ଲଣ୍ଡନ୍‌: ଏବେ ଚାରିଆଡ଼େ ଡିଏସ୍‌ପି ମହମ୍ମଦ ସିରାଜଙ୍କ ଚର୍ଚ୍ଚା। ମହମ୍ମଦ ସାମିଙ୍କ ଆହତ ସମସ୍ୟା ଏବଂ ଯଶପ୍ରୀତ୍ ବୁମ୍‌ରା ସମ୍ପୂର୍ଣ୍ଣ ଶୃଙ୍ଖଳା ଖେଳି ନ ପାରିବା ଖବର ସହ ଇଂଲଣ୍ଡ ଗସ୍ତ କରିଥିବା ଭାରତୀୟ ବୋଲିଂ ବାହିନୀ ଦନ୍ତହୀନ ଥିଲା ବୋଲି କୁହାଯାଉଥିଲା। ମହମ୍ମଦ ସିରାଜ କିନ୍ତୁ ଭିତରେ ଭିତରେ ଏତେ ସଙ୍କଳ୍ପବଦ୍ଧ ଥିଲେ ଯେ ଅଗ୍ରଣୀ ବୋଲର୍ ହୋଇଗଲେ। ଭାରତ ବିଜୟର କର୍ଣ୍ଣଧାର ସାଜିଗଲେ। ଏକମାତ୍ର ଭାରତୀୟ ପେସ୍ ବୋଲର ଭାବେ ସେ ଏହି କଠୋର ଶୃଙ୍ଖଳାର ସମସ୍ତ ୫ ମ୍ୟାଚ୍‌ ବି ଖେଳିଛନ୍ତି। ୧୮୫.୩ ଓଭର ବୋଲିଂ କରି ଉଭୟ ଦଳ ଭିତରେ ସର୍ବାଧିକ ୨୩ ୱିକେଟ୍ ନେଇଥିଲେ। ନିଜ ଅଭ୍ୟୁଦୟର ସାରଥି ନିଜେ ହୋଇଥିଲେ। ୩୧ ବର୍ଷୀୟ ସିରାଜଙ୍କ ସିଂହ ଚରିତ୍ର ବି ତାଙ୍କୁ ଅଖ୍ୟାତରୁ ବିଖ୍ୟାତ କରି ଦେଇଛି। ଇଂଲଣ୍ଡ ପ୍ରଶିକ୍ଷକ ବ୍ରେଣ୍ଡନ୍ ମ୍ୟାକଲମ୍‌ ବି ମାନିଯାଇଛନ୍ତି। ବିରାଟ କୋହଲି ବି ଅଭିନନ୍ଦନ ଜଣାଇ ପ୍ରଶଂସା କରିବାକୁ ଭୁଲି ନାହାନ୍ତି। ବୁମ୍‌ରାଙ୍କ ଭଳି ତାଙ୍କ ଶରୀର ଉପରେ କାର୍ଯ୍ୟଭାର ଚାପ ନଥିବା ମଧ୍ୟ ସେ ସମ୍ପ୍ରସାରିତ ସ୍ପେଲ୍ ବୋଲିଂ କରି ପ୍ରମାଣିତ କରିଥିବା ଅନେକଙ୍କୁ ପ୍ରଭାବିତ କରିଛି। ସିରାଜଙ୍କ ସଫଳତା ଏବେ ବିଶ୍ବବ୍ୟାପୀ କ୍ରିକେଟ୍‌ ଦୁନିଆରେ ଚର୍ଚ୍ଚାରେ ରହିଥିବା ବେଳେ ତାଙ୍କ ପରିବାରରେ ଖୁସି ବି ଦ୍ବିଗୁଣିତ ହୋଇଛି। ଏହି ସମୟରେ ତାଙ୍କ ସଂଘର୍ଷ ଓ ସଫଳତାର କିଛି କାହାଣୀ ବି ପୁଣି ଥରେ ଆଲୋଚନା ପରିସରକୁ ଆସିଛି।

Advertisment

୨୦୨୧ ମସିହାରେ ସିରାଜ ଭାରତୀୟ ଦଳ ସହ ଅଷ୍ଟ୍ରେଲିଆ ଗସ୍ତରେ ଥିବାବେଳେ ତାଙ୍କ ପିତା ମହମ୍ମଦ‌ ଘାଉସ୍ ପରଲୋକ ଗମନ କରିଥିଲେ। ତାଙ୍କ ପିତା ଜଣେ ଅଟୋରିକ୍ସା ଚାଳକ ଥିଲେ। ସିରାଜଙ୍କ କ୍ରିକେଟ୍ ସ୍ବପ୍ନକୁ ସାକାର କରିବାରେ ପିତାଙ୍କ ବଡ଼ ଭୂମିକା ରହିଥିଲା। ପ୍ରତି ଥର କୌଣସି ପ୍ରତିଯୋଗିତା ହେଉ କି ବିଦେଶ ଗସ୍ତ ହେଉ ସିରାଜ ଯିବା ପୂର୍ବରୁ ଓ ଆସିବା ପରେ ସିଧାସଳଖ ଯାଆନ୍ତି ତାଙ୍କ ପିତାଙ୍କ କବରସ୍ତାନ ନିକଟକୁ। କୌଣସି ଥର ପ୍ରାର୍ଥନା କରିବାକୁ ଭୁଲି ନଥାନ୍ତି। ଏପରିକି ବିମାନବନ୍ଦରରୁ ସିଧାସଳଖ ସେ ପିତାଙ୍କ ‘କବର’ ନିକଟକୁ ଯାଇ କୃତଜ୍ଞତା ଜଣାଇଥାନ୍ତି ଓ ଆଶୀର୍ବାଦ ନିଅନ୍ତି। ଏଥର ବି‌ ସେଭଳି କରିଥିଲେ। ଜୁନ୍‌ ମାସରେ ଇଂଲଣ୍ଡ ଗସ୍ତ ପୂର୍ବରୁ ବ୍ୟାଗ୍‌ ପ୍ୟାକ୍‌ କରିବା ପରେ ବି ଯାଇଥିଲେ କବର ନିକଟକୁ ସେଠାରୁ ବିମାନବନ୍ଦରକୁ। ଯିବା ପୂର୍ବରୁ ମା’କୁ କହିଥିଲେ, ‘‘ଅମ୍ମି ଏଥର ପ୍ରାର୍ଥନା କରିବୁ, ମୁଁ ଭଲ କରି ଭାରତକୁ ଜିତାଇକି ଆସେ।’’ ବିଜୟ ପରେ ମା’ ଶବାନା କହିଛନ୍ତି, ‘‘ସିରାଜ ତା’ ଅବ୍ବୁକୁ ଅତି ଭଲ ପାଉଥିଲେ। ସେ ମଧ୍ୟ ତାକୁ ଭଲ ପାଉଥିଲେ। ସିରାଜ ପାଇଁ ସେ ସବୁକିଛି କରିବାକୁ ପ୍ରସ୍ତୁତ ଥିଲେ। ମୋ ଆଶୀର୍ବାଦ ସବୁବେଳେ ତା’ ସହ ଅଛି’’। ଆଣ୍ଡରସନ୍-ତେନ୍ଦୁଲକର ଟ୍ରଫିର ପ୍ରତିଟି ମ୍ୟାଚ୍‌କୁ ଶବାନା ଦେଖୁଥିଲେ ଏବଂ ପୁଅ ପାଇଁ ଦୈନିକ ୫ ଥର ପ୍ରାର୍ଥନା କରୁଥିଲେ। ଅମ୍ମିର ପ୍ରାର୍ଥନାରେ ଭାରି ଶକ୍ତିଥାଏ, ଆଶୀର୍ବାଦ ପାଇଁ ଦୈନିକ ଭିଡିଓ କଲ୍‌ କରେ ବୋଲି କହିଛନ୍ତି ସିରାଜଙ୍କ ସାନ ଭାଇ ମହମ୍ମଦ ଇସ୍‌ମାଇଲ୍‌। ଅବ୍ବୁ କହିଯାଇଥିଲେ ‘ବେଟା ବହୁ ନାମ କମାଇବାର ଅଛି,‌ ଦେଶ ପାଇଁ ଖେଳିବାର ଅଛି’। ଏହାକୁ ସିରାଜ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି।