ସିରାଜ-ସାର୍ଦୁଳ ଚମକ: ନିର୍ଣ୍ଣାୟକ ଲଢ଼େଇ ଆଜି

ଅଷ୍ଟ୍ରେଲିଆ ୨୯୪ରେ ଅଲଆଉଟ୍: ଲକ୍ଷ୍ୟ ୩୨୮; ଭାରତ ୪/୦

ବ୍ରିସବେନ୍: ତୃତୀୟ ଦିନରେ ‘ସୁନ୍ଦର-ଠାକୁର’ ବ୍ୟାଟିଂ କମାଲ ଭାରତକୁ ସଙ୍କଟରୁ ଉଧାର କରିବା ପରେ ଚତୁର୍ଥରେ ‘ସିରାଜ-ସାର୍ଦୁଳ’ ବୋଲିଂ ଚମକ ବ୍ରିସବନ୍ ଟେଷ୍ଟ୍‌ର ରୋମାଞ୍ଚକୁ ଦ୍ବିଗୁଣିତ କରିଛି। ଅଧିକ ଅଭିଜ୍ଞତ‌ା ସଂପନ୍ନ ହୋଇ ନଥିଲେ ମଧ୍ୟ ଗାବାରେ ଭାରତୀୟ ବୋଲର ପୁନର୍ବାର ନିଜ ଏକାଗ୍ରତା, ଅପୂର୍ବ ରଣକୌଶଳ ତଥା ଚତୁରତାର ଅନନ୍ୟ ଛାପ ଛାଡ଼ି ପ୍ରଶଂସାର ପାତ୍ର ହୋଇଛନ୍ତି। ସେପଟେ ଆହ୍ବାନଭରା ବ୍ରିସବେନ୍‌ ପିଚ୍‌ର ପଞ୍ଚମ ଦିନର ଖେଳରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ପୁଣି ଥରେ କଠିନ ପରୀକ୍ଷାର ସମ୍ମୁଖୀନ ହେବାକୁ ଯାଉଛନ୍ତି। ଅସ୍ଥିର ଉଚ୍ଛାଳ ଓ ବଡ଼ ବଡ଼ ଫାଟରେ ଭରପୁର ଗାବା ପିଚ୍‌ରେ ଅଷ୍ଟ୍ରେଲିଆ ୩୨୮ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିବା ପରେ ତୃତୀୟ ଅଧିବେଶନର ଅଧିକାଂଶ ସମୟକୁ ବର୍ଷା ଧୋଇ ନେବା ହିଁ ପଞ୍ଚମ ଦିନ ଖେଳର ମହତ୍ବକୁ ବଢ଼ାଇ ଦେଇଛି। ସେଥିପାଇଁ ମଙ୍ଗଳବାରର ପ୍ରଦର୍ଶନ ଉପରେ ଭାରତର ଶୃଙ୍ଖଳା ବିଜୟ ଏବଂ ବର୍ଡର ଗାଭାସ୍କର ଟ୍ରଫି ପାଖରେ ରଖିବାର ସୁଯୋଗ ଓ ଆଶା ନିର୍ଭରଶୀଳ ରହିବ।

