ପ୍ୟାରିସ୍: ମହିଳା ଏକକ ଭଳି ପୁରୁଷ ଏକକରେ ମଧ୍ୟ ୱିମ୍ବଲଡନ୍ ଓପନ୍କୁ ମିଳିଛି ନୂଆ ବିଜେତା। ରବିବାର ବହୁ ପ୍ରତୀକ୍ଷିତ ପୁରୁଷ ଏକକ ଫାଇନାଲ୍ରେ ୨୩ ବର୍ଷୀୟ ଇଟାଲୀୟ ତାରକା ୟାନିକ୍ ସିନ୍ନର ଦୁଇ ଥର ବିଜେତା ତଥା ୨୨ବର୍ଷୀୟ ସ୍ପେନ୍ର କାର୍ଲୋସ୍ ଆଲକାରାଜଙ୍କୁ ୪-୬, ୬-୪, ୬-୪, ୬-୪ ସେଟ୍ରେ ପରାସ୍ତ କରି ଅଲ୍ଇଂଲଣ୍ଡ ଲନ୍ରେ ପ୍ରଥମ ଥର ଟ୍ରଫି ଧରିବାର ଗୌରବ ଅର୍ଜନ କରିଛନ୍ତି। ପ୍ରଥମ ଓ ଦ୍ବିତୀୟ ସିଡ୍ଙ୍କ ମଧ୍ୟରେ ହୋଇଥିବା ଏହି ମହାଲଢ଼େଇର ପ୍ରଥମ ସେଟ୍କୁ ସିନ୍ନର ହାରିଯାଇଥିଲେ। ତେବେ ପରବର୍ତ୍ତୀ ତିନିଟି ସେଟ୍କୁ ସମାନ ୨ ପଏଣ୍ଟ୍ ବ୍ୟବଧାନରେ ଜିତି ଇତିହାସ ରଚିଥିଲେ।
ୱିମ୍ବଲଡନ୍ ଓପନ୍ ଜିତିବାରେ ସେ ମଧ୍ୟ ପ୍ରଥମ ଇଟାଲୀୟ ଏବଂ ୧୯୬୮ରେ ଓପନ୍ ଏରା ଆରମ୍ଭ ହେବା ପରଠାରୁ ୨୩ତମ ଖେଳାଳି ହୋଇଥିଲେ। ଅନ୍ୟପକ୍ଷରେ ଗତ ଦୁଇ ବର୍ଷ ଏଠାରେ ବିଜେତା ହୋଇଥିବା ଆଲ୍କାରାଜ ୱିମ୍ବଲଡନ୍ ଓପନ୍ରେ ଲଗତାର ୧୮ ବିଜୟ ପରେ ପ୍ରଥମ ପରାଜୟ ବରଣ କରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲେ। ଏହା ପୂର୍ବରୁ ପୋଲାଣ୍ଡର ଇଗା ସ୍ବିତେକ ମହିଳା ବର୍ଗରେ ଆମେରିକାର ଅମଣ୍ଡା ଆନିସସିମୋଭାଙ୍କୁ ୬-୦, ୬-୦ ସିଧାସଳଖ ସେଟ୍ରେ ପରାସ୍ତ କରି ପ୍ରଥମ ଥର ବିଜେତା ହୋଇଥିଲେ। ସେ ମଧ୍ୟ ୱିମ୍ବଲଡନ୍ ଓପନ୍ ଜିତିବାରେ ପୋଲାଣ୍ଡର ପ୍ରଥମ ଖେଳାଳି ହେବାର ରେକର୍ଡ କରିଥିଲେ।