ସିରାଜ୍‌ ହେଲେ ବିଶ୍ବର ଏକ ନମ୍ବର ବୋଲର; କୋହଲିଙ୍କୁ ପଛରେ ପକାଇଲେ ଗିଲ୍‌

ଦୁବାଇ: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ମିଳିଯାଇଛି ବଡ଼ ସମ୍ମାନ। ଏହି ଭାରତୀୟ ତାରକା ଏବେ ବିଶ୍ବ ମାନ୍ୟତାର ଏକ ନମ୍ବର ବୋଲର ବିବେଚିତ ହୋଇଛନ୍ତି। ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି) ପକ୍ଷରୁ ବୁଧବାର ପ୍ରକାଶିତ ଦିନିକିଆ ଆନ୍ତର୍ଜାତିକ ବୋଲରଙ୍କ ମାନ୍ୟତାରେ ସିରାଜ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ବିଶେଷକରି ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଘରୋଇ ଶୃଙ୍ଖଳାରେ ମୋଟ ୧୪ ୱିକେଟ୍‌ ଅକ୍ତିଆର କରିବା ହିଁ ସିରାଜଙ୍କୁ ଏହି ସମ୍ମାନ ଦେଇଛି। ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳାରେ ୯ ୱିକେଟ୍‌ ନେବା ପରେ ସେ ଆଇସିସି ବୋଲରଙ୍କ ମାନ୍ୟତାରେ ତୃତୀୟ ସ୍ଥାନକୁ ଲମ୍ଫ ମାରିଥିଲେ।

ଏବେ ମଙ୍ଗଳବାର ଶେଷ ହୋଇଥିବା ନ୍ୟୁଜିଲାଣ୍ଡ୍‌ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଘରୋଇ ଦିନିକିଆ ଶୃଙ୍ଖଳାରେ ଦମ୍‌ଦାର ପ୍ରଦର୍ଶନ ତାଙ୍କୁ ଏକ ନମ୍ବର ବୋଲର କରିଛି। ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଶୃଙ୍ଖଳାକୁ ୩-୦ରେ ମୂ‌ଳପୋଛ କରି ଭାରତ ବିଶ୍ବ ମାନ୍ୟତାର ଏକ ନମ୍ବର ଦିନିକିଆ ଦଳ ହୋଇଯାଇଥିଲା ବେଳେ ପ୍ରଥମ ଦୁଇଟି ମ୍ୟାଚ୍‌ ଖେଳିଥିବା ୨୮ ବର୍ଷ ବୟସ୍କ ସିରାଜ ୫ ୱିକେଟ୍‌ ଅକ୍ତିଆର କରିଥିଲେ। ତାଙ୍କର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ଥିଲା ୪/୪୬। ଯାହାକୁ କି ସେ ନିଜ ଘରୋଇ ଗ୍ରାଉଣ୍ଡ୍‌ ହାଇଦ୍ରାବାଦରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ପାଇଥିଲେ।

ଏହାପରେ ଦ୍ବିତୀୟ ମ୍ୟାଚ୍‌ରେ ଗୋଟିଏ ୱିକେଟ୍‌ ନେଇଥିଲେ। ତେବେ ନ୍ୟୁଜିଲାଣ୍ଡ ଶୃଙ୍ଖଳା ପୂର୍ବରୁ ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ମଧ୍ୟ ତାଙ୍କ ପ୍ରଭାବୀ ବୋଲିଂ ଯୋଗୁଁ ଭାରତ ୩-୦ରେ ମୂଳପୋଛ ବିଜୟ ପାଇଥିଲେ। ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳାରେ ସିରାଜ ମୋଟ ୯ ୱିକେଟ୍‌ ଅକ୍ତିଆର କରିଥିଲେ। ସିରାଜଙ୍କ ପୂର୍ବରୁ ଆଇସିସି ମାନ୍ୟତାର ଦିନିକିଆରେ ଏକ ନମ୍ବର ବୋଲର ହେବାର ସମ୍ମାନ ଅନ୍ୟ ଭାରତୀୟଙ୍କ ମଧ୍ୟରେ କିଂବଦନ୍ତି କପିଳ ଦେବ, ମନିନ୍ଦର ସିଂହ, ଅନିଲ କୁମ୍ବଲେ, ରବୀନ୍ଦ୍ର ଜାଦେଜା ଏବଂ ଯଶ୍‌ପ୍ରୀତ୍‌ ବୁମ୍‌ରାଙ୍କୁ ମିଳିଥିଲା। ତେଣୁ ଏକ୍ଷେତ୍ରରେ ସିରାଜ ଷଷ୍ଠ ଭାରତୀୟ ହେବାର ଗୌରବ ବହନ କରିଛନ୍ତି।