କଷ୍ଟକର ବିଜୟ ଲକ୍ଷ୍ୟ ମିଳିବା ପରେ ଭାରତୀୟ ପ୍ରାରମ୍ଭିକ ଯୋଡ଼ି ରୋହିତ ଶର୍ମା ଓ ଶୁବମନ ଗିଲ୍ ସୋମବାର ମାତ୍ର ୧୧ ବଲ୍ ଖେଳିଥିଲେ। ଶେଷ ଅଧିବେଶନର ଆହୁରି ୨୩.୧ ଓଭର ଖେଳ ବାକି ଥିଲା ବେଳେ କିନ୍ତୁ ବର୍ଷା ବିଭ୍ରାଟ ପାଇଁ ଅମ୍ପାୟାର ସେହିଠାରେ ଖେଳ ବନ୍ଦ ସଙ୍କେତ ଦେବାକୁ ବାଧ୍ୟ ହୋଇଥିଲେ। ଆଜି ଖେଳିଥିବା ୧.୫ ଓଭରରେ ଭାରତ ରୋହିତଙ୍କ ଏକମାତ୍ର ଚୌକା ବଳରେ ୪ ରନ୍ କରିଛି। ଫଳରେ ହାତରେ ସମସ୍ତ ୧୦ ୱିକେଟ୍ ଥାଇ ଦଳକୁ ବିଜୟ ପାଇଁ ଆହୁରି ୩୨୪ ରନ୍‌ର ଆବଶ୍ୟକତା ରହିଛି। ବ୍ରିସ‌ବେନ୍‌ର ନାଟକୀୟ ଏବଂ ସମ୍ଭାବ୍ୟ ସଂଘର୍ଷମୟ ପଞ୍ଚମ ଦିନର ଖେଳକୁ ପ୍ରଶଂସକ ବି ଚାହିଁ ବସିଛନ୍ତି। ଭାରତଠାରୁ ବର୍ଡର ଗାଭାସ୍କର ଟ୍ରଫି ଛଡ଼ାଇ ନେବା ଲାଗି ଅଷ୍ଟ୍ରେଲିଆକୁ ପଞ୍ଚମ ଦିନରେ ୧୦ ୱିକେଟ୍‌ର ଦରକାର ରହିଛି। ସେପଟେ ଅଷ୍ଟ୍ରେଲିଆ ମାଟିରେ ଲାଗାତାର ଶୃଙ୍ଖଳା ବିଜୟର ବିରଳ ସଫଳତା ଲାଭ କରିବା ଲାଗି ଭାରତ ସମ୍ମୁଖରେ ଓଭର ପିଛା ୩ରୁ ଅଧିକ ହାରରେ ରନ୍ ସଂଗ୍ରହ କରିବାର ଆହ୍ବାନ ଛିଡ଼ା ହୋଇଛି। ଉଭୟ ଦଳର ପ୍ରଦର୍ଶନ ସହ ବର୍ଷାର ପ୍ରଭାବ ମଧ୍ୟ ମଙ୍ଗଳବାର ବଲ୍-ବ୍ୟାଟ୍ ଲଢ଼େଇ ଉପରେ ପଡ଼ିବାର ଢେର ଆଶଙ୍କା ରହିଛି।

