ଲଣ୍ଡନ: ଭାରତ ପାଖରେ ଏହାର ଶ୍ରେଷ୍ଠ ବ୍ୟାଟର୍ ବିରାଟ କୋହଲି ନ ଥିଲେ, ଅଭିଜ୍ଞ ଅଧିନାୟକ ରୋହିତ ଶର୍ମା ନ ଥିଲେ, ଅଭିଜ୍ଞ ସ୍ପିନର୍ ଆର୍ ଅଶ୍ବିନ୍ ବି ନ ଥିଲେ। ଏ ତିନିହେଁ ନିକଟରେ ଅବସର ନେଇଯାଇଥିଲେ। ଚଳିତ ଗସ୍ତରେ ଯାଇଥିଲେ ବି ଶ୍ରେଷ୍ଠ ୱିକେଟ୍ରକ୍ଷକ ଋଷଭ ପନ୍ତ୍ ନ ଥିଲେ, ଶ୍ରେଷ୍ଠ ବୋଲର ଯଶପ୍ରୀତ୍ ବୁମ୍ରା ବି ନ ଥିଲେ, ୮ ବର୍ଷ ପରେ ଦଳକୁ ଫେରି କରୁଣ ନାୟର କରୁଣ ପ୍ରଦର୍ଶନ କରୁଥିଲେ। ତଥାପି ଲଢ଼ୁଆ ପ୍ରବୃତ୍ତିର ମୂଲ୍ୟ ମିଳିଛି। ନାହିଁ ନାହିଁ ଭିତରେ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ଶୁବମନ ଗିଲ୍ଙ୍କ ଯୁବ ସେନା। ଅନେକ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇଥିବା ଏହି ଅନଭିଜ୍ଞ ଟେଷ୍ଟ୍ ଦଳ ଶେଷରେ ୫ ମ୍ୟାଚ୍ ବିଶିଷ୍ଟ ପ୍ରଥମ ସଂସ୍କରଣ ଆଣ୍ଡରସନ୍-ତେନ୍ଦୁଲକର ଟେଷ୍ଟ୍ ଶୃଙ୍ଖଳାକୁ ୨-୨ରେ ଶେଷ କରିଛି। ସୋମବାର ଦ ଓଭାଲ୍ରେ ନାଟକୀୟ ଭାବେ ପଞ୍ଚମ ତଥା ଅନ୍ତିମ ଟେଷ୍ଟ୍କୁ ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ବଳରେ ୬ ରନ୍ରେ ଜିତିଯାଇଛି। ଏଥି ସହ ଅଧିକାଂଶ ସମୟରେ ଜିତୁ ଜିତୁ ହାରିଯାଉଥିବା ଭାରତ ଏଥର ହାରୁ ହାରୁ ଜିତିଯାଇଛି। ମହମ୍ମଦ ସିରାଜଙ୍କ ସଙ୍କଳ୍ପବଦ୍ଧ ପ୍ରଦର୍ଶନ ଆଗରେ ଇଂଲଣ୍ଡ ହାର୍ ମାନିବାକୁ ବାଧ୍ୟ ହୋଇଛି। ୨୦୧୮ ମସିହାରେ ଘରୋଇ ମାଟିରେ ୪-୧ ବିଜୟ ପରଠାରୁ ଇଂଲଣ୍ଡ ମଧ୍ୟ ଭାରତ ବିପକ୍ଷରେ ଆଉ କେବେ ଟେଷ୍ଟ୍ ଶୃଙ୍ଖଳା ଜିତିନାହିଁ। ଭାରତୀୟ ଦଳ ୨୦୨୧-୨୨ ଇଂଲଣ୍ଡ ଗସ୍ତରେ ମଧ୍ୟ ୨-୨ରେ ସାରିଥିଲା ଟେଷ୍ଟ୍ ଶୃଙ୍ଖଳା।
ସୋମବାର ସକାଳେ ପଞ୍ଚମ ତଥା ଶେଷ ଦିନର ଖେଳ ଆରମ୍ଭ ପୂର୍ବରୁ ଇଂଲଣ୍ଡକୁ ଆଉ ୩୫ ରନ୍ ଏବଂ ଭାରତକୁ ୪ ୱିକେଟ୍ ଦରକାର ଥିଲା। ଇଂଲଣ୍ଡ ୩୩୯/୬ରୁ ଅଭିଯାନ ଆରମ୍ଭ କରିବା ମାତ୍ରେ ଭାରି ପଡ଼ିଥିଲା। ସିରାଜ ତାଙ୍କ ପ୍ରଥମ ଓଭର ତୃତୀୟ ବଲ୍ରେ ଜାମି ସ୍ମିଥ୍ଙ୍କୁ ଏବଂ ଦ୍ବିତୀୟ ଓଭର ପଞ୍ଚମ ବଲ୍ରେ ଜାମି ଓଭର୍ଟନ୍ଙ୍କୁ ଆଉଟ୍ କରି ଭାରତକୁ ବିଜୟ ମୁହାଁ କରିଥିଲେ। ଦୁଇ ଓଭର ପରେ ପ୍ରସିଦ୍ଧ କୃ୍ଷ୍ଣ ବି ଜୋସ୍ ଟଙ୍ଗ୍ଙ୍କୁ ବୋଲ୍ଡ କରି ଇଂଲଣ୍ଡର ନବମ ୱିକେଟ୍ ପତନ କରାଇଥିଲେ। ଯାହା ଫଳରେ ଇଂଲଣ୍ଡର ଶେଷ ବ୍ୟାଟର୍ ଭାବେ ଆହତ କ୍ରିସ୍ ଓକ୍ସ ବ୍ୟାଟିଂ ପାଇଁ ଆସିବାକୁ ବାଧ୍ୟ ହୋଇଥିଲେ। କାନ୍ଧ ଆହତ ପାଇଁ ପ୍ରଥମ ପାଳିରେ ବ୍ୟାଟିଂ କରି ନଥିବା କ୍ରିସ୍ ଓକ୍ସଙ୍କ ବାମ ହାତ ବନ୍ଧା ହୋଇଥିବା ବେଳେ ଡାହାଣ ହାତରେ କେବଳ ବ୍ୟାଟ୍ ଧରି ଆସିଥିଲେ। ବିଜୟ ପାଇଁ ସେତେବେଳକୁ ଘରୋଇ ଦଳକୁ ଆବଶ୍ୟକ ଥିଲା ୧୭ ରନ୍। କ୍ରିସ୍ ଓକ୍ସଙ୍କୁ ବୋଲିଂ ସମ୍ମୁଖୀନ ନ ହେବା ଯୋଜନା କାରଣରୁ ସାଥୀ ଖେଳାଳି ଗସ୍ ଆଟ୍କିନ୍ସନ୍ ଚତୁରତାର ସହ ଖେଳି କେବଳ ବାଉଣ୍ଡରି ଉପରେ ଭରସା କରିଥିଲେ ଏବଂ ଓଭର ଶେଷ ବଲ୍ରେ ସିଙ୍ଗଲ୍ ନେବାରେ ସଫଳ ହେଉଥିଲେ। ସିରାଜଙ୍କୁ ସେ ଲଙ୍ଗ୍ ଅନ୍ ଉପରେ ଏକ ଲମ୍ବା ସଟ୍ ଖେଳିଥିବା ବେଳେ ଆକାଶ ଦୀପ କ୍ୟାଚ୍ ଧରିବାକୁ ଯିବାବେଳେ ଏହା ହାତ ସ୍ପର୍ଶ ହୋଇ ଛକା ହୋଇଯିବା ଭାରତୀୟ ଖେଳାଳି ଓ ପ୍ରଶଂସକଙ୍କ ଭିତରେ ଛନ୍କା ଭରି ଦେଇଥିଲା। ସିରାଜ କିନ୍ତୁ ୮୬ତମ ଓଭର ପ୍ରଥମ ବଲ୍ରେ ଆଟ୍କିନ୍ସନ୍ଙ୍କ ଅଫ୍ ଷ୍ଟମ୍ଫ ହୁଗାଳି ଦେଇଥିଲେ। ଏହି ମୁହୂର୍ତ୍ତରେ କେବଳ ଓଭାଲ୍ ନୁହେଁ ଭାରତବର୍ଷର କୋଟି କୋଟି କ୍ରିକେଟ୍ ପ୍ରଶଂସକ ଏକ ଅପ୍ରତ୍ୟାଶିତ ପୁଲକରେ ଉଲ୍ଲସିତ ହୋଇଉଠିଥିଲେ। ଭାରତ ନିଜ ଟେଷ୍ଟ୍ କ୍ରିକେଟ୍ ଇତିହାସରେ ସର୍ବନିମ୍ନ ରନ୍ (୬) ବ୍ୟବଧାନ ବିଜୟ ସହିତ ଶୃଙ୍ଖଳା ପରାଜୟ ଏଡ଼ାଇ ୨-୨ରେ ସମ୍ମାନ ଭାଗ କରିଥିଲା।
ଗିଲ୍ଙ୍କ ନେତୃତ୍ବର ଏହି ପ୍ରଥମ ଶୃଙ୍ଖଳାକୁ ନେଇ ଅନେକ ସନ୍ଦୀହାନ ରହିଥିଲେ ମଧ୍ୟ ସବୁ ଆକଳନ ଭୁଲ୍ ପ୍ରମାଣିତ ହୋଇଯାଇଥିଲା। ସମସ୍ତ ୫ ଟେଷ୍ଟ୍ ପଞ୍ଚମ ଦିନକୁ ଯିବା ଏବଂ ଭାରତ ହାରିଥିବା ଉଭୟ ଟେଷ୍ଟ୍ ଅଳ୍ପକେ ହାତଛଡ଼ା ହେବା ମଧ୍ୟ ଭବିଷ୍ୟତ ପାଇଁ ଅଜସ୍ର ସମ୍ଭାବନାର ପ୍ରତିଶ୍ରୁତି ଦେଖାଇଛି। ବୁମ୍ରାଙ୍କ ଅନୁପସ୍ଥିତିରେ କେବେ ବି ନିରାଶ କରି ନଥିବା ସିରାଜ ଏହି ମ୍ୟାଚ୍ରେ ୯ ୱିକେଟ୍ (୪/୮୬ ଓ ୫/୧୦୪) ନେଇ ଶ୍ରେଷ୍ଠ ଖେଳାଳି ସମ୍ମାନ ପାଇଛନ୍ତି। ସେ ମଧ୍ୟ ଶୃଙ୍ଖଳାରେ ସର୍ବାଧିକ ୨୩ ୱିକେଟ୍ ନେବାର ସମ୍ମାନ ପାଇଛନ୍ତି। ଅଗ୍ରଣୀ ରନ୍ ସଂଗ୍ରହକାରୀ ଶୁବମନ ଗିଲ୍ (୭୫୪ ରନ୍) ଭାରତ ପାଇଁ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ଏବଂ ହ୍ୟାରି ବ୍ରୁକ୍ (୪୮୧ ରନ୍) ଇଂଲଣ୍ଡ ପାଇଁ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।
ସଂକ୍ଷିପ୍ତ ସ୍କୋର: ଭାରତ ପ୍ରଥମ ପାଳି: ୨୨୪ (କରୁଣ ନାୟର-୫୭, ଗସ୍ ଆଟ୍କିନ୍ସନ୍-୫/୩୩)। ଇଂଲଣ୍ଡ ପ୍ରଥମ ପାଳି: ୨୪୭ (ଜ୍ୟାକ୍ କ୍ରଲି-୬୪, ହ୍ୟାରି ବ୍ରୁକ୍-୫୩, ପ୍ରସିଦ୍ଧ କୃଷ୍ଣ-୪/୬୨, ମହମ୍ମଦ ସିରାଜ-୪/୮୬, ଆକାଶ ଦୀପ-୧/୮୦)। ଭାରତ ଦ୍ବିତୀୟ ପାଳି: ୩୯୬ (ଯଶସ୍ବୀ ଜୟସ୍ବାଲ-୧୧୮, ଆକାଶ ଦୀପ-୬୬, ରବୀନ୍ଦ୍ର ଜାଡ଼େଜା-୫୩, ୱାସିଂଟନ୍ ସୁନ୍ଦର-୫୩, ଜୋସ୍ ଟଙ୍ଗ୍-୫/୧୨୫, ଗସ୍ ଆଟ୍କିନ୍ସନ୍-୩/୧୨୭, ଜାମି ଓଭର୍ଟନ୍-୨/୯୮)। ଇଂଲଣ୍ଡ ଦ୍ବିତୀୟ ପାଳି: ୮୫.