ସିରାଜ ପୁଣି ଜାତିଆଣ ଆକ୍ଷେପର ଶିକାର; ଏସ୍‌ସିଜିରୁ ୬ ଦର୍ଶକ ତଡ଼ା ଖାଇଲେ

ବରଦାସ୍ତ କରିବୁନି: ବିସିସିଆଇ

ସିଡ୍‌ନି: ସିଡ୍‌ନି ଟେଷ୍ଟ୍‌ର ଚତୁର୍ଥ ଦିନରେ ମଧ୍ୟ ବିଶୃଙ୍ଖଳିତ ଅଷ୍ଟ୍ରେଲୀୟ ଦର୍ଶକଙ୍କ ଅଶୋଭନୀୟ ଆଚରଣ ଦେଖିବାକୁ ମିଳିଛି। ଏହି ଘଟଣାବହୁଳ ଟେଷ୍ଟ୍ ମ୍ୟାଚ୍‌ର ତୃତୀୟ ଦିନରେ କିଛି ସ୍ଥାନୀୟ ଦର୍ଶକ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ଏବଂ ଯଶପ୍ରୀତ ବୁମ୍‌ରାଙ୍କୁ ରଙ୍ଗଭେଦ ଆକ୍ଷେପ କରିଥିଲେ। ରବିବାର ଚତୁର୍ଥ ଦିନରେ ମଧ୍ୟ ସେମାନଙ୍କର ଏହି କଳା କାରନାମା ଜାରି ରହିଥିଲା। ବର୍ଣ୍ଣବୈଷମ୍ୟ କେଳେଙ୍କାରୀ ପାଇଁ ବଦନାମ ସିଡ୍‌ନି ଦର୍ଶକଙ୍କ ଏଭଳି ନିନ୍ଦନୀୟ ବ୍ୟବହାର ସମଗ୍ର କ୍ରିକେଟ୍ ଦୁନିଆରେ କିନ୍ତୁ ଆଲୋଡ଼ନ ସୃଷ୍ଟି କରିଥିଲା। ଆଜି ଅଷ୍ଟ୍ରେଲିଆ ଦ୍ବିତୀୟ ପାଳିର ୮୬ତମ ଓଭରରେ ଏହି ଦୁଃଖଦ ଓ ଅସ୍ବାଭାବିକ ଘଟଣା ଘଟିଥିଲା। ସିରାଜଙ୍କୁ କିଛି ଦର୍ଶକ ‘କଶରା କୁକୁର’ ଓ ‘ବଡ଼ ମାଙ୍କଡ଼’ ଭଳି ଅପମାନଜନକ କଟାକ୍ଷ କରିଥିଲେ। ଯାହାକୁ ଭାରତୀୟ ଖେଳାଳି ତୀବ୍ର ବିରୋଧ କରିବା ସହ ତୁରନ୍ତ ଅମ୍ପାୟାରଙ୍କ ଧାନ ଆକର୍ଷଣ କରିଥିଲେ। ଏଥିପାଇଁ କିଛି ସମୟ ଖେଳ ମଧ୍ୟ ବନ୍ଦ ରହିଥିଲା। ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ବରେ ଭାରତୀୟ ଖେଳାଳି ଅମ୍ପାୟାରଙ୍କୁ ଏହି ବିଷୟ ଜଣାଇବା ପରେ ଷ୍ଟାଡିୟମ୍ ସୁରକ୍ଷାକର୍ମୀ ସିଡ୍‌ନି ପଡ଼ିଆର ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଯାଇ ହୋହଲ୍ଲା କରିବା ସହ ଭାରତୀୟ ଖେଳାଳିଙ୍କୁ ଟାହି ଟାପରା ଏବଂ ଜାତିଆଣ ମନ୍ତବ୍ୟ ଦେଉଥିବା ଉତ୍‌ଶୃଙ୍ଖଳିତ ଦର୍ଶକଙ୍କୁ ପଡ଼ିଆ ବାହାରକୁ ନେଇ ଯାଇଥିଲେ। ଶନିବାର ପ୍ରଥମ ଥର ଏଭଳି ଘଟଣା ଘଟିବା ପରେ ଭାରତୀୟ ଦଳ ଏଥିନେଇ ଆନୁଷ୍ଠାନିକ ଅଭି‌ଯୋଗ କରିଥିଲା। ମ୍ୟାଚ୍ ରେଫରିଙ୍କ ନିକଟରେ ଲିଖିତ ପ୍ରତିବାଦ ବି କରିଥିଲା। ବିସିସିଆଇ ମଧ୍ୟ ଏହି ମାମଲାକୁ ଆଇସିସିକୁ ଜଣାଇଥିଲା। ତଥାପି ଚତୁର୍ଥ ଦିନରେ ଭାରତୀୟ ଖେଳାଳି ଏଭଳି ଅପମାନର ସମ୍ମୁଖୀନ ହେବା ସାରା ବିଶ୍ବର କ୍ରିକେଟ୍‌ପ୍ରେମୀ ଏବଂ ପୂର୍ବତନ କ୍ରିକେଟରଙ୍କୁ କ୍ଷୁବ୍ଧ କରିଛି। ଏଭଳି ଦର୍ଶକଙ୍କୁ ଆଜୀବନ ବାସନ୍ଦ କରିବାକୁ ଅଷ୍ଟ୍ରେଲିଆର କିଛି କ୍ରିକେଟର ମଧ୍ୟ ଖୋଲା‌ଖୋଲି ଦାବି କରିଛନ୍ତି। ଆଇସିସି ସେପଟେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ କ୍ରିକେଟ୍ ଅଷ୍ଟ୍ରେଲିଆକୁ କହିଛି। ତୃତୀୟ ଦିନରେ ଏଭଳି ଅପ୍ରୀତିକର ଘଟଣା ଘଟି ସାରିଥିଲା ବେଳେ କ୍ରିକେଟ୍ ଅଷ୍ଟ୍ରେଲିଆ ଓ ଆଇସିସି ଚତୁର୍ଥ ଦିନର ଖେଳ ବେଳେ କାହିଁକି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କଲେ ନାହିଁ? ବୋଲି ସାଧାରଣ କ୍ରିକେଟ୍‌ପ୍ରେମୀ ପ୍ରଶ୍ନ କରିଛନ୍ତି।