ବୋଲିଂ ଚମକ ପରେ ବର୍ଷା ବିଭ୍ରାଟ

ଅନଭିଜ୍ଞ ବୋଲରଙ୍କୁ ନେଇ ଗଠିତ ଭାରତୀୟ ବୋଲିଂ ବାହିନୀ ସମସ୍ତଙ୍କୁ ପୁନର୍ବାର ପ୍ରଭାବିତ କରି ସୋମବାର ପୂରା ପରିପକ୍ବ ବୋଲିଂ କରିଥିଲା। ବିଶେଷ କରି ଯୁବ ବୋଲର ମହମ୍ମଦ ସିରାଜ ନିଜ ପ୍ରଭାବଶାଳୀ ବୋଲିଂରେ ସମସ୍ତଙ୍କ ମନ ଜିତି ନେଇଥିଲେ। ଅନ୍ୟତମ ଯୁବ ବୋଲର ସାର୍ଦୁଳ ଠାକୁର ମଧ୍ୟ କଙ୍ଗାରୁ ବ୍ୟାଟର୍‌ଙ୍କୁ ଘାଇଲା କରିବାର କୌଣସି ସୁଯୋଗ ହାତଛଡ଼ା କରି ନଥିଲେ। ସିରାଜ ତୃତୀୟ ଏବଂ ସାର୍ଦୁଳ ଦ୍ବିତୀୟ ଟେଷ୍ଟ୍‌ ଖେଳୁଥିଲେ ମଧ୍ୟ ମିଳିତ ଭାବେ ୯ ୱିକେଟ୍ ବାଣ୍ଟିନେଇ ଅଷ୍ଟ୍ରେଲିଆକୁ ୭୫.୫ ଓଭରରେ ୨୯୪ ରନ୍‌ରେ ଅଲଆଉଟ୍ କରି ଦେଇଥିଲେ। ସୋମବାର ୨୧/୦ରୁ ଖେଳ ଆରମ୍ଭ କରିଥିଲା ଅଷ୍ଟ୍ରେଲିଆ। ପ୍ରାରମ୍ଭିକ ଯୋଡ଼ି ମାର୍କସ ହାରିସ୍ ଓ ଡେଭିଡ୍ ୱାର୍ନର ପ୍ରଥମ ୱିକେଟ୍‌ରେ ୮୯ ରନ୍ ଯୋଡ଼ି ଘରୋଇ ଦଳ ପାଇଁ ଦୃଢ଼ ମୂଳଦୁଆ ପକାଇଥିଲେ। ତେବେ ସାର୍ଦୁଳ ଠାକୁର ଦିନର ପ୍ରଥମ ୱିକେଟ୍ ଭାବେ ହାରିସ୍‌ଙ୍କୁ ଋଷବ ପନ୍ତଙ୍କ ହାତରେ କ୍ୟାଚ୍ କରିବା ପରେ ଅଷ୍ଟ୍ରେଲିଆର ବିପର୍ଯ୍ୟୟ ଆରମ୍ଭ ହୋଇ ଯାଇଥିଲା। ବଳକା ୬୫.୫ ଓଭର ଖେଳରେ ଭାରତୀୟ ବୋଲର ପୂରା ଆଧିପତ୍ୟ ବିସ୍ତାର କରିଥିଲେ। ୱାସିଂଟନ୍ ସୁନ୍ଦର କୌଶଳ କରି ବିପଜ୍ଜନକ ଡେଭିଡ୍ ୱାର୍ଣ୍ଣରଙ୍କୁ ଆଉଟ୍ କରି ଅଷ୍ଟ୍ରେଲିଆ ରନ୍ ସଂଗ୍ରହ ହାରକୁ ମଧ୍ୟ କମାଇ ଦେଇଥିଲେ। ନଭଦୀପ ସୈନି ପୂରା ଫିଟ୍ ନଥିବାରୁ ମାତ୍ର ୫ ଓଭର ବୋଲିଂ କରି ପାରିଥିଲେ। ତେବେ ଅଷ୍ଟ୍ରେଲିଆର ୧୦ ୱିକେଟ୍ ନେବାକୁ ଭାରତକୁ କେବଳ ସୁନ୍ଦର ସାର୍ଦୁଳ ଓ ସିରାଜଙ୍କ ସେବା ନେବାକୁ ପଡ଼ିଥିଲା। ଟି ନଟରାଜନ ୱିକେଟ୍ ଶୂନ୍ୟ ରହିଥିଲେ। ବର୍ଷା ବିଭ୍ରାଟ ପାଇଁ କିନ୍ତୁ ଭାରତୀୟ ବ୍ୟାଟର୍‌ଙ୍କୁ ଚତୁର୍ଥ ଦିନରେ ଅଧିକ ରନ୍ ସଂଗ୍ରହ କରି ପାରି ନଥିଲେ।

