ନୂଆଦିଲ୍ଲୀ: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ କ୍ରିକେଟ୍ର ବିରୁଦ୍ଧାଚରଣ କରୁଥିବା ଭଳି ଦୁର୍ନୀତି କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ହେଲେ ଘଟଣା ସଂପର୍କରେ ସେ ତୁରନ୍ତ ବିସିସିଆଇର ଦୁର୍ନୀତି ନିବାରଣ ୟୁନିଟ୍ (ଏସିୟୁ)କୁ ଜଣାଇବାରୁ ଆନ୍ଧ୍ରପ୍ରଦେଶ ପୁଲିସ୍ର ସୁରକ୍ଷାକର୍ମୀମାନେ ସଂପୃକ୍ତ ଅଭିଯୁକ୍ତକୁ କାବୁ କରିଥିଲେ। ସୂଚନା ଅନୁଯାୟୀ, ଅଷ୍ଟ୍ରେଲିଆର ଭାରତ ଗସ୍ତ ପୂର୍ବରୁ ଭାରତୀୟ ଦଳର ସମସ୍ତ ଭିତିରି ଖବର ଜାଣିବା ପାଇଁ ଅଭିଯୁକ୍ତ ଜଣକ ସିରାଜଙ୍କ ସହିତ ଯୋଗାଯୋଗ କରିଥିଲା। ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳାରେ ଅଭିଯୁକ୍ତ ଜଣକ ଭାରତୀୟ ଦଳ ଉପରେ ବେଟିଂ କରି ଅନେକ ଟଙ୍କା ହରାଇବାରୁ ଅବସାଦ ଭିତରକୁ ଚାଲିଯାଇଥିଲା। ବାସ୍ତବରେ ଅଭିଯୁକ୍ତ ଜଣକ କୌଣସି ବୁକି ନଥିଲା, ବରଂ ହାଇଦ୍ରାବାଦର ଜଣେ ଡ୍ରାଇଭର ଥିଲା, ଯିଏକି ନିୟମିତ ବେଟିଂ କରି ଅନେକ ଟଙ୍କା ହରାଇ ସାରିଥିଲା। ତେଣୁ ସେହିସବୁ କ୍ଷତିର ଭରଣା ପାଇଁ ଭାରତ-ଅଷ୍ଟ୍ରେଲିଆ ଶୃଙ୍ଖଳା ବେଳେ ବେଟିଂରେ ଜିତିବା ପାଇଁ ଭାରତୀୟ ଦଳର ଭିତିରି କଥା ଜାଣିବାକୁ ସେ ଚାହିଁଥିଲା।
ଶ୍ରୀଲଙ୍କା ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୨-୧ ଓ ଦିନିକିଆକୁ ୩-୦ରେ ଭାରତ ଜିତିଥିଲା। ପରେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳାକୁ ମଧ୍ୟ ୩-୦ ଓ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୨-୧ରେ ଭାରତ ଜିତିଥିଲା। ତେବେ କ୍ରିକେଟ୍ରେ ସ୍ପଟ୍ ଫିକ୍ସିଂ ମାମଲା ଉଠିବା ଦିନଠୁ ବିସିସିଆଇ ତାହାର ଏସିୟୁକୁ ଅଧିକ କ୍ରିୟାଶୀଳ କରାଇଛି। ପୂର୍ବରୁ ଏସ୍. ଶ୍ରୀଶାନ୍ତ, ଅଙ୍କିତ ଚଭନ, ଅଜିତ ଚାନ୍ଦିଲା, ଚେନ୍ନାଇ ସୁପରକିଙ୍ଗ୍ସର ଗୁରୁନାଥ ମେୟାପନ୍ ପ୍ରମୁଖ ଫିକ୍ସିଂ ମାମଲାରେ ବାସନ୍ଦ ହୋଇଛନ୍ତି। ତେଣୁ ଆଇପିଏଲ୍ରେ ବି ପ୍ରତ୍ୟେକ ଦଳରେ ଜଣେ ଲେଖାଏଁ ପୂର୍ଣ୍ଣକାଳୀନ ଏସିୟୁ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି।