ପଦକ ଜିତିବା ପରେ ହତ୍‌ବାକ ହୋଇଯାଇଥିଲି: ସିନ୍ଧୁ

ଟୋକିଓ: ବିଶ୍ବ ବିଜୟିନୀ ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ଲଳନା ପିଭି ସିନ୍ଧୁ ରବିବାର ଅଲିମ୍ପିକ୍ସରେ ବ୍ୟକ୍ତଗତ ଦ୍ବିତୀୟ ପଦକ କରାୟତ୍ତ କରି ଇତିହାସ ରଚିଥିଲେ। ରିଓରେ ରୌପ୍ୟ ପରେ ସିନ୍ଧୁ ଚଳିତ ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିଲେ। ଏଥିସହ ୨୬ ବର୍ଷୀୟା ସିନ୍ଧୁ ବ୍ୟକ୍ତିଗତ ବର୍ଗରେ ଦୁଇଟି ପଦକ ଜିତିବାରେ ପ୍ରଥମ ଭାରତୀୟ ମହିଳା ଏବଂ ସୁଶୀଲ କୁମାରଙ୍କ ପରେ ଦେଶର ଦ୍ବିତୀୟ କ୍ରୀଡ଼ାବିତ୍‌ ହୋଇଥିଲେ। ସେମିଫାଇନାଲ୍‌ରେ ବିଶ୍ବର ଏକ ନମ୍ବର ତାଇ ଟିଜୁ ୟିଙ୍ଗଙ୍କଠୁ ହାରିବା ପରେ ତୃତୀୟ ସ୍ଥାନ ମ୍ୟାଚ୍‌ରେ ଚୀନ୍‌ର ହି ବିଙ୍ଗ ଜିଆଓଙ୍କୁ ହରାଇ କାଂସ୍ୟ ଜିତିଥିଲେ। ତେବେ ଏହି ଐତିହାସିକ ସଫଳତା ଅର୍ଜନ ପରେ ସେ କିଛି ସେକେଣ୍ଡ ହତ୍‌ବାକ ହୋଇଯାଇଥିଲେ ଏବଂ ଏତିହାସିକ ସଫଳତା ଜାଣିବା ପାଇଁ କିଛି ସମୟ ଲାଗିଥିଲା ବୋଲି ପଦକ ଜିତିବାରେ ସିନ୍ଧୁ ପ୍ରକାଶ କରିଛନ୍ତି।

‘‘ସେମିଫାଇନାଲ୍‌ ପରାଜୟ ପରେ ପ୍ରକୃତରେ ବହୁତ ନିରାଶ ହୋଇଥିଲି ଏବଂ କାନ୍ଦି ଥିଲି। କିନ୍ତୁ ମୋ ପ୍ରଶିକ୍ଷକ କହିଲେ ଯେ ଅଭିଯାନ ଶେଷ ହୋଇନି। ମୁଁ ଖୁସି ହେବି ନା ଦୁଃଖୀ ହେବି ଚିନ୍ତା କଲା ବେ‌ଳକୁ ପାର୍କଙ୍କ ଆଶ୍ବାସନା ଏହି ସମୟରେ ମିଶ୍ରିତ ଭବାନା ଦେଇଥିଲା। ସେ କହିଥିଲେ, ‘ଚତୁର୍ଥ ସ୍ଥାନ ଏବଂ କାଂସ୍ୟ ପଦକ ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି।’ ଏହା ହିଁ ମୋତେ ଅଗକୁ ବଢ଼ିବାକୁ ବାଟ ଦେଖାଇଥିଲା। ମୁଁ ମୋ ମାନସିକତାକୁ ବଦଳାଇ ୧୦୦ ପ୍ରତିଶତ ଦେଇଥିଲି ଏବଂ ପଦକ ଜିତିପାରିଥିଲି। ପଦକ ଜିତିବା ପରେ କିଛି ସେକେଣ୍ଡ ମୋ ଦେହରେ ଜୀବନ ଅଛି ବୋଲି ଜାଣି ପାରିନଥିଲି। ମୋ ପ୍ରଶିକ୍ଷକଙ୍କ ଆଖିରେ ଲୁହଥିଲା। ପ୍ରକୃତରେ ଏହା ଏକ ଭାବପୂର୍ଣ୍ଣ ମୁହୂର୍ତ୍ତ। ମୁଁ ତାଙ୍କୁ କୁଣ୍ଢାଇ ପକାଇଲି ଏବଂ ଧନ୍ୟବାଦ ବୋଲି କହିଲି। ୫-୬ ସେକେଣ୍ଡ କିଛି ଜାଣିପାରିଲିନି, ଏହା ପରେ ବଡ଼ ପାଟି କରିଥିଲି, ଏହି ସମୟରେ ସବୁ ଭାବନା ହିଁ ଆସିଯାଇଥିଲା।’’ ବୋଲି କାଂସ୍ୟ ବିଜୟିନୀ ସିନ୍ଧୁ ସୋମବାର କହିଛନ୍ତି।

ଟୋକିଓ ଅଲିମ୍ପିକ୍ସ ପଦକ ବିଜୟ ପରେ ମୁଖ୍ୟ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷକ ପୁଲେଲା ଗୋପୀଚାନ୍ଦ ଏବଂ ବରିଷ୍ଠ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହୱାଲ୍‌ ତୁମ ସହିତ ସମ୍ପର୍କ କରିଥିଲେ କି ପ୍ରଶ୍ନର ଉତ୍ତର ଦେଇ ସିନ୍ଧୁ କହିଥିଲେ, ‘‘ହଁ ଗୋପୀ ସାର୍‌ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ହେଲେ ‌ସାଇନା ଦେଇନାହାନ୍ତି। ଆଉ କିଛି ଏହି ବିଷୟରେ କହିବାକୁ ଚାହୁଁନି। ସୂଚନାଯୋଗ୍ୟ ଯେ ଲଣ୍ଡନରେ କାଂସ୍ୟ ପଦକ ଜିତିଥିବା ସାଇନା ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିଲେ। ସେବେଠାରୁ ସେ ସିନ୍ଧୁଙ୍କୁ ପ୍ରତିଦ୍ବନ୍ଦ୍ବୀ ଭାବେ ନେଇଥାକ୍ଷନ୍ତି।

ସମ୍ବନ୍ଧିତ ଖବର