କ୍ଷମା ମାଗିଲା କ୍ରିକେଟ୍ ଅଷ୍ଟ୍ରେଲିଆ
ସିଡ୍‌ନି ଟେଷ୍ଟ୍‌ର ଚତୁର୍ଥ ଦିନରେ ସ୍ଥାନୀୟ ଦର୍ଶକ ଅଭାବନୀୟ ରଙ୍ଗଭେଦ ଟିପ୍ପଣୀ ଦେବା ପରେ କ୍ରିକେଟ୍ ଅଷ୍ଟ୍ରେଲିଆ ମାମଲାର ଆନୁଷ୍ଠାନିକ ତଦନ୍ତ ଆରମ୍ଭ କରିଛି। ତା’ ସହ ଏଭଳି ଘଟଣାକୁ କଡ଼ା ଶବ୍ଦରେ ନିନ୍ଦା କରିଛି। ଆଇସିସି ମଧ୍ୟ ମାମଲାର ତଦନ୍ତ ଜାରି ରଖିଛି। କ୍ରିକେଟ୍ ଅଷ୍ଟ୍ରେଲିଆ ପ୍ରକାଶ କରିଥିବା ପ୍ରେସ୍ ବିଜ୍ଞପ୍ତିରେ କହିଛି ‘‘ଆମେ ଆଇସିସିର ତଦନ୍ତ ରିପୋର୍ଟକୁ ଅପେକ୍ଷା କରିଛୁ। ଘଟଣାରେ ଜଡ଼ିତ ଅଭିଯୁକ୍ତ ଚିହ୍ନଟ ହୋଇ ସାରିବା ପରେ ଆମେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ସେଥିମଧ୍ୟରେ ଲମ୍ବା ବାସନ୍ଦାଦେଶ, ଜରିମନା ଏବଂ ନ୍ୟୁ ସାଉଥ୍ ୱେଲ୍ସ ପୁଲିସକୁ ମାମଲା ହସ୍ତାନ୍ତର କରିବା ଅନ୍ତର୍ଭୁକ୍ତ ରହିଛି। ଆୟୋଜକ ଭାବେ ଆମେ ଭାରତୀୟ ବନ୍ଧୁମାନଙ୍କୁ କ୍ଷମା‌ ମାଗୁଛୁ। ଏକଥା‌ ମଧ୍ୟ ନିର୍ଭର ପ୍ରତିଶ୍ରୁତି ଦେଉଛୁ ଯେ ଆମେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ଏସ୍‌ସିଜିରେ ଆମେ ସମସ୍ତଙ୍କୁ ଖୋଲା ହୃଦୟରେ ସ୍ବାଗତ କରୁ। ଅଭିଯୁକ୍ତଙ୍କୁ ଆମେ କେବଳ ଏସ୍‌ସିଜି ନୁହଁ, ନ୍ୟୁ ସାଉଥ ୱେଲ୍ସର ସମସ୍ତ ପଡ଼ିଆରୁ ବାସନ୍ଦ କରିବା କଥା ଚିନ୍ତା କରୁଛୁ’’।

ଏସ୍‌ସିଜିରୁ ୬ ଦର୍ଶକ ତଡ଼ା ଖାଇଲେ
ଭାରତୀୟ ଦଳର ଅଭିଯୋଗ ପରେ ସିରାଜ୍‌ଙ୍କୁ ଜାତିଆଣ ମନ୍ତବ୍ୟ ଦେଇଥିବା ଅଭଦ୍ର ଦର୍ଶକଙ୍କ ମଧ୍ୟରୁ ୬ ଜଣଙ୍କୁ ସିଡ୍‌ନି କ୍ରିକେଟ୍ ପଡ଼ିଆ (ଏସ୍‌ସିଜି)ର ସୁରକ୍ଷାକର୍ମୀ ଚିହ୍ନଟ କରିବା ସହ ସେମାନଙ୍କୁ ଷ୍ଟାଡିୟମ୍‌ରୁ ବିଦା କରି ଦେଇଥିଲେ। ଏହା ପରେ ଖେଳ ଆରମ୍ଭ ‌ହୋଇଥିଲା। ଏହି ଦର୍ଶକଙ୍କ ବିରୋଧରେ କ୍ରିକେଟ୍ ଅଷ୍ଟ୍ରେଲିଆ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଘଟଣାକୁ ନେଇ କ୍ରିକେଟ୍ ଅଷ୍ଟ୍ରେଲିଆର ସଂହତି ଏବଂ ସୁରକ୍ଷା ମୁଖ୍ୟ ସିନ୍ କ୍ୟାରୋଲ ବିଜ୍ଞପ୍ତି ଜାରି କରି ଏହି ମାମଲାରେ ସ୍ଥାନୀୟ ପୁଲିସ ଏବଂ କ୍ରିକେଟ୍ ଅଷ୍ଟ୍ରେଲିଆ ତଦନ୍ତ ଆରମ୍ଭ କରିଥିବା ସୂଚନା ଦେଇଥିଲେ। ଏଭଳି ବ୍ୟବହାରକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରି ଦେଇଥିଲେ।

କାର୍ଯ୍ୟାନୁଷ୍ଠାନ ପାଇଁ ଆଇସିସିର ନିର୍ଦ୍ଦେଶ
ସିଡ୍‌ନି ଦର୍ଶକ ଭାରତୀୟ ଖେଳାଳିଙ୍କୁ ଜାତିଆଣ ମନ୍ତବ୍ୟ ଦେବା ଘଟଣାକୁ ଆଇସିସି ତୀବ୍ର ସମାଲୋଚନା କରିଛି। ସେହିଭଳି ମାମଲାରେ ନେଇଥିବା ପଦକ୍ଷେପ ବିଷୟରେ ବିସ୍ତୃତ ବିବରଣୀ ଦେବାକୁ କ୍ରିକେଟ୍ ଅଷ୍ଟ୍ରେଲିଆକୁ ନିର୍ଦ୍ଦେଶ ଦେଇଛି। ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ମନୁ ସହନି ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ ଆଇସିସି ଏଭଳି ଅଶୋଭନୀୟ ଆଚରଣକୁ କଡ଼ା ଶବ୍ଦରେ ସମାଲୋଚନା କରୁଛି। କ୍ରିକେଟ୍‌ରେ ଭେଦଭାବ, ପାତର ଅନ୍ତର ଏବଂ ରଙ୍ଗଭେଦ ଟିପ୍ପଣୀର କୌଣସି ସ୍ଥାନ ନାହିଁ। ଆମେ ଅତ୍ୟନ୍ତ ଦୁଃଖିତ ଯେ କିଛି ହାତଗଣତି ଦର୍ଶକ ଭାବୁଛନ୍ତି ଯେ ସେମାନଙ୍କ ଏଭଳି ବ୍ୟବହାର ଗ୍ରହଣୀୟ। ଆମେ ରଙ୍ଗଭେଦ ଦୂର କରିବା ଲାଗି ସ୍ବତନ୍ତ୍ର ନୀତି ନିୟମ ପ୍ରଣୟନ କରିଛୁ। ଏହାକୁ ସବୁସଦସ୍ୟ ମାନିବା ବାଧ୍ୟତାମୂଳକ। କ୍ରିକେଟ୍ ଅଷ୍ଟ୍ରେଲିଆ ନେଉଥିବା ଏବଂ ନେବାକୁ ଥିବା କାର୍ଯ୍ୟାନୁଷ୍ଠାନକୁ ଆମେ ପୂର୍ଣ୍ଣ ସମର୍ଥନ କରିବୁ। ଆଇସିସି ଭେଦଭାବ ନିରୋଧୀ ନିୟମ ଅନୁସାରେ କ୍ରିକେଟ୍ ଅଷ୍ଟ୍ରେଲିଆ ଏବେ ମାମଲାର ପୃଥକ ତଦନ୍ତ କରି ଆଇସିସିକୁ ଜଣାଇବ। ସେହିଭଳି ନେଇଥିବା କାର୍ଯ୍ୟାନୁଷ୍ଠାନର ବିବରଣୀ ମଧ୍ୟ ଦେବ।

ଆଜୀବନ ବାସନ୍ଦ ପାଇଁ ହସିଙ୍କ ଆହ୍ବାନ
ଭାରତୀୟ ଖେଳାଳିଙ୍କୁ ବର୍ଣ୍ଣବୈଷମ୍ୟ ମନ୍ତବ୍ୟ ଦେଇଥିବା ଦର୍ଶକଙ୍କୁ ଆଜୀବନ ବାସନ୍ଦ କରିବାକୁ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ମାଇକେଲ୍ ହସି ଆହ୍ବାନ କରିଛନ୍ତି। ଏଭଳି ବ୍ୟବହାରକୁ କୌଣସି ପରିସ୍ଥିତିରେ ଗ୍ରହଣ ନକରିବାକୁ ସେ କ୍ରିକେଟ୍ ଅଷ୍ଟ୍ରେଲିଆକୁ ପରାମର୍ଶ ଦେଇଛନ୍ତି। ଅନ୍ୟ କେତେକ ପୂର୍ବତନ କ୍ରିକେଟର ମଧ୍ୟ କ୍ରି‌କେଟ୍‌ରେ ଏଭଳି ବ୍ୟବହାରର କୌଣସି ସ୍ଥାନ ନାହିଁ ବୋଲି ମତ ‌ଦେଇଛନ୍ତି। ସେପଟେ ଅଷ୍ଟ୍ରେଲିଆ ଅଧିନାୟକ ଟିମ୍ ପେନ୍ ଏହି ଘଟଣାରେ ଭାରତୀୟ ଖେଳାଳିଙ୍କୁ ନୈତିକ ସମର୍ଥନ ଦେଇଥିବାରୁ ହସି ତାଙ୍କୁ ପ୍ରଶଂସା କରିଛନ୍ତି। ଏହି ଘଟଣାକୁ ନେଇ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗର ଦୁଃଖ ପ୍ରକାଶ କରିଛନ୍ତି। ପୂର୍ବତନ ଓ ସାଂପ୍ରତିକ ଭାରତୀୟ କ୍ରିକେଟର ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ କ୍ରିକେଟ୍ ଅଷ୍ଟ୍ରେଲିଆ ଏବଂ ଆଇସିସିକୁ କହିଛନ୍ତି।

