ମେଲବର୍ଣ୍ଣ: ଚତୁର୍ଥ ସିଡ୍‌ ଇଟାଲିର ଜାନିକ୍‌ ସିନ୍ନର ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆନ୍‌ ଓପନ୍‌ ପୁରୁଷ ଏକକରେ ବିଜେତା ହୋଇଛନ୍ତି। ରବିବାର ଖେଳାଯାଇଥିବା ୫ସେଟ୍‌ ବିଶିଷ୍ଟ ଫାଇନାଲ୍‌ରେ ତୃତୀୟ ମାନ୍ୟତା ଖେଳାଳି ରୁଷୀୟ ଖେଳାଳି ଡାନିଏଲ୍‌ ମେଦଭେଦେଭଙ୍କୁ ୩-୬, ୩-୬, ୬-୪, ୬-୪, ୬-୩ ସେଟ୍‌ରେ ପରାସ୍ତ କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦୁଇ ସେଟ୍‌ରେ ଯଦିଓ ସିନ୍ନର ପରାଜିତ ହୋଇଥିଲେ, କିନ୍ତୁ ପରବର୍ତ୍ତୀ ୩ ସେଟ୍‌କୁ ସେ ହାତଛଡ଼ା କରି ନଥିଲେ। ପାଖାପାଖି ୩ଘଣ୍ଟା ୪୫ ମିନିଟ୍‌ ପର୍ଯ୍ୟନ୍ତ ହୋଇଥିବା ଏହି ମ୍ୟାଚ୍‌ ପରେ ସିନ୍ନର ପ୍ରଥମ ଥର ଗ୍ରାଣ୍ଡସ୍ଲାମ୍‌ ବିଜେତା ହୋଇଛନ୍ତି। କିନ୍ତୁ ପୂର୍ବତନ ୟୁଏସ୍‌ ଓପନ୍‌ ବିଜେତା ମେଦଭେଦେଭ ଏଠାରେ ତୃତୀୟ ଥର ପାଇଁ ଫାଇନାଲ୍‌ ଖେଳି ପ୍ରତି ଥର ଉପବିଜେତାରେ ସନ୍ତୁଷ୍ଟ ହୋଇଛନ୍ତି। ୨୦୧୪ ପରଠୁ ପ୍ରଥମ ଥର ପାଇଁ ପୁରୁଷ ଏକକରେ ଜଣେ ନୂଆ ବିଜେତା ଘୋଷିତ ହୋଇଛନ୍ତି। ପୂର୍ବରୁ ନୋଭାକ୍‌ ଜୋକୋଭିକ୍‌, ରାଫେଲ୍‌ ନାଡାଲ୍‌ ଓ ରୋଜର ଫେଡେରର୍‌ ଏହି ଟ୍ରଫି ଉପରେ ଆଧିପତ୍ୟ ବିସ୍ତାର କରିଆସୁଥିଲେ। ଏଥର କିନ୍ତୁ ଜୋକୋଭିକ୍‌ଙ୍କୁ ସେମିଫାଇନାଲ୍‌ରେ ସିନ୍ନର ପରାସ୍ତ କରି ଫାଇନାଲ୍‌ରେ ପ୍ରବେଶ କରିଥିଲେ। ସେହିପରି ମହିଳା ଯୁଗଳରେ ସୁ ୱେଇ ସି ଓ ଏଲିସି ମେର୍ଟେନ୍ସଙ୍କ ଯୋଡ଼ି ୬-୧, ୭-୫ରେ ଜାଲେନା ଓସ୍ତାପେଙ୍କୋ ଓ ଲ୍ୟୁଡମିଲା କିଚେନକ୍‌ଙ୍କ ଯୋଡ଼ିକୁ ଏବଂ ମିଶ୍ରିତ ଯୁଗଳରେ ସୁ ୱେଇ ସି ଓ ଜାନ୍‌ ଜେଲିନସ୍କିଙ୍କ ଯୋଡ଼ି ୬-୭, ୬-୪ ଓ ୧୧-୯ରେ ନିଲ୍‌ ସ୍କୁପସ୍କି ଓ ଡିଜାଏର୍‌ କ୍ରକଜିକ୍‌ଙ୍କ ଯୋଡ଼ିକୁ ହରାଇ ବିଜେତା ହୋଇଛନ୍ତି।