୧ ଓଭରରେ ୩୬୭/୧୦ (ହ୍ୟାରି ବ୍ରୁକ୍-୧୧୧, ଜୋ ରୁଟ୍-୧୦୫, ବେନ୍ ଡକେଟ୍-୫୪, ଓଲି ପୋପ୍-୨୭, ଗସ୍ ଆଟ୍କିନସନ୍-୧୭, ମହମ୍ମଦ ସିରାଜ-୫/୧୦୪, ପ୍ରସିଦ୍ଧ କୃଷ୍ଣ-୪/୧୨୬, ଆକାଶ ଦୀପ-୧/୮୫)।
/filters:format(webp)/sambad/media/media_files/2025/08/05/dgdgvcv-2025-08-05-03-05-25.jpg)
/filters:format(webp)/sambad/media/media_files/2025/08/05/fsfscxxccx-2025-08-05-03-05-25.jpg)
ସିରାଜଙ୍କ ଶୁଭ ସକାଳ
ମହମ୍ମଦ ସିରାଜଙ୍କ ଅଭିଧାନରେ ଅସମ୍ଭବ ଶବ୍ଦ ନଥିବା ପୁଣି ଥରେ ସେ ପ୍ରମାଣିତ କରିଛନ୍ତି। ଅନେକ ବର୍ଷ ଯାଏ ମନେ ରଖିବା ଭଳି ଏକ ବିଜୟ ଦେଇଥିବା ସିରାଜ ପୂର୍ବଦିନ କରିଥିବା ଏକ ଭୁଲ୍ ପାଇଁ ନିଜ ଉପରକୁ ଦୋଷ ନେଇ କରିଥିବା ସଙ୍କଳ୍ପର ଫଳକୁ ପ୍ରଦର୍ଶନରେ ଦେଖାଇଛନ୍ତି। ହ୍ୟାରି ବ୍ରୁକ୍ଙ୍କ କ୍ୟାଚ୍ ଧରିବା ସତ୍ତ୍ବେ ସେ ବାଉଣ୍ଡରି ବାହାରକୁ ଚାଲିଯାଇଥିବାରୁ ସେ ଅତ୍ୟନ୍ତ ଅନୁତାପ କରିଥିଲେ। ସୋମବାର ସେ ଇଂଲଣ୍ଡର ୪ ୱିକେଟ୍ ମଧ୍ୟରୁ ୩ଟି ଦଖଲ କରିଥିଲେ ମାତ୍ର ୯ ରନ୍ ବିନିମୟରେ। ଶେଷ ବ୍ୟାଟର୍ ଗସ୍ ଆଟ୍କିନ୍ସନଙ୍କୁ ବୋଲ୍ଡ କରିଦେବା ପରେ ୫୬ ଇଞ୍ଚର ଛାତିକୁ ଚଉଡ଼ା କରି ସେଲିବ୍ରେସନ୍ କରିଥିଲେ। ଏହା ପରେ ‘ବିଶ୍ବାସ’ ଉପରେ ଥିବା ବିଶ୍ବାସର ଏକ କଥା କହିଥିଲେ। ‘ସକାଳୁ ଉଠି ମୁଁ ମୋ ଫୋନ୍ର ଗୁଗଲ୍ ପରଖିଥିଲି, ‘ବିଶ୍ବାସ’ ଲେଖାର ଏକ ଇମୋଜିକୁ ୱାଲପେପର୍ କରିଥିଲି। ନିଜକୁ ନିଜେ କହିଥିଲି ଦେଶ ପାଇଁ ମୁଁ କରିକି ଦେଖାଇବି। ମ୍ୟାଚ୍ର ଯେ କୌଣସି ସ୍ଥିତିରେ ବି ମୁଁ ସବୁବେଳେ ବିଶ୍ବାସ ରଖିଥାଏ, ଏଠାରୁ ବି ଜିତିହେବ। ଏହା ଆଜି ସକାଳେ କରିପାରିଛି। ମୋ ଯୋଜନା ଥିଲା ରନ୍ ଯାଉ କି ୱିକେଟ୍ ମିଳୁ, ଠିକଣା ଯାଗାରେ ବୋଲିଂ କରିଚାଲିବି। ପୂର୍ବଦିନର କଥା ବି ମନେ ରହିଥିଲା। ବ୍ରୁକ୍ ଟ୍ବେଣ୍ଟି-୨୦ ମୁଡ୍ରେ ବ୍ୟାଟିଂ କରୁଥିବାବେଳେ ମୁଁ ଏକ କ୍ୟାଚ୍ ସୁଯୋଗ ଛାଡ଼ିଥିଲି। ଏହା ମ୍ୟାଚ୍ ବଦଳାଇଦେବା ଭଳି ମୁହୂର୍ତ ଥିଲା, ଆମେ ପଛକୁ ଚାଲିଯାଇଥିଲୁ। ଈଶ୍ବରଙ୍କୁ ଧନ୍ୟବାଦ’। ମ୍ୟାଚ୍ ପରେ ପରେ ଦୀନେଶ କାର୍ତିକଙ୍କୁ ସାକ୍ଷାତକାର ଦେବା ବେଳେ ଏଭଳି କହିଥିଲେ ଭାବବିହ୍ବଳ ଡିଏସ୍ପି ସିରାଜ।
ଫଳାଫଳର ମାନ୍ୟତା ଏବେ ଶୀର୍ଷରେ: ରାହୁଲ
ଇଂଲଣ୍ଡ ବିପକ୍ଷ ୨-୨ ଡ୍ର’ ଫଳାଫଳକୁ ଅତ୍ୟନ୍ତ ସନ୍ତୋଷଜନକ କହିଛନ୍ତି ଭାରତୀୟ ଦଳର ଅନ୍ୟତମ ସଫଳ ବ୍ୟାଟର୍ କେଏଲ୍ ରାହୁଲ। ଭାରତର ଟେଷ୍ଟ୍ କ୍ରିକେଟ୍ ସଫଳତା ତାଲିକାରେ ଏହା ଅନ୍ୟତମ ଶ୍ରେଷ୍ଠ। ଇଂଲଣ୍ଡ ବିପକ୍ଷ ପ୍ରଦର୍ଶନର ଏହି ମାନ୍ୟତା ଏବେ ଶୀର୍ଷରେ ରହିବ। ଆମ ପାଇଁ ଏଭଳି ସୁଯୋଗ କେବେ ନଥିଲା। ପ୍ରତି ମ୍ୟାଚ୍ରେ ଲଢ଼ିବାକୁ ପଡ଼ିଥିଲା, ଶୃଙ୍ଖଳା ସମତୁଲ କାହାକୁ ଡ୍ର’ ଭଳି ଅନୁଭବ ହୋଇପାରେ। ଏହିଠାରୁ କିନ୍ତୁ ଭାରତୀୟ ଟେଷ୍ଟ୍ କ୍ରିକେଟ୍ର ଭବିଷ୍ୟତ ଭଲ ବିତିବ। ଟେଷ୍ଟ୍ କ୍ରିକେଟ୍ ତିଷ୍ଠିବ ନତିଷ୍ଠିବ ବୋଲି ଯେଉଁମାନେ ସନ୍ଦେହ ପ୍ରକଟ କରୁଥିଲେ ସେମାନଙ୍କୁ ସବୁ ଉତ୍ତର ମିଳିଯାଇଥିବ ବୋଲି ରାହୁଲ ପ୍ରକାଶ କରିଛନ୍ତି। ତୃତୀୟ ଥର ପାଇଁ ଇଂଲଣ୍ଡ ଗସ୍ତ କରିଥିବା ରାହୁଲ ୫୩.୨୦ ହାରରେ ୫୩୨ ରନ୍ ସହ ତୃତୀୟ ଅଗ୍ରଣୀ ରନ୍ ସଂଗ୍ରହକାରୀ ବି ହୋଇଛନ୍ତି।
ଆତ୍ମବିଶ୍ବାସ ଥିଲା: ଗିଲ୍
