ସେଣ୍ଟଜର୍ଜ: ବୁଧବାର ବିଳମ୍ବିତ ରାତିରେ ଓଡ଼ିଶା ଅଦିନିଆ ବର୍ଷାରେ ଭିଜୁଥିଲା ବେଳେ କାରବୀୟ ରାଷ୍ଟ୍ର ଗ୍ରେନେଡାର ରାଜଧାନୀ ସେଣ୍ଟ ଜର୍ଜରେ ଏକ ନିଆରା କ୍ରିକେଟ୍ ବର୍ଷା ସେଠାକାର କ୍ରୀଡ଼ାପ୍ରେମୀଙ୍କୁ ରୋମାଞ୍ଚିତ କରିଥିଲା। ସେଣ୍ଟ ଜର୍ଜ କ୍ରିକେଟ୍ ପଡ଼ିଆରେ ସେତେବେଳେ ଛକା ବର୍ଷା ଚାଲିଥିଲା। ଇଂଲଣ୍ଡ ଓ ୱେଷ୍ଟଇଣ୍ଡଜ୍ ମଧ୍ୟରେ ଏଠାରେ ଖେଳା ଯାଇଥିବା ଚତୁର୍ଥ ଦିନିକିଆରେ ଉଭୟ ଦଳ ମିଶି ଦିନିକିଆ କ୍ରିକେଟ୍ ଇତିହାସର ‘ସର୍ବାଧିକ’ ୪୬ ଛକା ମାରିଥିଲେ। ସେଥିମଧ୍ୟରେ ଇଂଲଣ୍ଡର ଅବଦାନ ୨୪ ଛକା ଥିଲା ବେଳେ ୱେଷ୍ଟଇଣ୍ଡିଜ୍ ତା’ ପାଳିରେ ୨୨ ଛକା ମାରିଥିଲା। ଦୁଇ ଦଳ ମିଳିତ ଭାବେ ଖେଳିଥିବା ୯୮ ଓଭରରେ ୮୦୦ରୁ ଅଧିକ ରନ୍ ସଂଗ୍ରହ କରିଥିଲେ। ଇଂଲଣ୍ଡର ଦୁଇ ଜଣ ବ୍ୟାଟ୍ସମ୍ୟାନ୍ ଅଧିନାୟକ ଇଅନ ମୋର୍ଗାନ (୧୦୩) ଓ ଜୋସ୍ ବଟଲର (୧୫୦) ଶତକ ଅର୍ଜନ କରିଥିଲେ। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜର ଦୁର୍ଦ୍ଧର୍ଷ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ ୧୬୨ ରନ୍ର ଧୂଆଁଧାର ପାଳି ଖେଳିଥିଲେ। ଏହି ସ୍ମରଣୀୟ ପାଳି ମଧ୍ୟରେ ଗେଲ୍ ଏକାକି ୧୪ ବିଶାଳ ଛକା ମାରିଥିଲେ। ଗେଲ୍ ନିଜର ଏହି ପାଳିକୁ ନେଇ ଏପରି ଉତ୍ସାହିତ ହୋଇ ଯାଇଥିଲେ ଯେ ବିଶ୍ବକପ୍ ପରେ ଅବସର ନେବା ନେଇ କରିଥିବା ନିଷ୍ପତ୍ତିର ପୁନର୍ବିଚାର କରିବା ଘୋଷଣା କରି ଦେଇଥିଲେ। ଦୁର୍ଭାଗ୍ୟଜନକ ଭାବେ ଇଣ୍ଡିଜ୍ କିନ୍ତୁ ଏହି ମ୍ୟାଚ୍କୁ ୨୯ ରନ୍ରେ ହାରି ଯାଇଥିଲା। ସେଣ୍ଟ ଜର୍ଜ ଦର୍ଶକ କିନ୍ତୁ ଦିନିକିଆ କ୍ରିକେଟ୍ର ଏହି ରୋମାଞ୍ଚକର ମୁକାବିଲାର ଭରପୁର ମଜା ଉଠାଇଥିଲେ। ଇଂଲଣ୍ଡ ବୁଧବାରର କୀର୍ତ୍ତିମାନ ଭରା ମ୍ୟାଚ୍ରେ ୬ ୱିକେଟ୍ ହରାଇ ୪୧୮ ରନ୍ କରିଥିଲା। ଏହାର ଜବାବରେ ଇଣ୍ଡିଜ୍ ଗେଲ୍ ଝଡ଼ ସତ୍ତ୍ବେ ୪୮ ଓଭରରେ ସମସ୍ତ ୱିକେଟ୍ ହରାଇ ୩୮୯ ରନ୍ରେ ସୀମିତ ରହି ଯାଇଥିଲା। ୱେଷ୍ଟଇଣ୍ଡିଜର ପଶ୍ଚାତଧାବନ କିନ୍ତୁ ଆତ୍ମବିଶ୍ବାସଭରା ଥିଲା। ଗେଲ୍ ଯେମିତି ବ୍ୟାଟିଂ କରୁଥିଲେ ଇଣ୍ଡିଜ୍ ଏକ ଐତିହାସିକ ବିଜୟ ହାସଲ କରିବ ବୋଲି ଘରୋଇ ପ୍ରଶଂସକ ଆଶା ରଖିଥିଲେ। ହେଲେ ଇଂଲଣ୍ଡ ବୋଲର ମାର୍କ ଉଡ୍ (୪/୬୦) ଓ ଆଦିଲ ରସିଦ (୫/୮୫) ୯ ୱିକେଟ୍ ବାଣ୍ଟିନେଇ ଇଂଲଣ୍ଡକୁ ଚିତ୍ତାକର୍ଷକ ବିଜୟ ଉପହାର ଦେଇଥିଲେ। ଇଣ୍ଡିଜ୍ କରିଥିବା ୩୮୯ ରନ୍ ଅବଶ୍ୟ ଏହି ଦଳର ସର୍ବାଧିକ ଦିନିକିଆ ସ୍କୋର ଥିଲା। ସେଣ୍ଟ ଜର୍ଜରେ ହୋଇଥିବା ୮୦୭ ରନ୍ କୌଣସି ଦିନିକିଆ ଆନ୍ତର୍ଜାତିକର ତୃତୀୟ ସର୍ବାଧିକ ରନ୍ (ଉଭୟ ପାଳି ମିଶାଇ) ଥିଲା। ୨୦୦୬ର ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ଦିନିକିଆ (ଜୋହାନେସବର୍ଗ, ୮୭୨ ରନ୍) ଓ ୨୦୦୯ର ଭାରତ-ଶ୍ରୀଲଙ୍କା ମ୍ୟାଚ୍ (ରାଜକୋଟ, ୮୨୫ ରନ୍) ଏହି କ୍ରମରେ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ବୁଧବାର ବିଜୟ ସହ ଇଂଲଣ୍ଡ ୫ ଟିକିଆ ଶୃଙ୍ଖଳାରେ ୨-୧ରେ ଆଗୁଆ ହୋଇଛି। ସେହିଭଳି ଦିନିକିଆ କ୍ରିକେଟ୍ରେ ଇଂଲଣ୍ଡ ଚତୁର୍ଥ ଥର ପାଇଁ ୪୦୦ରୁ ଅଧିକ ରନ୍ କରିଥିଲା।
ଭାରତ-ଅଷ୍ଟ୍ରେଲିଆକୁ ଟପିଲେ
ପୂର୍ବରୁ କୌଣସି ଏକ ଦିନିକିଆରେ ସର୍ବାଧିକ ଛକା ମାରିବାର କୀର୍ତ୍ତିମାନ ଭାରତ ଓ ଅଷ୍ଟ୍ରେଲିଆ ନାଁରେ ରହିଥିଲା। ୨୦୧୩ରେ ବେଙ୍ଗାଲୁରୁରେ ଭାରତ-ଅଷ୍ଟ୍ରେଲିଆ ୫୦ ଓଭର ମୁକାବିଲାରେ ମିଳିତ ଭାବେ ୩୮ ଛକା ମାରିଥିଲେ। ଯାହା ଇଂଲଣ୍ଡ-ୱେଷ୍ଟଇଣ୍ଡିଜ୍ ଦିନିକିଆ ପୂର୍ବରୁ ବିଶ୍ବ କୀର୍ତ୍ତିମାନ ହୋଇ ରହିଥିଲା। ଏବେ କିନ୍ତୁ ଏହା ଭାଙ୍ଗି ଯାଇଛି। ବୁଧବାରର ମୋଟ ୪୬ ଛକା ମଧ୍ୟରୁ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ଜନି ବେୟାରଷ୍ଟୋ ୪, ଆଲେକ୍ସ ହାଲେସ୍ ୨, ଇଅନ ମୋର୍ଗାନ ୬, ଜୋସ୍ ବଟଲର ୧୨ ଛକା ମାରିଥିଲେ। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ ପକ୍ଷରୁ କ୍ରିସ୍ ଗେଲ୍ ଏକାକି ୧୪ ଛକା ମାରିଥିଲା ବେଳେ ବଳକା ୮ ଛକା ଜନ୍ କ୍ୟାମ୍ପବେଲ୍ (୧), ଡାରେନ୍ ବ୍ରାଭୋ (୪), ସିମରନ୍ ହେଟମର (୧) ଓ କାର୍ଲୋସ୍ ବ୍ରାଥୱେଟ୍ (୨) ମାରିଥିଲେ। ମ୍ୟାଚ୍ର ୬୪ ଚୌକାରୁ ଇଂଲଣ୍ଡ ୩୪ ଓ ୱେଷ୍ଟଇଣ୍ଡିଜ୍ ୩୦ ଚୌକା ମାରିଥିଲା।
୧୦,୦୦୦ ରନ୍ କ୍ଲବ୍ରେ ଗେଲ୍ଅ, ବସର ନିଷ୍ପତ୍ତିର ପୁନର୍ବିଚାର କରିବେ
ଇଂଲଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆରେ ୧୬୨ ରନ୍ (୯୭ ବଲ୍, ୧୧ ଚୌକା, ୧୪ ଛକା) କରି ୱେଷ୍ଟଇଣ୍ଡିଜର ବିସ୍ଫୋରକ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ ଦିନିକିଆ କ୍ରିକେଟ୍ରେ ୧୦,୦୦୦ ରନ୍ ପୂରଣ କରିଛନ୍ତି। ଏହି ମ୍ୟାଚ୍ରେ ମାତ୍ର ୫୫ ବଲ୍ରୁ ୨୫ତମ ଶତକ ଅର୍ଜନ କରିଥିବା ୩୯ ବର୍ଷୀୟ ଗେଲ୍ ମଧ୍ୟ ୫୦୦ ଅନ୍ତର୍ଜାତୀୟ ଛକାର ମାଇଲଖୁଣ୍ଟ ଛୁଇଁଛନ୍ତି। ଗେଲ୍ ସଂପ୍ରତି ୨୮୮ ଦିନିକିଆ ଖେଳି ୨୫ ଶତକ ଓ ୫୦ ଅର୍ଧଶତକ ସହ ୧୦,୦୭୪ ରନ୍ କରିଛନ୍ତି। ଇଂଲଣ୍ଡ ବିପକ୍ଷରେ ଖେଳିଥିବା ଏହି ଅବିଶ୍ବସନୀୟ ପାଳି ପରେ ଗେଲ୍ ନିଜ ଅବସର ନିଷ୍ପତ୍ତିକୁ ପୁନର୍ବିଚାର କରିବା ସଙ୍କେତ ମଧ୍ୟ ଦେଇଛନ୍ତି। ପୂର୍ବରୁ ଚଳିତ ବର୍ଷ ଇଂଲଣ୍ଡରେ ଖେଳା ଯିବାକୁ ଥିବା ବିଶ୍ବକପ୍ ପରେ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେବେ ବୋଲି ସେ ଘୋଷଣା କରିଥିଲେ। ଗେଲ୍ ମଧ୍ୟ ୧୦୩ ଟେଷ୍ଟ ଖେଳି ୧୫ ଶତକ ଏବଂ ୩୭ ଅର୍ଧଶତକ ବଳରେ ୭୨୧୪ ରନ୍ କରିଛନ୍ତି। ୫୬ ଟ୍ବେଣ୍ଟି-୨୦ରୁ ମଧ୍ୟ ଗେଲ୍ ୨ ଶତକ ଏବଂ ୧୩ ଅର୍ଧଶତକ ସହାୟତାରେ ୧୬୦୭ ରନ୍ କରିଛନ୍ତି। ସେପଟେ ବିଜୟୀ ଇଂଲଣ୍ଡ ଦଳର ଅଧିନାୟକ ଇଅନ ମୋର୍ଗାନ ନିଜ ୧୦୩ ରନ୍ର ପାଳି ମଧ୍ୟରେ ପ୍ରଥମ ଇଂଲଣ୍ଡ ଖେଳାଳି ଭାବେ ଦିନିକିଆରେ ୬,୦୦୦ ରନ୍ ଛୁଇଁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/Untitled-10.jpg)