ଆଇପିଏଲ୍‌ ଛକା ମାଷ୍ଟର: କ୍ରିସ୍ ଗେଲ୍ ୩୨୬, ମହେନ୍ଦ୍ର ସିଂହ ଧୋନି ୨୦୯

ମୁମ୍ବାଇ: ବିଶ୍ବର ସବୁଠାରୁ ଧନୀ କ୍ରିକେଟ୍‌ ଲିଗ୍‌ ‘ଆଇପିଏଲ୍‌’ର ଚଳିତ ବର୍ଷର ସଂସ୍କରଣ କରୋନା ଲାଗି ବାତିଲ ହେବାର ଆଶଙ୍କା ରହିଛି। ‌ଏହି ଲିଗ୍‌ ସବୁବେଳେ ବ୍ୟାଟ୍ସମ୍ୟାନ୍‌ଙ୍କ ପ୍ରଦର୍ଶନ ଓ ଛକାକୁ ନେଇ ପ୍ରସିଦ୍ଧ। ଏଥିପାଇଁ ଆଇପିଏଲ୍‌ ପ୍ରଶଂସକଙ୍କ ଅତି ପ୍ରିୟ ହୋଇପାରିଛି। ପ୍ରଥମ ଆଇପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବୋଲରଙ୍କୁ ବ୍ରେଣ୍ଡନ୍‌ ମ୍ୟାକ୍‌ଲମଙ୍କ ନିର୍ଘାତ ପ୍ରହାରଠୁ ଆରମ୍ଭ କରି ଗତ ଋତୁରେ ଆନ୍ଦ୍ରେ ରସେଲଙ୍କ ସର୍ବାଧିକ ଛକା ପର୍ଯ୍ୟନ୍ତ, କ୍ରିକେଟ୍ ପ୍ରେମୀ ଏସବୁରୁ ମ‌େନାରଞ୍ଜନର ଢେର ଖୋରାକ ପାଇଛନ୍ତି। ଆଇପିଏଲ୍‌-୧୩ର ଅନିଶ୍ଚିତତା ଯୋଗୁଁ ପ୍ରଶଂସକଙ୍କୁ ପୁନର୍ବାର ଏଭଳି ପାୱାର୍ ହିଟ୍‌ ଦେଖିବା ପାଇଁ ଅପେକ୍ଷା କରିବାକୁ ପଡ଼ିବ। ଆଇପିଏଲ୍‌ରେ ସର୍ବାଧିକ ଛକା ମାରିଥିବା ଶ୍ରେଷ୍ଠ ୫ ତାରକାଙ୍କ ଉପରେ ଆସନ୍ତୁ ନଜର ପକାଇବା।

କ୍ରିସ୍ ଗେଲ୍: ୩୨୬
ୱେଷ୍ଟଇଣ୍ଡିଜ୍‌ର ଏହି ବିସ୍ଫୋରକ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଛକା ପାଇଁ ଅପରିଚିତ ନୁହଁନ୍ତି। ସେ ଆରାମରେ ଏହି ତାଲିକାରେ ଶୀର୍ଷରେ ରହିଲେ କେହି ଆଶ୍ଚର୍ଯ୍ୟ ହେବାର ନାହିଁ। କିଙ୍ଗସ ଇଲେଭେନ୍‌ ପଞ୍ଜାବ ପାଇଁ ଖେଳୁଥିବା ଏହି ବାମହାତୀ ବ୍ୟାଟ୍ସମ୍ୟାନ୍‌ ଆଇପିଏଲ୍‌ରେ ୩ଟି ଦଳରୁ ପ୍ରତିନିଧିତ୍ୱ କରିଛନ୍ତି। ଦୁଇଟି ଭିନ୍ନ ସଂସ୍କରଣରେ ସେ ୫୦ରୁ ଅଧିକ ଛକା ମାରିଛନ୍ତି। ୨୦୧୨ରେ ଗେଲ୍ ୫୯ ଓ ୨୦୧୩ ସଂସ୍କରଣରେ ୫୧ ଛକା ମାରିଥିଲେ। ଗତ ଋତୁରେ ସେ ପ୍ରତିଯୋଗିତାରେ ୩୦୦ ଛକା ମାରିବାରେ ପ୍ରଥମ ବ୍ୟକ୍ତି ହୋଇଥିଲେ।
ଏବି ଡି’ଭିଲିୟର୍ସ: ୨୧୨
ସଂସ୍କରଣ ପ୍ରତି ହାରାହାରି ୧୪ ଛକା ମାରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଦକ୍ଷିଣ ଆଫ୍ରିକୀୟ ବ୍ୟାଟ୍ସମ୍ୟାନ୍ ଏବି ଡି’ଭିଲିୟର୍ସ ୨୧୨ ପାଳିରେ ୨୧୨ ଛକା ମାରି ସର୍ବାଧିକ ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଡି ଭିଲିୟର୍ସ ଦୁଇଟି ଦଳ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ ଡେୟାରଡେଭିଲ୍ସ ପାଇଁ ଖେଳିଛନ୍ତି। ୨୦୧୬ ଋତୁରେ ସେ ସବୁଠୁ ଭଲ ପ୍ରଦର୍ଶନ କରିଥିଲେ। ଏହି ସଂସ୍କରଣରେ ସେ ୩୭ ଛକା ମାରିଥିଲେ।
ମହେନ୍ଦ୍ର ସିଂହ ଧୋନି: ୨୦୯
ଏହି ପୂର୍ବତନ ଭାରତୀୟ ଅଧିନାୟକ ଶ୍ରେଷ୍ଠ ଫିନିସର ଭାବେ ପରିଚିତ। ସେ ୧୯୦ ମ୍ୟାଚ୍‌ରେ ୨୦୯ ଛକା ମାରି ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି। ୨୦୧୩ ପରଠାରୁ ଧୋନି ପ୍ରତ୍ୟେକ ସଂସ୍କରଣରେ ଅତି କମ୍‌ରେ ୧୫ ଛକା ମାରିଛନ୍ତି। ୨୦୧୮ରେ ସେ ସବୁଠୁ ଅଧିକ ଛକା ୩୦ଟି ମାରିଥିଲେ। ସେହି ବର୍ଷ ଚେନ୍ନାଇ ସୁପର କିଙ୍ଗ୍ସ ଟ୍ରଫି ମଧ୍ୟ ଜିତିଥିଲା।
ରୋହିତ ଶର୍ମା: ୧୯୪
ଏହି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ବିଶ୍ୱର ଶ୍ରେଷ୍ଠ ଟ୍ବେଣ୍ଟି-୨୦ ବ୍ୟାଟ୍ସମ୍ୟାନ୍ ଭାବରେ ପରିଗଣିତ। ସେ ୧୯୪ ଛକା ସହ ସର୍ବାଧିକ ଛକା ତାଲିକାରେ ଚତୁର୍ଥ ସ୍ଥାନରେ ଅଛନ୍ତି। ରୋହିତ ଆଇପିଏଲ୍‌ରେ ୧୮୮ ମ୍ୟାଚ୍ ଖେଳି ୨୫ଥର ପଚାଶରୁ ଅଧିକ ରନ୍‌ ସହ ମୋଟ ୪୮୯୮ ରନ୍ କରିଛନ୍ତି। ସର୍ବାଧିକ ରନ୍‌ ସଂଗ୍ରହକାରୀ ତାଲିକାରେ ସେ ଭାରତୀୟ ଦଳର ସାଥୀ ସୁରେଶ ରାଇନା ଓ ବିରାଟ କୋହଲିଙ୍କ ପରେ ତୃତୀୟ ସ୍ଥାନରେ ଅଛନ୍ତି।
ସୁରେଶ ରାଇନା: ୧୯୪
ଚେନ୍ନାଇ ସୁପର କିଙ୍ଗ୍ସ ବାମହାତୀ ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନା ଆଇପିଏଲ୍‌ରେ ରୋହିତ ଶର୍ମାଙ୍କ ସହ ସମାନ ସଂଖ୍ୟକ ଛକା ମାରିଛନ୍ତି। ହେଲେ ସେ ରୋହିତଙ୍କଠୁ ୫ ମ୍ୟାଚ୍‌ ଅଧିକ ଖେଳିଛନ୍ତି। ବିରାଟ କୋହଲି (୫୪୧୨)ଙ୍କ ପରେ ରାଇନା (୫୩୬୮) ଦ୍ବିତୀୟ ସର୍ବାଧିକ ରନ୍ ସ୍କୋରର୍। ଦଳର ଏକାଧିକ ଟ୍ରଫି ବିଜୟରେ ତାଙ୍କର ପ୍ରମୁଖ ଅବଦାନ ରହିଛି।

ସମ୍ବନ୍ଧିତ ଖବର