ତେନ୍ଦୁଲକର-ଆଣ୍ଡରସନ୍ ଟ୍ରଫି ଶୃଙ୍ଖଳାର ଅନ୍ତିମ ଦିନ ସକାଳେ ଭାରତକୁ ଆବଶ୍ୟକ ହେଉଥିଲା ୪ ୱିକେଟ୍, କିନ୍ତୁ ୩୫ ରନ୍ ଭିତରେ। ଭାରତ ଏହାକୁ ଶେଷରେ ୨୮ ରନ୍ ଭିତରେ କରି ଦେଇଥିଲା। ମ୍ୟାଚ୍ ପରେ ଅଧିନାୟକ ଶୁବମନ ଗିଲ୍ କହିଛନ୍ତି ସକାଳେ ପଡ଼ିଆକୁ ଆସିବାବେଳକୁ ବରାବର କରିବାର ଆତ୍ମବିଶ୍ବାସ ରହିଥିଲା। ପୂର୍ବ ସଂଧ୍ୟାଠାରୁ ଆମେ ଜାଣି ପାରିଥିଲୁ ଇଂଲଣ୍ଡ ଚାପ ଭିତରେ ରହିଛି। ସିରାଜ ଓ ପ୍ରସିଦ୍ଧଙ୍କ ବଲ୍ ଓ ସ୍ପେଲ୍ ହିଁ କଥା କହିଥିଲା। ଉଭୟ ଇଂଲଣ୍ଡର ଦ୍ବିତୀୟ ପାଳିରେ ୯ ୱିକେଟ୍ ଦଖଲ କରିଥିଲେ। ‘‘ସିରାଜ ନିଶ୍ଚିତ ଅଧିନାୟକଙ୍କ ସ୍ବପ୍ନର ଖେଳାଳି। ସେ ସମସ୍ତ ୫ ଟେଷ୍ଟ୍ ଖେଳିଲେ, ପ୍ରତିଟି ବଲ୍, ପ୍ରତିଟି ସ୍ପେଲ୍ରେ ସେ ଦମ୍ ଲଗାଇ ଦେଉଥିଲେ। ଯେ କୌଣସି ଅଧିନାୟକ ଚାହିଁବେ ତାଙ୍କୁ ଦଳରେ ନେବାକୁ। ଆମେ ବଡ଼ ଭାଗ୍ୟବାନ ତାଙ୍କୁ ପାଇଛୁ’’ବୋଲି ଗିଲ୍ କହିଥିଲେ। ସୂଚନାଯୋଗ୍ୟ, ସିରାଜ ଏହି ଶୃଙ୍ଖଳାରେ ମୋଟ ୧୮୫.୧ ଓଭର ବୋଲିଂ କରି ସର୍ବାଧିକ ୨୩ ୱିକେଟ୍ ନେଇଥିବାବେଳେ ଗିଲ୍ ସର୍ବାଧିକ ୭୫୪ ରନ୍ କରିଥିଲେ। ସମସ୍ତ ଭାରତ-ଇଂଲଣ୍ଡ ଶୃଙ୍ଖଳାରେ ଏହା ସର୍ବାଧିକ ବ୍ୟକ୍ତିଗତ ରନ୍। ୧୯୯୦ରେ ଗ୍ରାହାମ୍ ଗୁଚ୍ଙ୍କ ୭୫୨ ରନ୍କୁ ଗିଲ୍ ପଛରେ ପକାଇଛନ୍ତି। ଭାରତୀୟ ଅଧିନାୟକ ଭାବେ ମଧ୍ୟ ସେ ଗୋଟିଏ ଶୃଙ୍ଖଳାରେ ସର୍ବାଧିକ ରନ୍ ସଂଗ୍ରହ କରି ସୁନିଲ ଗାଭାସ୍କରଙ୍କୁ (୭୩୨ ରନ୍ ବନାମ ୱେଷ୍ଟଇଣ୍ଡିଜ୍, ୧୯୭୮-୭୯) ପଛରେ ପକାଇଛନ୍ତି। ଅଧିନାୟକ ଭାବେ ଗୋଟିଏ ଶୃଙ୍ଖଳାରେ ୪ ଶତକ ସହ ବ୍ରାଡମ୍ୟାନଙ୍କ ସମକକ୍ଷ ମଧ୍ୟ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/05/dgdggdgdgd-2025-08-05-03-04-58.jpg)