ଅନ୍ୟପକ୍ଷରେ ସିରାଜଙ୍କ ନୂଆ ବଲ୍‌ ସାଥୀ ମହମ୍ମଦ ସାମି ମଧ୍ୟ ଆଇସିସି ବୋଲରଙ୍କ ମାନ୍ୟତାରେ ଲମ୍ଫ ମାରିଛନ୍ତି। ନ୍ୟୁଜିଲାଣ୍ଡ୍‌ ବିପକ୍ଷ ପ୍ରଥମ ଦୁଇ ମ୍ୟାଚ୍‌ରେ ୪ ୱିକେଟ୍‌ ଅକ୍ତିଆର କରିଥିବା ସାମି ୧୧ ସ୍ଥାନ ଉଠି ୩୨ତମ ସ୍ଥାନରେ ପହଞ୍ଚିଛନ୍ତି। ସେହିପରି ବାମହାତୀ କଚଟି ସ୍ପିନର କୁଲ୍‌ଦୀପ ଯାଦବ ଏବଂ ପେସ୍‌ ବୋଲର ଶା‌ର୍ଦୁଲ ଠାକୁର ପ୍ରତ୍ୟେକ ନ୍ୟୁଜିଲାଣ୍ଡ୍‌ ଶୃଙ୍ଖଳାରେ ୬ ଲେଖାଏଁ ୱିକେଟ୍‌ ଦଖଲ କରି ମାନ୍ୟତାରେ ଉନ୍ନତି ଆଣିଛନ୍ତି। କୁଲ୍‌ଦୀପ ୨୧ରୁ ୧୯ ଏବଂ ଶାର୍ଦୁଲ ୪୦ରୁ ୩୫ତମ ସ୍ଥାନକୁ ଲମ୍ଫ ମାରିଛନ୍ତି।

କୋହଲିଙ୍କୁ ପଛରେ ପକାଇଲେ ଗିଲ୍‌
ଆଇସିସି ବ୍ୟାଟରଙ୍କ ମାନ୍ୟତାରେ ଭାରତୀୟ ଯୁବ ଓପ୍‌ନର ଶୁବମନ ଗିଲ୍‌ ବଡ଼ ସଫଳତା ହାତେଇଛନ୍ତି। ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ଗୋଟିଏ ଦ୍ବିତଶତକ ଓ ଗୋଟିଏ ଶତକ ସହିତ ମୋଟ ୩୬୦ ରନ୍‌ କରି ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିବା ଗିଲ୍‌ ପ୍ରଥମ ଥର ଲାଗି ଆଇସିସି ଦିନିକିଆ ବ୍ୟାଟର୍‌ଙ୍କ ମାନ୍ୟତାରେ ଶୀର୍ଷ-୧୦ ମଧ୍ୟରେ ସ୍ଥାନ ଅକ୍ତିଆର କରିଛନ୍ତି। ସେ ମୋଟ ୨୦ ସ୍ଥାନ ଉଠି ସଦ୍ୟ ପ୍ରକାଶିତ ମାନ୍ୟତାର ଷଷ୍ଠ ସ୍ଥାନ ପାଇଛନ୍ତି। ଏହିକ୍ରମରେ ସେ ମଧ୍ୟ ବିରାଟ କୋହଲିଙ୍କୁ ପଛ‌କୁ ଠେଲି ଦେଇଛନ୍ତି। କୋହଲି ସପ୍ତମରେ ରହିଥିଲା ବେଳେ ଗିଲ୍‌ ଶ୍ରେଷ୍ଠ ମାନ୍ୟତାପ୍ରାପ୍ତ ଭାରତୀୟ ହୋଇଯାଇଛନ୍ତି। ଅଧିନାୟକ ରୋହିତ ଶର୍ମା ୨ଟି ସ୍ଥାନ ଉଠିଥିଲେ ମଧ୍ୟ ଅଷ୍ଟମରେ ରହିଛନ୍ତି।

ଅନ୍ୟପକ୍ଷରେ ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ହାର୍ଦିକ୍‌ ପାଣ୍ଡ୍ୟା ତିନିଟିଯାକ ଫର୍ମାଟ୍‌ ମାନ୍ୟତାରେ ଅଗ୍ରଗତି କରିଛନ୍ତି। ସେ ବ୍ୟାଟରଙ୍କ ମାନ୍ୟତା ତାଲିକାରେ ୬ ସ୍ଥାନ ଉଠି ୭୫ରେ ପହଞ୍ଚିଥିଲା ବେଳେ ବୋଲରଙ୍କ ତାଲିକାରେ ୨୬ ସ୍ଥାନ ଫାଇଦା ପାଇ ୮୦ ଏବଂ ଅଲ୍‌ରାଉଣ୍ଡରଙ୍କ ମାନ୍ୟତା ତାଲିକାରେ ୩୨ରୁ ଉଠି ୧୭ରେ ପହଞ୍ଚି ଯାଇଛନ୍ତି।

ସମ୍ବନ୍ଧିତ ଖବର