ସିନ୍ଧୁ ଶ୍ରେଷ୍ଠ ବିବିସି ମହିଳା କ୍ରୀଡ଼ାବିତ୍‌

ଭୁବନେଶ୍ବର: ଗୋଟିଏ ଦିନ ବ୍ୟବଧାନରେ ଦୁଇଟି ପ୍ରମୁଖ ପୁରସ୍କାର ହାତେଇଛନ୍ତି ଭାରତୀୟ ବ୍ୟାଡମିଣ୍ଟନ୍‌ର ଯୁବରାଣୀ ପିଭି ସିନ୍ଧୁ। ଶୁକ୍ରବାର ଟାଇମ୍ସ ଅଫ୍‌ ଇଣ୍ଡିଆର ଶ୍ରେଷ୍ଠ କ୍ରୀଡ଼ାବିତ୍ ପୁରସ୍କାର ପାଇଥିବା ୨୪ ବର୍ଷୀୟା ସିନ୍ଧୁ ରବିବାର ୨୦୧୯ ମସିହା ପାଇଁ ବିବିସିର ଶ୍ରେଷ୍ଠ ଭାରତୀୟ ମହିଳା କ୍ରୀଡ଼ାବିତ୍‌ ବିବେଚିତ ହୋଇଛନ୍ତି। ପ୍ରମୁଖ ବିଚାରକଙ୍କ ଦ୍ବାରା ମନୋନୀତ ଶ୍ରେଷ୍ଠ ୫ ଜଣ ଭାରତୀୟ ମହିଳା କ୍ରୀଡ଼ାବିତ୍‌ଙ୍କ ମଧ୍ୟରୁ ପ୍ରଶଂସକଙ୍କ ଭୋଟିଂ ଜରିଆରେ ସିନ୍ଧୁ ଏହି ଗୌରବ ପାଇଛନ୍ତି। ଏହି ଦୌଡ଼ରେ ଓଡ଼ିଆ ଝିଅ ତଥା ଦେଶର ଦ୍ରୁତତମ ଧାବିକା ଦୂତି ଚାନ୍ଦ, ବିଶ୍ବ ବିଜୟିନୀ ମୁଷ୍ଟିଯୋଦ୍ଧା ମେରି କମ୍, କୁସ୍ତିଯୋଦ୍ଧା ଭିନେଶ ଫୋଗଟ୍‌, ପାରା ବ୍ୟାଡମିଣ୍ଟନ୍‌ ଖେଳାଳି ମାନସୀ ଯୋଶୀ ରହିଥିଲେ। ସିନ୍ଧୁ କିନ୍ତୁ ଚୂଡାନ୍ତ ଭୋଟିଂରେ ସମସ୍ତଙ୍କଠାରୁ ଅଧିକ ସମର୍ଥନ ପାଇଥିଲେ। ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ୍‌ ବ୍ୟାଡମିଣ୍ଟନ୍ ରୌପ୍ୟ ଜିତିଥିବା ସିନ୍ଧୁଙ୍କ ନାମରେ ମଧ୍ୟ ୫ଟି ବିଶ୍ବ ପ୍ରତିଯୋଗିତା ପଦକ ରହିଛି। ଟୋକିଓ ଅଲିମ୍ପିକ୍ସରେ ମଧ୍ୟ‌ ସେ ପଦକ ଦାବିଦାର ରହିବେ। ଅନ୍ୟପକ୍ଷରେ ଅନେକ ପ୍ରତିବଂଧକ ମଧ୍ୟରେ ଆଗକୁ ବଢ଼ିଥିବା କିଂବଦନ୍ତି ଧାବିକା ପିଟି ଉଷାଙ୍କୁ ଜୀବନବ୍ୟାପୀ ସେବା ସମ୍ମାନ ପ୍ରଦାନ କରାଯାଇଛି। ନିଜ ଖେଳ ଜୀବନ ମଧ୍ୟରେ ୧୦୦ରୁ ଉର୍ଧ୍ବ ଅନ୍ତର୍ଜାତୀୟ ପଦକ ଜିତିଥିବା ପିଟି ଉଷା ଏବେ ମଧ୍ୟ ଯୁବ ଖେଳାଳିଙ୍କ ପାଇଁ ପ୍ରେରଣାର ଉତ୍ସ ରହିଛନ୍ତି। ଭାରତୀୟ ଅଲିମ୍ପିକ୍ ସଂଘ ମଧ୍ୟ ତାଙ୍କୁ ଶତାବ୍ଦୀର ଶ୍ରେଷ୍ଠ ମହିଳା କ୍ରୀଡ଼ାବିତ୍‌ ଘୋ‌ଷଣା କରିଥିଲା। ଅନ୍ତର୍ଜାତୀୟ ମହିଳା ଦିବସରେ ସିନ୍ଧୁଙ୍କୁ ସମ୍ମାନିତ କରିବା ଦେଶବ୍ୟାପୀ ମହିଳା କ୍ରୀଡ଼ାବିତ୍‌ଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଥିଲା ବୋଲି ବିବିସିର ମହାନିର୍ଦେଶକ ଟୋନି ହଲ୍‌ ପ୍ରକାଶ କରିଛନ୍ତି। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ରବିବାର ଏହି ପୁରସ୍କାର ପ୍ରଦାନ କରିଥିଲେ। ଦେଶରେ କ୍ରୀଡ଼ା ସଂସ୍କୃତି ନ ଥିବାରୁ ଦେଶ ପାଇଁ ପଦକ ଜିତି ଗୌରବ ଆଣିଥିବା ଭାରତୀୟ କ୍ରୀଡ଼ାବିତ୍‌ଙ୍କ ଲାଗି ଜୀବନସାରା ଭତ୍ତା ପ୍ରଦାନର ବ୍ୟବସ୍ଥା କରାଯାଇଛି ବୋଲି ସେ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର