ଏଜ୍‌ବାଷ୍ଟନ: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ ପୂର୍ବରୁ ନିଜ ବ୍ୟାଟିଂକୁ ଶାଣିତ କରୁଛନ୍ତି। ଏଥିପାଇଁ ଏଜ୍‌ବାଷ୍ଟନ୍‌ରେ ବ୍ୟାଟିଂ ଅଭ୍ୟାସ ଜୋର୍‌ଦାର କରୁଛନ୍ତି। ଅଭ୍ୟାସ ଅଧିବେଶନ ବେଳେ ତାଙ୍କ ବ୍ୟାଟ୍‌ ଭାଙ୍ଗିଥିବା ନେଇ ସିରାଜ ଜାଣିବାକୁ ପାଇଲେ। ଏହା ଦେଖି ସେ ଦ୍ବନ୍ଦ୍ବରେ ପଡ଼ିବା ସହ ନିରାଶ ହୋଇଥିଲେ। ଏହା ଅନ୍‌ଲାଇନ୍‌ରେ ପ୍ରଶଂସକଙ୍କ ଦୃ‌ଷ୍ଟି ଆକର୍ଷଣ କରିଥିଲା। ଅଭ୍ୟାସ ଅଧିବେଶନର ଏହି ନାଟକୀୟ ମୁହୂର୍ତ୍ତର ଭିଡିଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟ ହୋଇଥିଲା। ଏହି ଭିଡିଓରେ ସିରାଜ ନେଟ୍ସକୁ ଯାଉଥିଲା ବେଳେ ବ୍ୟାଟ୍‌ଟି ଭାଙ୍ଗିଥିବା ଦେଖୁଛନ୍ତି। ଏହା ପରେ ସ୍ମିତ ହସ ସହ ମଜାଦାର କ୍ରୋଧ ଦେଖାଉଛନ୍ତି। ତାଙ୍କର ଏହି ପ୍ରତିକ୍ରିୟା ଅନ୍‌ଲାଇନ୍‌ ପ୍ରଶଂସକଙ୍କୁ ଖୁସିର ଖୋରାକ ଯୋଗାଇଥିଲା। ଭିଡିଓଟିକୁ ମଧ୍ୟ ଅନେକ ଲାଇକ୍‌ ମିଳିଛି। ପ୍ରଥମ ଟେଷ୍ଟ୍‌ରେ ଭାରତର ଟେଲ୍‌ଅଣ୍ଡର ବ୍ୟାଟର୍‌ ବିଫଳ ହୋଇଥିଲେ। ଭାରତ ମ୍ୟାଚ୍‌ ହାରିବାରେ ଏହା ଏକ ପ୍ରମୁଖ କାରଣ ଥିଲା।