ଆଇସିସି ମାସର ଶ୍ରେଷ୍ଠ ଖେଳାଳି ଆଶାୟୀ ତାଲିକାରେ ସିରାଜ, ଗିଲ୍‌

ଦୁବାଇ: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ଓ ଯୁବ ପ୍ରାରମ୍ଭିକ ବ୍ୟାଟର ଶୁବମନ ଗିଲ୍‌ ଆଇସିସିର ମାସର ଶ୍ରେଷ୍ଠ ଖେଳାଳି ଆଶାୟୀଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ମଙ୍ଗଳବାର ଘୋଷିତ ଏହି ତାଲିକାରେ ନ୍ୟୁଜିଲାଣ୍ଡ ବ୍ୟାଟର ଡେଭନ କନୱେ ତୃ୍ତୀୟ ସ୍ଥାନରେ ରହିଛନ୍ତି। ଗିଲ୍‌ ଶ୍ରୀଲଙ୍କା ବିପକ୍ଷରେ ମୁମ୍ବାଇରେ ଟ୍ବେଣ୍ଟି-୨୦ ପଦାର୍ପଣ କରିଥିଲେ। ତେବେ ଏହି ଫର୍ମାଟ୍‌ ତାଙ୍କ ପାଇଁ ସେତେଟା ଭଲ ଯାଇନଥିଲେ ବି ଦିନିକିଆରେ ଯଥାକ୍ରମେ ୭୦, ୨୧ ଓ ୧୧୬ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୧୪୯ ବଲ୍‌ରୁ ୨୦୮ ରନ୍‌ର ଦ୍ବିଶତକୀୟ ପାଳି ସବୁଠୁ ଚିତାକର୍ଷକ ଥିଲା। ପରବର୍ତ୍ତୀ ଦୁଇ ମ୍ୟାଚ୍‌ରେ ୪୦* ଓ ୧୧୨ ରନ୍‌ ସଂଗ୍ରହ କରି ପାକିସ୍ତାନର ବାବର ଆଜମ୍‌ଙ୍କୁ ପଛରେ ପକାଇଥିଲେ। ଅନ୍ୟପକ୍ଷରେ ସିରାଜ ଆଇସିସି ଖେଳାଳି ମାନ୍ୟତାରେ ୧ ନମ୍ବର ବୋଲର ବିବେଚିତ ହୋଇଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ସେ ୨/୩୦ରୁ ଆରମ୍ଭ କରିବା ପରେ ଦ୍ବିତୀୟ ଓ ତୃତୀୟ ମ୍ୟାଚ୍‌ରେ ଯଥାକ୍ରମେ ୩/୩୦ ଓ ୪/୩୨ରେ ଶେଷ କରିଥିଲେ। ଏହାଫଳରେ ଶୃଙ୍ଖଳାରେ ସେ ସର୍ବାଧିକ ୱିକେଟ୍‌ ହାସଲକାରୀ ହୋଇପାରିଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷରେ ହାଇଦ୍ରାବାଦ୍‌ରେ ୪/୪୬ ପ୍ରଦର୍ଶନ ତାଙ୍କୁ ମାସର ଶ୍ରେଷ୍ଠ ଖେଳାଳିଙ୍କ ତାଲିକାକୁ ଆଣିବା ପାଇଁ ଯଥେଷ୍ଟ ଥିଲା।

ସମ୍ବନ୍ଧିତ ଖବର