ଶ୍ରୀଲଙ୍କାକୁ ଷଷ୍ଠ ଏସିଆ କପ୍‌: ପାକିସ୍ତାନ ୨୩ ରନ୍‌ରେ ପରାସ୍ତ

ରାଜପକ୍ଷ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି, ହସରଙ୍ଗା ଏସିଆ କପ୍‌ର ଶ୍ରେଷ୍ଠ ଖେଳାଳି

ଦୁବାଇ: ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ସଂଘର୍ଷରତ ଶ୍ରୀଲଙ୍କା ରବିବାର ଅଲରାଉଣ୍ଡ୍ ପ୍ରଦର୍ଶନ କରି ଏସିଆ କପ୍‌ କ୍ରିକେଟ୍ ମୁକୁଟ ଜିତି ନେଇଛି। ଭାନୁକା ରାଜପକ୍ଷଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ, ୱାନିନ୍ଦୁ ହସରଙ୍ଗାଙ୍କ ଅଲରାଉଣ୍ଡ୍ ପ୍ରଦର୍ଶନ ସହିତ ପ୍ର ମୋଦ ମଦୁସନଙ୍କ ୪ ୱିକେଟ୍‌ ଦଖଲ ବଳରେ ଶ୍ରୀଲଙ୍କା ଫାଇନାଲ୍‌ରେ ପାକିସ୍ତାନକୁ ୨୩ ରନ୍‌ରେ ହରାଇ ଦେଇଥିଲା। ୫୮/୫ରେ ସଂଘର୍ଷ କରିବା ସତ୍ତ୍ବେ ଶ୍ରୀଲଙ୍କା ୧୭୦ ରନ୍‌ ସଂଗ୍ରହ କରିନେଇଥିଲା। ପାକିସ୍ତାନକୁ ଏହାର ବୋଲରମାନେ ୧୪୭ ରନ୍‌ରେ ଅଲଆଉଟ୍ କରି ଦେଇଥିଲେ। ଏଥି ସହିତ ଶ୍ରୀଲଙ୍କା ମଧ୍ୟ ଷଷ୍ଠ ଥର ପାଇଁ ଏସିଆ କପ୍‌ ଜିତି ଭାରତ (୭ ଥର)ର ନିକଟତର ହୋଇଛି। ପାକିସ୍ତାନ ୧୦ ବର୍ଷ ପରେ ଏସିଆ କପ୍‌ ଜିତିବାର ନିକଟତର ହୋଇଥିଲେ ମଧ୍ୟ ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଛି। ଏପରିକି ଦୁବାଇରେ ଟସ୍ ଜିତ ମ୍ୟାଚ୍‌ ଜିତିବାର ଧାରାକୁ ଏହି ଦଳ କାବୁ କରିପାରିନଥିଲା।
ଲଗାତାର ଟସ୍ ଜିତି ଆସିବା ସହ ମ୍ୟାଚ୍‌ ଜିତୁଥିବା ଶ୍ରୀଲଙ୍କା କିନ୍ତୁ ରବିବାର ରାତିରେ ଠିକ୍‌ରେ କଏନ୍ ପାର୍ଶ୍ବ ଡାକି ପାରିନଥିଲା।

ଫଳରେ ପାକିସ୍ତାନ ଟସ୍ ଜିତି ସ୍ବାଭାବିକ ଭାବେ ପ୍ରଥମେ କ୍ଷେତ୍ରରକ୍ଷଣ କରିଥିଲା। କେବଳ ସେତିକି ନୁହେଁ ନବମ ଓଭର ଭିତରେ ଏହି ଦଳ ଏହାର ଅଧା (୫) ଖେଳାଳିଙ୍କୁ ହରାଇ ଗଭୀର ସଙ୍କଟରେ ପଡିଥିଲା। ପ୍ରଥମ ଓଭରରେ କୁସାଲ ମେଣ୍ଡିସ୍‌ଙ୍କୁ ନସିମ୍‌ ସାହା ବୋଲ୍ଡ କରିଦେବା ପରେ ଡାହାଣହାତୀ ଦ୍ରୁତ ବୋଲର ହାରିସ୍ ରୌଫ ଲଗାତାର ୩ ଓଭରରେ ୩ ୱିକେଟ୍ ଅକ୍ତିଆର କରି ଶ୍ରୀଲଙ୍କାର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ଅଧିନାୟକ ଦସୁନ ଶଣକାଙ୍କ ୱିକେଟ୍ ନେଇଥିଲେ ସ୍ପିନର୍ ସଦାବ ଖାନ୍‌। ୫୮/୫ରେ ସଂଘର୍ଷ କରିଥିବା ଶ୍ରୀଲଙ୍କା ପାଳିକୁ ନୂଆ ଜୀବନ ଦେଇଥିଲେ ଭାନୁକା ରାଜପକ୍ଷ (୪୫ ବଲ୍‌ରୁ ୭୧* ରନ୍‌, ୬ ଚୌକା, ୩ ଛକା) ଏବଂ ୱାନିନ୍ଦୁ ହସରଙ୍ଗା (୨୧ ବଲ୍‌ରୁ ୩୬ ରନ୍‌, ୫ ଚୌକା, ୧ ଛକା)। ଉଭୟ ଷଷ୍ଠ ୱିକେଟ୍‌ ପାଇଁ ୩୬ ବଲ୍‌ରୁ ୫୮ ରନ୍‌ ଯୋଡ଼ିଥିଲେ। ଏହା ପରେ କରୁଣାରତ୍ନେ (୧୪*)ଙ୍କୁ ସାଥି କରି ଭାନୁକା ମଧ୍ୟ ଆଉ ଏକ ଅର୍ଦ୍ଧଶତକ (୩୧ ବଲ୍‌ରୁ ୫୪*) ରନ୍‌ ଯୋଡ଼ିଥିଲେ। ପ୍ରଥମ ଥର ପାଇଁ ଏକ ଦେଶ‌ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ଉଭୟ ଷଷ୍ଠ ଓ ସପ୍ତମ ୱିକେଟ୍ ପାଇଁ ଅର୍ଦ୍ଧଶତକୀୟ ଭାଗୀଦାରି କରିଥିଲା। ରବିବାର ମଧ୍ୟ ଶ୍ରୀଲଙ୍କା ଶେଷ ୪ ଓଭରରେ ୫୦ ରନ୍‌ ଯୋଡି ଆହ୍ବାନଭରା ସ୍କୋର୍‌ ଛିଡ଼ା କରିପାରିଥିଲା।

ଜବାବରେ ପାକିସ୍ତାନ ମଧ୍ୟ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ବାବର ଆଜମ ଲଗାତାର ଷଷ୍ଠ ପାଳିରେ ବିନା ଅର୍ଦ୍ଧଶତକରେ ବିଦା ହୋଇଥିଲେ। ମହମ୍ମଦ ରିଜୱାନ (୪୯ ବଲ୍‌ରୁ ୫୫) ଏବଂ ଇଫତିକାର ଅହମ୍ମଦ (୩୧ ବଲ୍‌ରୁ ୩୨ ରନ୍‌)ଙ୍କ ଛଡ଼ା ଅନ୍ୟ କେହି ଲଢ଼ି ପାରିନଥିଲେ। ପ୍ରମୋଦ ମଦୁସନ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିବା ବେଳେ ୧୭ତମ ଓଭରରେ ରିଜୱାନଙ୍କ ୱିକେଟ୍‌ ସହ ୱାନିନ୍ଦୁ ହସରଙ୍ଗା ୩ ୱିକେଟ୍ ଦଖଲ କରି ପାକିସ୍ତାନର ଅଣ୍ଟା ମୋଡି ଦେଇଥିଲେ। ପ୍ରମୋଦ ମଦୁସନ ୪ ଏବଂ ହସରଙ୍ଗା ୩ ୱିକେଟ୍‌ ଦଖଲ କରି ଶ୍ରୀଲଙ୍କା ବିଜୟ ପଥ ସୁଗମ କରି ଦେଇଥିଲେ।

ସଂକ୍ଷିପ୍ତ ସ୍କୋର୍‌: ଶ୍ରୀଲଙ୍କା ୨୦ ଓଭରରେ ୧୭୦/୬ (ଭାନୁକା ରାଜପକ୍ଷ-୭୧*, ୱାନିନ୍ଦୁ ହସରଙ୍ଗା-୩୬, ଧନଞ୍ଜୟ ଡି’ସିଲଭା-୨୮, ଚାମିକା କରୁଣାରତ୍ନେ-୧୪*, ହାରିସ୍ ରୌଫ-୩/୨୯, ଇଫତିକାର ଅହମ୍ମଦ-୧/୨୧, ସଦାବ ଖାନ୍‌-୧/୨୮, ନସିମ୍ ଖାନ୍‌-୧/୪୦)। ପାକିସ୍ତାନ ୨୦ ଓଭରରେ ୧୪୭ (ମହମ୍ମଦ ରିଜୱାନ-୫୫, ଇଫତିକାର ଅହମ୍ମଦ-୩୨, ପ୍ରମୋଦ ମଦୁସନ-୪/୩୪, ୱାନିନ୍ଦୁ ହସରଙ୍ଗା-୩/୨୭, ଚାମିକା କରୁଣାରତ୍ନେ-୨/୩୩, ମହେଶ ତିକ୍ଷଶାଣା-୧/୨୫)।

ସମ୍ବନ୍ଧିତ ଖବର