ଆଇପିଏଲ୍‌ରେ ଷଷ୍ଠ: କୋହଲିଙ୍କ ତୃତୀୟ ଗୋଲ୍‌ଡେନ୍‌ ଡକ୍‌

ମୁମ୍ବାଇ: ଚଳିତ ଆଇପିଏଲ୍‌ରେ ବିରାଟ କୋହଲିଙ୍କ ବ୍ୟାଟ୍‌ କଥା କହୁନି। ସଂଯୋଗବଶତଃ ଭାରତୀୟ ଟ୍ବେଣ୍ଟି-୨୦ ଏବଂ ଟେଷ୍ଟ୍‌ ଦଳର ଅଧିନାୟକ ପଦ ଛାଡ଼ିବା ଏବଂ ଦିନିକିଆ ନେତୃତ୍ବ ହରାଇବା ପରଠାରୁ ତାଙ୍କ ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଆସିଛି। ଚଳିତ ଆଇପିଏଲ୍‌ରେ ରବିବାର ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ ପ୍ରଥମ ବଲ୍‌ରେ ହିଁ ଆଉଟ୍‌ ହୋଇଯାଇଥିଲେ। ବାମହାତୀ ସ୍ପିନର ଜଗଦୀଶ ସୁଚିତ ବୋଲିଂ ଆକ୍ରମଣ ଆରମ୍ଭ କରିଥିଲା ବେଳେ ତାଙ୍କ ପ୍ରଥମ ବଲ୍‌ରେ ହିଁ କୋହଲିଙ୍କୁ ଶିକାର କରିନେଇଥିଲେ।

କୋହଲି ସିଧା ସର୍ଟ ମିଡ୍‌ ୱିକେଟ୍‌ ଅଞ୍ଚଳକୁ ଖେଳିଥିଲା ବେଳେ ପ୍ରତିପକ୍ଷ ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ଙ୍କ ହାତରେ ଧରା ପଡ଼ିଯାଇଥିଲେ। ଏଥି ସହିତ ଆଇପିଏଲ୍‌-୨୦୨୨ରେ ସେ ତୃତୀୟ ଥର ପାଇଁ ଶୂନରେ ଆଉଟ୍‌ ହୋଇ ଗୋଲ୍‌ଡେନ୍‌ ଡକ୍‌ ପାଇଥିଲେ। ଏହା ପୂର୍ବରୁ ଗତମାସରେ ସେ କ୍ରମାଗତ ୨ଟି ମ୍ୟାଚ୍‌ରେ ଗୋଲ୍‌ଡେନ୍‌ ଡକ୍‌ ପାଇଥିଲେ। ମୋଟ ଉପରେ କୋହଲି ଆଇପିଏଲ୍‌ରେ ୬ ଥର ଗୋଲ୍‌ଡେନ୍‌ ଡକ୍‌ରେ ଆଉଟ୍‌ ହୋଇଛନ୍ତି। ୨୦୦୮ରେ ମୁମ୍ବାଇ ଇଣ୍ଡିଆନ୍‌ସ ବୋଲର ଆଶିଷ ନେହରା, ୨୦୧୪ରେ କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବ ବୋଲର ସନ୍ଦୀପ ଶର୍ମା, ୨୦୧୭ରେ କୋଲକାତା ନାଇଟ୍‌ ରାଇଡର୍ସ ବୋଲର ନାଥନ କୁଲ୍‌ଟର ନାଇଲ୍‌ଙ୍କ ଶିକାର ହୋଇଥିବା କୋହଲି ଚଳିତ ଆଇପିଏଲ୍‌ରେ ଲକ୍ଷ୍ନୌ ସୁପରଜିଆଣ୍ଟ୍ସ ବୋଲର ଦୁଷ୍ମନ୍ତ ଚାମିରା, ସନ୍‌ରାଇଜର୍ସ ହାଇଦ୍ରାବାଦ ବୋଲର ମାର୍କୋ ଜ‌ାନ୍‌ସେନ ଓ ଜଗଦୀଶ ସୁଚିତଙ୍କ ଶିକାର ହୋଇଛନ୍ତି।

ଖରାପ ଫର୍ମରେ ଥିବା କୋହଲି ଚଳିତ ଆଇପିଏଲ୍‌ରେ ୧୨ ମ୍ୟାଚ୍‌ରୁ ମାତ୍ର ୨୧୬ ରନ୍‌ କରିପାରିଛନ୍ତି। ସେଥିରେ ଏକମାତ୍ର ଅର୍ଦ୍ଧଶତକ ସାମିଲ ରହିଛି। କେବଳ ସେତିକି ନୁହେଁ, କୋହଲି ମଧ୍ୟ ସମସ୍ତ ଫର୍ମାଟ୍‌ରେ ୧୦୦ରୁ ଅଧିକ ମ୍ୟାଚ୍‌ ଖେଳିବା ପରେ ମଧ୍ୟ ଗୋଟିଏ ହେଲେ ଶତକ ହାସଲ କରିପାରିନାହାନ୍ତି।

ସମ୍ବନ୍ଧିତ ଖବର