ଉପଦ୍ରବ ଓ ଅଭଦ୍ରାମୀର ଚରମସୀମା, ମୁଁ ଅନେକବାର ଏହାର ସମ୍ମୁଖୀନ ହୋଇଛି: କୋହଲି

The Indian Express

ସିଡ୍‌ନି କ୍ରିକେଟ୍ ପଡ଼ିଆରେ ଭାରତୀୟ ଖେଳାଳି ସମ୍ମୁଖୀନ ହୋଇଥିବା ବର୍ଣ୍ଣବୈଷମ୍ୟ ଆକ୍ଷେପକୁ ଅଧିନାୟକ ବିରାଟ କୋହଲି ଉପଦ୍ରବ ଏବଂ ଅଭଦ୍ରାମୀର ଚରମସୀମା ଭାବେ ବର୍ଣ୍ଣନା କରିଛନ୍ତି। ‌ଅତୀତରେ ବ୍ୟକ୍ତିଗତ ଭାବେ ସେ ଅନେକ ଥର ଏଭଳି ଅପମାନର ଶିକାର ହୋଇଥିବା ମଧ୍ୟ ସୂଚନା ଦେଇଛନ୍ତି। ୨୦୧୧-୧୨ ଗସ୍ତରେ ସିଡ୍‌ନି ଦର୍ଶକ ତାଙ୍କୁ ନିୟମିତ କଟାକ୍ଷ, ଟାହି ଟାପରା ଏବଂ ଜାତିଆଣ ଆକ୍ଷେପ କରିଥିଲେ ବୋଲି କୋହଲି ଅଭିଯୋଗ କରିଛନ୍ତି। କୋହଲି ଆଜି ଟ୍ବିଟ୍ କରିଥି‌ଲେ ଯେ ଜାତିଆଣ ଆକ୍ଷେପ ଆଦୌ ଗ୍ରହଣୀୟ ନୁହେଁ। ଏସ୍‌ସିଜିର ସୀମାରେଖା ପାଖରେ କ୍ଷେତ୍ରରକ୍ଷଣ କରୁଥିଲା ବେଳେ ଅତୀତରେ ମୁଁ ଅନେକ କୁତ୍ସିତ କଥା ଶୁଣିଛି। ଏହା ଅଭଦ୍ରାମୀର ଚରମ ସୀମାଠାରୁ ଅନ୍ୟ କିଛି ନୁହେଁ। ପଡ଼ିଆ ଭିତରେ ଏଭଳି ଘଟଣା ଘଟୁଥିବା ଦେଖି ବହୁତ ଦୁଃଖ ଲାଗୁଛି। ମାମଲାର ତୁରନ୍ତ ତଦନ୍ତ କରିବା ସହ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି। ଭାରତୀୟ ସ୍ପିନର ହରଭଜନ ସିଂହ ମଧ୍ୟ କୋହଲିଙ୍କ ସହ ଏକମତ ହୋଇଛନ୍ତି। ଅଷ୍ଟ୍ରେଲିଆରେ ଖେଳୁଥିଲା ବେଳେ ମୋ ଜାତି, ଧର୍ମ ଏବଂ ରଙ୍ଗକୁ ନେଇ ଅନେକ କଟାକ୍ଷ ଶୁଣିଛି ବୋଲି ଭଜି ନିଜ ଟ୍ବିଟର ପୃଷ୍ଠାରେ ଲେଖିଛନ୍ତି। ପୂର୍ବତନ ଭାରତୀୟ ଅଲରାଉଣ୍ଡର ଇର୍ଫାନ ପଠାନ ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଖେଳାଳିଙ୍କୁ ସମ୍ମାନ ଦେବା ଶିଖି ନଥିଲେ ପଡ଼ିଆକୁ ଆସନାହିଁ ବୋଲି ସିଡ୍‌ନିର ସେହି ବିଶୃଙ୍ଖଳିତ ଦର୍ଶକକୁ କହିଛନ୍ତି। ପୂର୍ବତନ ଭାରତୀୟ କ୍ରିକେଟର୍‌ ସୁରେଶ ରାଇନା, ବୀରେନ୍ଦ୍ର ସେହବାଗ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଆଇସିସି ଓ କ୍ରିକେଟ୍ ଅଷ୍ଟ୍ରେଲିଆକୁ ଆହ୍ବାନ କରିଛନ୍ତି। ସେପଟେ ଅଷ୍ଟ୍ରେଲିଆରେ ଅନେକ ଥର ଏଭଳି ବ୍ୟବହାରର ସମ୍ମୁଖୀନ ହୋଇଥିବା ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ ମଧ୍ୟ କହିଛନ୍ତି। ଏବେ ଏଭଳି ଉପଦ୍ରବୀ ଦର୍ଶକଙ୍କ ବିରୋଧରେ ଲୁହା ଛାଟ ଚଳାଇବାର ସମୟ ଆସି ଯାଇଛି ବୋଲି ସେ ମତ ରଖିଛନ୍ତି।

ସମ୍ବନ୍ଧିତ ଖବର