ଭଦୋଦରା: ମାତ୍ର ୮ ମାସ ପୂର୍ବେ ଆଇପିଏଲ୍ ନିଲାମରେ ଅବିଶ୍ୱସନୀୟ ଭାବେ ୨.୬ କୋଟି ଟଙ୍କାରେ ବିକ୍ରି ହୋଇଥିଲେ ହାଇଦ୍ରାବାଦର ୨୩ ବର୍ଷୀୟ କ୍ରିକେଟର ମହମ୍ମଦ ସିରାଜ। ସନ୍ରାଇଜର୍ସ ହାଇଦ୍ରାବାଦ ତାଙ୍କୁ ଏହି ଆଖି ଖୋସି ହେଲାଭଳି ରାଶିରେ କିଣିବା ପରେ ଗରିବ ଅଟୋ ରିକ୍ସା ଚାଳକଙ୍କ ପୁଅ ସିରାଜ ରାତା ରାତି ଭାରତୀୟ କ୍ରିକେଟ୍ର ନୂଆ ନାୟକ ଭାବେ ଉଭା ହୋଇଥିଲେ। ତାଙ୍କୁ ନେଇ ଦେଶ ଏବଂ ଦେଶ ବାହାରେ ହୋଇଥିଲା ଢେର ଚର୍ଚା। ଶନିବାର ସେ ସଫଳତାର ଆଉ ଏକ ଶିଡ଼ି ଚଢ଼ିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେ୍ଵଣ୍ଟି-୨୦ରେ ସିରାଜ ତାଙ୍କ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିଛନ୍ତି। ଏହି ପ୍ରତିଭାବାନ ଦ୍ରୁତ ବୋଲର ଦିଲ୍ଲୀର ଅବସରପ୍ରାପ୍ତ ତାରକା ଆଶିଷ ନେହରାଙ୍କ ସ୍ଥାନରେ ଭାରତୀୟ ଚୂଡ଼ାନ୍ତ ଦଳରେ ସ୍ଥାନ ପାଇଥିଲେ। ମ୍ୟାଚ୍ର ଠିକ୍୍ ପୂର୍ବରୁ ଭାରତୀୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ତାଙ୍କୁ ଜାତୀୟ ଦଳର ଟୋପି ପ୍ରଦାନ କରିଥିଲେ। ସିରାଜ ସେତେବେଳେ ବେଶ ଭାବବିହ୍ଵଳ ହୋଇ ଯାଇଥିଲେ। ତାଙ୍କ ଭାଗ୍ୟକୁ ସେ ଯେମିତି ବିଶ୍ୱାସ କରି ପାରୁ ନଥିଲେ। ଦୁଇ ଦଳ ଯେତେବେଳେ ପଡ଼ିଆରେ ଠିଆ ହୋଇଥିଲେ ସେତେବେଳେ ସିରାଜ ଆଉ ନିଜ ଭାବନାକୁ ରୋକି ପାରି ନଥିଲେ। ପ୍ରଥମ ଥର ଭାରତୀୟ ଦଳର ପୋଷାକ ପିନ୍ଧିଥିବା ସିରାଜ ଜାତୀୟ ସଂଗୀତ ଗାନ ବେଳେ ଭୋ ଭୋ ହୋଇ କାନ୍ଦି ପକାଇଥିଲେ। ସିରାଜ ୨୦୧୬-୧୭ ରଣଜୀ ଟ୍ରଫି ଏବଂ ଅନ୍ତଃ ରାଜ୍ୟ ଟେ୍ଵଣ୍ଟି-୨୦ରେ ଚମତ୍କାର ପ୍ରଦର୍ଶନ କରିବା ସହ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଗତବର୍ଷ ଆଇପିଏଲରେ ୧୦ ଓ୍ଵିକେଟ୍ ଅକ୍ତିଆର କରିଥିଲେ। ଏହା ପରେ ତାଙ୍କୁ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିବା ଭାରତୀୟ ‘ଏ’ ଦଳରେ ସ୍ଥାନ ମିଳିଥିଲା। ସେ ମଧ୍ୟ ଭାରତୀୟ ‘ଏ’ ଦଳରେ ସ୍ଥାନ ପାଇ ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷ ଘରୋଇ ଶୃଙ୍ଖଳା ଖେଳିଥିଲେ। ଏହି ଶୃଙ୍ଖଳାରେ ସେ ୧୮.୭୩ ହାରରେ ୨୬ ଓ୍ଵିକେଟ୍ ଅକ୍ତିଆର କରିଥିଲେ। ହାଇଦ୍ରାବାଦର ଗଳି କନ୍ଦିରେ ଟେନିସ୍ ବଲ୍ କ୍ରିକେଟ୍ ଖେଳି ଖେଳି ଜାତୀୟ ଦଳରେ ସ୍ଥାନ ପାଇଥିବା ସିରାଜ ଏକ ଅତ୍ୟନ୍ତ ଗରିବ ପରିବାରୁ ଆସିଛନ୍ତି। ତାଙ୍କ ପିତା ଗୌସ୍ ମହମ୍ମଦ ଅଟୋ ରିକ୍ସା ଚଳାଇ ବହୁ କଷ୍ଟରେ ସିରାଜଙ୍କୁ ବଡ଼ କରିଛନ୍ତି। ଘୋର ଆର୍ଥିକ ଅନଟନ ସତ୍ତ୍ୱେ ନିଜେ ନଖାଇ ନ ପିଇ ସିରାଜଙ୍କୁ କ୍ରିକେଟ୍ ପ୍ରଶିକ୍ଷଣ ଦେବା ଚାଲୁ ରଖିଥିଲେ। ଆଇପିଏଲ୍ ତାରକା ହେବା ପୂର୍ବରୁ ସିରାଜଙ୍କ ପରିବାର ବଞ୍ଜାର ହିଲ୍ସର ଭଡ଼ା ଘରେ ରହୁଥିଲେ।
କାନ୍ଦି ପକାଇଲେ ସିରାଜ
ଅଟୋ ଚାଳକଙ୍କ ଅନ୍ତର୍ଜାତୀୟ କ୍ରିକେଟର ପୁଅ
/sambad/media/post_attachments/wp-content/uploads/2017/11/Siraj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)