‘୫ ୱିକେଟ୍’ ପ୍ରତୀକ୍ଷାର ଅନ୍ତ

ମାତ୍ର ଦୁଇଟି ଟେଷ୍ଟ୍‌ର ଅଭିଜ୍ଞତା ଥିବା ମହମ୍ମଦ ସିରାଜ (୧୯.୫-୫-୭୩-୫) ସୋମବାର ନିଜ ଖେଳ ଜୀବନର ପ୍ରଥମ ପାଞ୍ଚ ୱିକେଟ୍ ସଫଳତା ଲାଭ କରିଥିଲେ। ସେ ୭୩ ରନ୍ ଦେଇ ୫ ୱିକେଟ୍ ନେଇଥିଲା ବେଳେ ସାର୍ଦୁଳ ଠାକୁର (୧୯-୨-୬୧-୪) ୪/୬୧ର ପ୍ରଭାବଶାଳୀ ବୋଲିଂ ଚିତ୍ର ପାଇଥିଲେ। ବ୍ରିସବେନ୍‌ରେ ପାଞ୍ଚ ୱିକେଟ୍ ସଫଳତା ପାଇବାରେ ସିରାଜ ପଞ୍ଚମ ଭାରତୀୟ ବୋଲର ଏବଂ ଷଷ୍ଠ ଭ୍ରମଣକାରୀ ଦ୍ରୁତ ବୋଲର ହୋଇଥିଲେ। ଏହା ମଧ୍ୟ ତାଙ୍କ ଛୋଟିଆ ଟେଷ୍ଟ୍ ମ୍ୟାଚ୍ ଜୀବନର ଶ୍ରେଷ୍ଠ ପ୍ରଦର୍ଶନ ଥିଲା। ଶେଷ ଥର ପାଇଁ ଜାହିର ଖାନ୍ ୨୦୦୩ ମସିହାରେ ଗାବାରେ ପାଞ୍ଚ ୱିକେଟ୍ ସଫଳତା ପାଇଥିଲେ। ଗାବାରେ ପ୍ରଥମ ଭାରତୀୟ ଭାବେ ଏରାପଲ୍ଲୀ ପ୍ରସନ୍ନା ୧୯୬୮ ମସିହାରେ ପଞ୍ଚ ୱିକେଟ୍ ସଫଳତା ଲାଭ କରିଥିଲେ। ଜାହିରଙ୍କ ଘାତକ ବୋଲିଂ ଓ ସୌରଭ ଗାଙ୍ଗୁଲିଙ୍କ ଲଢ଼ୁଆ ଶତକ ପାଇଁ ଭାରତ ସେଥର ବ୍ରିସବେନ୍ ଲଢ଼େଇକୁ ଅମୀମାଂସିତ ରଖି ପାରିଥିଲା। ଫର୍ମରେ ଥିବା ମାର୍ନସ ଲାବୁ‌ସେନ (୨୫)ଙ୍କୁ ନିଜ ପ୍ରଥମ ଶିକାର କରିବା ପରେ ଅର୍ଦ୍ଧଶତକ ହାସଲକାରୀ ଷ୍ଟିଭେନ୍ ସ୍ମିଥ୍ (୫୫), ମାଥ୍ୟୁ ୱେଦ୍ (୦), ମିଚେଲ ଷ୍ଟାର୍କ (୧) ଓ ଜୋସ୍ ହାଜେଲଉଡ୍ (୯)ଙ୍କୁ ପ୍ୟାଭିଲିୟନ ଫେରାଇଥିଲେ ସିରାଜ। ମାର୍କସ ହାରିସ୍ (୩୮), କ୍ୟାମେରନ୍ ଗ୍ରିନ୍, ପ୍ରତିପକ୍ଷ ଅଧିନାୟକ ଟିମ୍ ପେନ୍ (୨୭) ଓ ନାଥନ ଲାୟନ (୧୩)ଙ୍କ ୱିକେଟ୍ କରାୟତ୍ତ କରିଥିଲେ ସାର୍ଦୁଳ। ଅଷ୍ଟ୍ରେଲିଆର ପ୍ରଥମ ପାଳିରେ ୭୭ ରନ୍ ନେଇ ଗୋଟିଏ ୱିକେଟ୍ ନେଇଥିବା‌ ସିରାଜ ‌ବ୍ରିସବେନ୍ ଟେଷ୍ଟ୍‌ରେ ମୋଟ ୬ ୱିକେଟ୍ ଅକ୍ତିଆର କରିଛନ୍ତି।

ସମ୍ବନ୍ଧିତ ଖବର