮୮ ପଏଣ୍ଟ ଅଧିକ ପାଇ ହାମିଲଟନ୍ (୪୦୮) ଚଳିତ ବର୍ଷର ଚାଳକ ଟ୍ରଫି ଜିତି ନେଇଥିଲେ। ହାମିଲଟନଙ୍କ ଦଳ ମର୍ସିଡିସ୍ ଦଳଗତ ଟ୍ରଫି କରାୟତ କରିଥିଲା। ହାମିଲଟନଙ୍କର ଏହା ପଞ୍ଚମ ଫର୍ମୁଲା ୱାନ୍ ମୁକୁଟ ହୋଇଥିଲା ବେଳେ ମର୍ସିଜିସ୍ ଲଗାତାର ପଞ୍ଚମ ଥର ପାଇଁ ଦଳଗତ ବିଜେତା ହୋଇଥିଲା। ଦଳଗତରେ ମର୍ସିଡିସ୍‌ଠାରୁ ୮୪ ପଏଣ୍ଟ କମ୍‌ ପାଇ ‌ଫେରାରି ଉପ ବିଜେତା ହୋଇଥିଲା। ଚଳିତ ବର୍ଷ ହୋଇଥିବା ୨୧ ରେସ୍ ମଧ୍ୟରୁ ହାମିଲଟନ୍ ଏକାକି ୧୧ ରେସ୍ ଜିତିଥି‌େଲ ।

ସମ୍ବନ୍ଧିତ ଖବର