ନୂଆଦିଲ୍ଲୀ: ଅଲିମ୍ପିକ୍ ରୌପ୍ୟ ବିଜୟିନୀ ପିଭି ସିନ୍ଧୁ ମାଲେସିଆର ଆଲୋର୍ ସେତାରରେ ଚାଲିଥିବା ଏସିଆ ଦଳଗତ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଭାରତକୁ ଉତ୍କଣ୍ଠାପୂର୍ଣ୍ଣ ବିଜୟ ଭେଟି ଦେଇଛନ୍ତିି। ଏହି ହାଇଦ୍ରାବାଦୀ ଲଳନାଙ୍କ ଦମ୍ଦାର ପ୍ରଦର୍ଶନ ବଳରେ ମଙ୍ଗଳବାର ହଂକଂକୁ ୩-୨ରେ ପରାସ୍ତ କରି ଭାରତ ସକାରାତ୍ମକ ଆରମ୍ଭ କରିଛି। ଲଣ୍ଡନ ଅଲିମ୍ପିକ୍ସ କାଂସ୍ୟ ବିଜୟିନୀ ସାଇନା ନେହ୍ଵାଲ ଆହତ ଯୋଗୁଁ ଏହି ପ୍ରତିଯୋଗିତାରୁ ଓହରି ଯାଇଥିଲା ବେଳେ ସିନ୍ଧୁ ହିଁ ଭାରତର ବିଜୟରେ ପ୍ରମୁଖ ଭୂମିକା ନିଭାଇଥିଲେ। ପ୍ରଥମେ ଏକକ ଏବଂ ପରେ ଯୁଗଳରେ କମାଲ୍ ଦେଖାଇ ସିନ୍ଧୁ ଭାରତକୁ ରୋମାଞ୍ଚକର ବିଜୟ ଦେଇଥିଲେ। ପ୍ରଥମ ଏକକ ମୁକାବିଲାରେ ସିନ୍ଧୁ ୨୧-୧୨ ଓ ୨୧-୧୮ରେ ହଂକଂର ୟିପ୍ ପୁଇ ୟିନ୍ଙ୍କୁ ହରାଇବା ପରେ ଏନ୍ ସିକ୍କି ରେଡ୍ଡୀଙ୍କୁ ସାଥୀ କରି ଯୁଗଳରେ ଏନ୍ଜି ଟିଜ୍ ୟାଉ-ୟୁଏନ୍ ସିନ୍ ୟିଙ୍ଗ୍ ଯୋଡ଼ିକୁ ୨୧-୧୫, ୧୫-୨୧ ଓ ୨୧-୧୪ରେ ପରାସ୍ତ କରିଥିଲେ।
ଅନ୍ୟପକ୍ଷରେ ମହିଳା ଯୁଗଳର ପ୍ରଥମ ମୁକାବିଲାରେ ଭାରତୀୟ ଯୋଡ଼ି ଅଶ୍ୱିନୀ ପୋନାପ୍ପା ଓ ପ୍ରଜକ୍ତା ସାଓ୍ଵନ୍ତ ୫୨ ମିନିଟ୍ ଧରି ପ୍ରବଳ ସଂଘର୍ଷ କରିବା ସତ୍ତ୍ୱେ ଏନ୍ଜି ଓ୍ଵିଙ୍ଗ୍ ୟଙ୍ଗ୍ ଓ ୟଙ୍ଗ୍ ଏନ୍ଗା ଟିଙ୍ଗ୍ଙ୍କ ନିକଟରୁ ୨୨-୨୦, ୨୦-୨୨ ଓ ୧୦-୨୧ରେ ହାରି ଯାଇଥିଲେ। ସେହିପରି ଯୁବ ତାରକା ଶ୍ରୀକୃଷ୍ଣପ୍ରିୟା କୁଦାରଭଲ୍ଲୀ ଦ୍ୱିତୀୟ ଏକକ ମ୍ୟାଚ୍ରେ ଚିଉଙ୍ଗ୍ ୟିଙ୍ଗ୍ ମେଇଙ୍କ ନିକଟରୁ ୧୯-୨୧, ୨୧-୧୮ ଓ ୨୦-୨୨ରେ ହାରିଯାଇଥିଲେ। ସିନ୍ଧୁ-ସିକ୍କି ଯୋଡ଼ିଙ୍କ ବିଜୟ ପରେ ସ୍ଥିତି ୨-୨ ରହିଥିଲା। ଏହାପରେ ତୃତୀୟ ଏକକ ମ୍ୟାଚ୍ ଉପରେ ଫଳାଫଳ ନିର୍ଭର କରୁଥିଲା। ତେବେ ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଭାରତୀୟ ଲଳନା ଋତ୍ୱିକା ଶିବାନୀ ଗାଡେ ପ୍ରଥମ ଗେମ୍ ହାରିବା ସତ୍ତ୍ୱେ ଦମ୍ଦାର ପ୍ରତ୍ୟାବର୍ତନ କରି ୟୁଙ୍ଗ୍ ସମ୍ ୟିଙ୍କୁ ୧୬-୨୧, ୨୧-୧୬ ଓ ୨୧-୧୩ରେ ପରାସ୍ତ କରି ଭାରତକୁ ୩-୨ର ବିଜୟ ଭେଟି ଦେଇଥିଲେ। ଭାରତ ତା’ର ପରବର୍ତୀ ମୁକାବିଲାରେ ଗୁରୁବାର ଶକ୍ତିଶାଳୀ ଜାପାନକୁ ଭେଟିବ। ଜାପାନ ଦଳରେ ବିଶ୍ୱ ମାନ୍ୟତାର ଦ୍ୱିତୀୟ ଅକାନେ ୟାମାଗୁଚି ଓ ପୂର୍ବ ବିଶ୍ୱ ବିଜୟିନୀ ନାଜୋମୀ ଓକୁହାରା ସାମିଲ ଥିବାରୁ ଭାରତର ଚିନ୍ତା ବଢ଼ାଇଛି।
ଏଠାରେ ସୂଚନାଯୋଗ୍ୟ, ଏସିଆ ଦଳଗତ ପ୍ରତିଯୋଗିତା ଉବେର୍ କପ୍ ଫାଇନାଲ୍ ପାଇଁ ଏକ ଯୋଗ୍ୟତା ପର୍ଯ୍ୟାୟ। ଏସିଆ ଦଳଗତ ପ୍ରତିଯୋଗିତାର ସେମିଫାଇନାଲିଷ୍ଟ ଦଳ ହିଁ ଆସନ୍ତା ମେ ମାସରେ ବ୍ୟାଙ୍କକ୍ରେ ଆୟୋଜିତ ଉବେର୍ କପ୍କୁ ଯୋଗ୍ୟତା ହାସଲ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/sindhu.jpg)