‌ହାଇଦ୍ରାବାଦ: ଭାରତର ଅନ୍ୟତମ ଅଗ୍ରଣୀ ବ୍ୟାଡ୍‌ମିଣ୍ଟନ୍ ତାରକା ପିଭି ସିନ୍ଧୁ ସୋମବାର ୨୬ ବର୍ଷରେ ପଦାର୍ପଣ କରିଛନ୍ତି। ଟୋକିଓ ଅଲିମ୍ପିକ୍ସ ଲାଗି‌ ଯୋଗ୍ୟତା ଅର୍ଜନ କରିଥିବା ସିନ୍ଧୁ ମଧ୍ୟ ଲଗାତାର ଦ୍ବିତୀୟ ଥର ପଦାର୍ପଣ କରିବେ। ୨୦୧୬ ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ବିଜୟିନୀ ସିନ୍ଧୁଙ୍କ ନାମରେ ରହିଛି ଏକାଧିକ ‘ପ୍ରଥମ’ କୃତିତ୍ବ।

Advertisment

୨୦୧୬ ରିଓ ଅଲିମ୍ପିକ୍ସରେ ପ୍ରଥମ ଭାରତୀୟ ଭାବେ ଫାଇନାଲ୍‌କୁ ଉନ୍ନୀତ ହୋଇଥିଲେ। ସ୍ପେନର କାରୋଲିନ୍‌ ମାରିନଙ୍କ ବିପକ୍ଷରେ ପ୍ରଥମ‌ ଗେମ୍ ଜିତିଥିଲେ ମଧ୍ୟ ପରବର୍ତୀ ଦୁଇଟି ହାରି (୨୧-୧୯, ୧୨-୨୧, ୧୫-୨୧)ରେ ରୌପ୍ୟରେ ସନ୍ତୁଷ୍ଟ ହୋଇଥିଲେ। ତଥାପି ବ୍ୟାଡମିଣ୍ଟନ୍‌ରୁ ରୌପ୍ୟ ପଦକ ଜିତିବାରେ ସେ ଥିଲେ ପ୍ରଥମ। ୨୦୧୯ରେ ସିନ୍ଧୁ ପ୍ରଥମ ଭାରତୀୟ ଭାବେ ବିଶ୍ବ ବିଜୟିନୀ ହୋଇଥିଲେ। ସ୍ବିଜରଲାଣ୍ଡର ବାସେଲ୍‌ରେ ଅନୁଷ୍ଠିତ ଫାଇନାଲରେ ସିନ୍ଧୁ ଜାପାନର ନୋଜୋମି ଓକୁହାରାଙ୍କୁ ୨୧-୭, ୨୧-୭ରେ ହରାଇ ଦେଇଥିଲେ। ୨୦୧୭ ଗ୍ଲାସଗୋ ବିଶ୍ବ ପ୍ରତିଯୋଗିତା ଫାଇନାଲ୍‌ ପରାଜୟର ମଧ୍ୟ ପ୍ରତିଶୋଧ ନେଇଥିଲେ ସିନ୍ଧୁ।

ଏଥି ସହ ପ୍ରଥମ ଭାରତୀୟ ଭାବେ ମଧ୍ୟ ସିନ୍ଧୁ ୫ଟି ବିଶ୍ବ ପ୍ରତିଯୋଗିତାରେ ପଦକ ଜିତିବାର ଗୌରବ ଅର୍ଜନ କରିଥିଲେ। ୨୦୧୩ ଓ ୨୦୧୪ରେ କାଂସ୍ୟ, ୨୦୧୮ ଓ ୨୦୧୯ରେ ରୌପ୍ୟ ଜିତିଥିଲେ ସିନ୍ଧୁ। ସର୍ବାଧିକ ବିଶ୍ବ ପଦକ ଜିତିବାରେ ସିନ୍ଧୁ ଚୀନର ଝାଙ୍ଗ ନିଙ୍ଗ୍‌ଙ୍କ ସମକକ୍ଷ ହୋଇଥିଲେ। ସିନ୍ଧୁ ମଧ୍ୟ ପ୍ରଥମ ଭାରତୀୟ ଭାବେ ୨୦୧୮ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିଲେ। ଫାଇନାଲରେ ତାଇୱାନର ତାଇ ଜୁ ୟିଙ୍ଗ୍‌ଙ୍କ ନିକଟରୁ ୧୩-୨୧, ୧୬-୨୧ରେ ହାରିଯାଇଥିଲେ। ପୂର୍ବରୁ ସେ ୨୦୧୪ରେ କାଂସ୍ୟ ପଦକ ଜିତିଥିଲେ। ସିନ୍ଧୁଙ୍କ ଆଉ ଏକ ପ୍ରଥମ ସଫଳତା ହେଉଛି ବିଶ୍ବ ଟୁର୍‌ ଫାଇନାଲ୍ସ ମୁକୁଟ। ୨୦୧୮ର ଏହି ବ‌ର୍ଷ ଶେଷ ପ୍ରତିଯୋଗିତାରେ ସିନ୍ଧୁ ଜାପାନର ଓକୁହାରାଙ୍କୁ ୨୧-୧୯, ୨୧-୧୭ରେ ହରାଇ ନିଜ ଖେଳ ଜୀବନର ପ୍ରଥମ ବିଶ୍ବ ଟୁର୍ ଫାଇନାଲ୍ସ ଟ୍ରଫି ଜିତିଥିଲେ। ଏଥି ପାଇଁ ସିନ୍ଧୁ ମାତ୍ର ୧ ଘଣ୍ଟା ୨ ମିନିଟ୍‌ ସମୟ ନେଇଥିଲେ।