ସିଡ୍ନି: ଅଷ୍ଟ୍ରେଲିଆନ୍ ଓପନ୍ ବିଶ୍ବ ଟୁର୍ ସୁପର ୩୦୦ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ବୁଧବାର ଭାରତ ପାଇଁ ଶୁଭ ଦିନ ଥିଲା। ୧୫୦,୦୦୦ ଡଲାର ପୁରସ୍କାର ରାଶି ବିଶିଷ୍ଟ ଏହି ପ୍ରତିଯୋଗିତାରେ ପ୍ରମୁଖ ତାରକା ପିଭି ସିନ୍ଧୁ, ସମୀର ବର୍ମା, ବି ସାଇ ପ୍ରଣୀତ ଏବଂ ସାତ୍ତ୍ବିକ୍ସାଇରାଜ୍ ରାଙ୍କିରେଡ୍ଡୀ-ଚିରାଗ ସେଟ୍ଟୀ ଚମତ୍କାର ବିଜୟ ସହ ନିଜ ନିଜର ଅଭିଯାନ ଆରମ୍ଭ କରିଛନ୍ତି। ବିଶ୍ବ ମାନ୍ୟତାର ପଞ୍ଚମ ତଥା ୨୦୧୭ ରିଓ ଅଲିମ୍ପିକ୍ସ ଓ ୨୦୧୮ ବିଶ୍ବ ପ୍ରତିଯୋଗିତାର ରୌପ୍ୟ ବିଜୟିନୀ ସିନ୍ଧୁ ମହିଳା ଏକକ ପ୍ରଥମ ରାଉଣ୍ଡ୍ରେ ଇଣ୍ଡୋନେସିଆର ଚୋଇରୁନିଶାଙ୍କୁ ୨୧-୧୪ ଓ ୨୧-୧୯ ସିଧାସଳଖ ଗେମ୍ରେ ପରାସ୍ତ କରି ଦ୍ବିତୀୟ ରାଉଣ୍ଡ୍ ସ୍ଥାନ ସୁରକ୍ଷିତ କରିଛନ୍ତି। ଦ୍ବିତୀୟ ରାଉଣ୍ଡ୍ରେ ସିନ୍ଧୁ ଥାଇଲାଣ୍ଡ୍ର ଅଭିଜ୍ଞ ଖେଳାଳି ନିଚାଓଁ ଜିନ୍ଦାପଲ୍ଙ୍କୁ ଭେଟିବେ।
ଅନ୍ୟପକ୍ଷରେ ପୁରୁଷ ଏକକ ପ୍ରଥମ ରାଉଣ୍ଡ୍ରେ ଷଷ୍ଠ ମାନ୍ୟତାପ୍ରାପ୍ତ ସମୀର ଉତ୍କଣ୍ଠାପୂର୍ଣ୍ଣ ଲଢ଼େଇ ଶେଷରେ ମାଲେସିଆର ଲି ଜି ଜିଆଙ୍କୁ ୨୧-୧୫, ୧୬-୨୧ ଓ ୨୧-୧୨ରେ ପରାସ୍ତ କରି ଦ୍ବିତୀୟ ରାଉଣ୍ଡ୍ ପ୍ରବେଶ କରିଛନ୍ତି। ଏଥି ସହିତ ଗତ ମାସରେ ସୁଦୀରମନ କପ୍ରେ ଜିଆଙ୍କ ନିକଟରୁ ପରାଜୟର ମଧୁର ପ୍ରତିଶୋଧ ନେଇଛନ୍ତି। ଦ୍ବିତୀୟ ରାଉଣ୍ଡ୍ରେ ସମୀରଙ୍କ ମୁକାବିଲା ଚାଇନିଜ୍ ତାଇପେ ତାରକା ୱାଙ୍ଗ୍ ଜୁ ୱି’ଙ୍କ ସହ ହେବ। ପୁରୁଷ ବର୍ଗରେ ସମୀରଙ୍କ ବ୍ୟତୀତ ପୂର୍ବତନ ସିଙ୍ଗାପୁର ଓପନ୍ ବିଜେତା ପ୍ରଣୀତ ମଧ୍ୟ ଦ୍ବିତୀୟ ରାଉଣ୍ଡ ପ୍ରହଞ୍ଚିଛନ୍ତି। ସେ ପ୍ରଥମ ରାଉଣ୍ଡ୍ରେ କୋରିଆର ଲି ଡଙ୍ଗ୍ କିଉନ୍ଙ୍କୁ ୨୧-୧୬, ୨୧-୧୪ ସିଧାସଳଖ ଗେମ୍ରେ ପରାସ୍ତ କରିଥିଲା ବେଳେ ଦ୍ବିତୀୟ ରାଉଣ୍ଡ୍ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଇଣ୍ଡୋନେସିଆ ତାରକା ଆନ୍ଥୋନି ସିନିସୁକା ଗିଣ୍ଟିଙ୍ଗ୍ଙ୍କୁ ଭେଟିବେ।
ପୁରୁଷ ଯୁଗଳରେ ସାତ୍ତ୍ବିକ୍-ଚିରାଗ ଯୋଡ଼ି ପ୍ରଥମ ରାଉଣ୍ଡ୍ରେ ନିଜ ଦେଶର ମନୁ ଅତ୍ରି-ବି ସୁମିତ ରେଡ୍ଡୀ ଯୋଡ଼ିକୁ ୨୧-୧୨, ୨୧-୧୬ ସିଧାସଳଖ ଗେମ୍ରେ ପରାସ୍ତ କରି ଦ୍ବିତୀୟ ରାଉଣ୍ଡ୍ ସ୍ଥାନ ସୁରକ୍ଷିତ କରିନେଇଛନ୍ତି। ଏହି ଯୋଡ଼ି ପରର୍ବତୀ ରାଉଣ୍ଡ୍ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଚାଇନିଜ୍ ତାଇପେ ଯୋଡ଼ି ଲି ଜୁନ୍ହାଇ-ଲିଉ ୟୁଚେନ୍ଙ୍କ ସହ ମୁହାଁମୁହିଁ ହେବେ। କିନ୍ତୁ ମହିଳା ଯୁଗଳରେ ଅଶ୍ବିନୀ ପୋନାପ୍ପା-ଏନ୍ ସିକି ରେଡ୍ଡୀ ପରାଜୟ ବରଣ କରିଛନ୍ତି। ପ୍ରଥମ ରାଉଣ୍ଡ୍ରେ ଏହି ଭାରତୀୟ ଯୋଡ଼ି ୧୪-୨୧ ଓ ୧୩-୨୧ରେ କୋରିଆ ଯୋଡ଼ି ବିକ୍ ହା ନା ଓ କିମ୍ ହେ ରିନ୍ଙ୍କଠାରୁ ହାରି ଯାଇଛନ୍ତି।