ସିନ୍ଧୁଙ୍କୁ ସିଙ୍ଗାପୁର ଓପନ୍‌ ଟ୍ରଫି

ସିଙ୍ଗାପୁର : ଦୁଇ ଥର ଅଲିମ୍ପିକ୍ ପଦକ ବିଜୟିନୀ ପିଭି ସିନ୍ଧୁ ଚଳିତ ବର୍ଷର ସମ୍ମାନଜନକ ସିଙ୍ଗାପୁର ଓପନ୍ ଟ୍ରଫି ଜିତି ନେଇଛନ୍ତି। ଚଳିତ ବର୍ଷ ସିନ୍ଧୁଙ୍କର ଏହା ତୃତୀୟ ବିଶ୍ବ ଟୁର୍‌ ଟ୍ରଫି ହୋଇଥିଲେ ମଧ୍ୟ ଏହା ସବୁଠୁ ଗୁରୁତ୍ବପୂର୍ଣ୍ଣ। ରବିବାରର ଫାଇନାଲରେ ସିନ୍ଧୁ ଏସୀୟ ପ୍ରତିଯୋଗିତା ସ୍ବର୍ଣ୍ଣ ବିଜୟିନୀ ଚୀନର ୱାଙ୍ଗ୍‌ ଝି ୟି’ଙ୍କୁ ୨୧-୯, ୧୧-୨୧, ୨୧-୧୫ରେ ପରାସ୍ତ କରିଥିଲେ। ତ୍ରୁଟିଭରା ଏହି ଟାଇଟଲ୍ ଲଢ଼େଇରେ ଗୁରୁତ୍ବପୂର୍ଣ୍ଣ ସମୟରେ ସିନ୍ଧୁ ଦୃଢ଼ଭାବେ ମୁକାବିଲା କରି ବାଜି ମାରି ନେଇଥିଲେ। ଉଭୟ ଖେଳାଳି ପରସ୍ପରକୁ ପୂର୍ବରୁ ଥରେ ଭେଟିଥିବା ବେଳେ ୨୭ ବର୍ଷୀୟା ସିନ୍ଧୁ ଚଳିତ ବର୍ଷର ଅଲ ଇଂଲଣ୍ଡ ଚାମ୍ପିୟନସିପ୍‌ରେ ୨୨ ବର୍ଷୀୟା ୱାଙ୍ଗଙ୍କୁ ପରାସ୍ତ କରିଥିଲେ। ଟସ୍ ଜିତିବା ପରେ ୱାଙ୍ଗ ଫାଇଦା ପାର୍ଶ୍ବ ଚୟନ କରିଥିଲେ ମଧ୍ୟ ସିନ୍ଧୁ ପ୍ରଥମ ଗେମ୍‌ରେ ଲଗାତାର ୧୧ ପଏଣ୍ଟ ଅର୍ଜନ କରିବା ତାଙ୍କ ଆତ୍ମବିଶ୍ବାସ ଓ ଫିଟନେସ୍‌ର ପ୍ରମାଣ ଦେଇଥିଲା। ଦ୍ବିତୀୟ ‌ଗେମ୍‌ରେ ସିନ୍ଧୁ ସଟଲକୁ ଲମ୍ବା ମାରି ପରାଜୟ ବରଣ କରିଥିଲେ ମଧ୍ୟ ନିର୍ଣ୍ଣାୟକ ଗେମ୍‌ରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ। ସିନ୍ଧୁଙ୍କ ବିଜୟ ଜୁଲାଇ ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ଆତ୍ମବିଶ୍ବାସ ଦେଇଛି। ଅଦ୍ୟାବଧି ସିନ୍ଧୁ ୨ ଅଲିମ୍ପିକ୍ ପଦକ ସହିତ ୫ ବିଶ୍ବ ପ୍ରତିଯୋଗିତା ପଦକ (୧ ସ୍ବର୍ଣ୍ଣ, ୨ ରୌପ୍ୟ, ୨ କାଂସ୍ୟ) ଜିତିଥିବାରୁ ବର୍ମିଂହାମରେ ମଧ୍ୟ ଭାରତର ପ୍ରଥମ ଆଶାୟୀ ରହିବେ।

ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
ସିନ୍ଧୁଙ୍କ ସିଙ୍ଗାପୁର ଓପନ୍ ଟ୍ରଫି ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଦେଶ ପାଇଁ ଏହା ଗୌରବର ମୁହୂର୍ତ ବୋଲି ଅଭିହିତ କରିଛନ୍ତି। ପ୍ରଥମ ଥର ପାଇଁ ସିନ୍ଧୁ ସିଙ୍ଗାପୁର ଓପନ୍ ଜିତିବା ଦେଶର ଯୁବ ଖେଳାଳିମାନଙ୍କ ପାଇଁ ପ୍ରେରଣା ଯୋଗାଇବ ବୋଲି ପ୍ରଧାନମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି। ଚମତ୍କାର କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିଥିବାରୁ ପ୍ରଧାନମନ୍ତ୍ରୀ ମଧ୍ୟ ଖୁସି ବ୍ୟକ୍ତ କରିଥିଲେ। ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ସହିତ ବହୁ କ୍ରିକେଟର୍‌ ଏବଂ ବ୍ୟାଡମିଣ୍ଟନ୍ ତାରକା ମଧ୍ୟ ସିନ୍ଧୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର