୬୦ ବର୍ଷ ପରେ କଣ୍ଟ୍ରାକ୍ଟରଙ୍କ ମୁଣ୍ଡରୁ ଧା‌ତବ ପ୍ଲେଟ୍ କଢ଼ାଗଲା‌

ନୂଆଦିଲ୍ଲୀ: ୧୯୬୨ ମସିହାର ଘଟଣାବହୁଳ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଚାର୍ଲି ଗ୍ରିଫିଥଙ୍କ ବାଉନ୍ସର ମାଡ଼ ପାଇଁ ପୂର୍ବତନ ଭାରତୀୟ କ୍ରିକେଟର୍‌ ନରି କଣ୍ଟ୍ରାକ୍ଟରଙ୍କ ମୁଣ୍ଡରେ ଖଞ୍ଜା ଯାଇଥିବା ଧାତବ ପ୍ଲେଟ୍‌କୁ ଦୀର୍ଘ ୬୦ ବର୍ଷ ପରେ କଢ଼ାଯାଇଛି। ଡାକ୍ତରମାନେ ଅସ୍ତ୍ରୋପଚାର କରି ଏହି ପ୍ଲେଟ୍‌କୁ ସଫଳତାର ସହ କାଢ଼ି ଦେଇଥିବା କଣ୍ଟ୍ରାକ୍ଟରଙ୍କ ପୁଅ ସୂଚନା ଦେଇଛନ୍ତି। ମଙ୍ଗଳବାର ତାଙ୍କୁ ମୁମ୍ବାଇର ରିଲାଏନ୍ସ ଫାଉଣ୍ଡେସନ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବୁଧବାର ତାଙ୍କର ଅସ୍ତ୍ରୋ‌ପଚାର କରାଯାଇଥିଲା। ଡାକ୍ତର ହର୍ଷଦ ପାରେଖ ଏବଂ ଅନିଲ ତିବ୍ରେୱାଲା ଏହି ଅସ୍ତ୍ରୋପଚାର କରିଥିଲେ।

୮୮ ବର୍ଷୀୟ କଣ୍ଟ୍ରାକ୍ଟର ୱେଷ୍ଟଇଣ୍ଡିଜ୍‌ରେ ବାର୍ବାଡସ୍ ବିପକ୍ଷରେ ଏକ ଅଭ୍ୟାସ ମ୍ୟାଚ୍ ଖେଳୁଥିଲା ବେଳେ ଗ୍ରିଫିଥଙ୍କ ଶାଣିତ ବାଉନ୍ସର ସିଧା ଆସି ତାଙ୍କ ମୁଣ୍ଡରେ ବାଜିଥିଲା। ଆଘାତ ଏତେ ଜୋରଦାର ଥିଲା ଯେ ତତକ୍ଷଣା‌ତ୍ ତାଙ୍କର ଏକାଧିକ ଅସ୍ତ୍ରୋପଚାର କରିବାକୁ ପଡ଼ିଥିଲା। ଶେଷରେ ତାଙ୍କ ଜୀବନ ବଞ୍ଚାଇବା ଲାଗି ସେତେବେଳର ପ୍ରସିଦ୍ଧ ସ୍ନାୟୁତନ୍ତ୍ର ବିଶେଷଜ୍ଞ ଡାକ୍ତର ଚାଣ୍ଡି କଣ୍ଟ୍ରାକ୍ଟରଙ୍କ ମୁଣ୍ଡରେ ଏକ ଧାତବ ପ୍ଲେଟ୍‌ ଲଗାଇଥିଲେ। ସେହିଠାରେ କିନ୍ତୁ ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ ଜୀବନ ଶେଷ ହୋଇଯାଇଥିଲା। ପରବର୍ତ୍ତୀ ସମୟରେ ଅବଶ୍ୟ କଣ୍ଟ୍ରାକ୍ଟର ଚମତ୍କାର ପ୍ରତ୍ୟାବର୍ତ୍ତନ କରି ୧୯୬୨-୬୩ରେ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିଥିଲେ। ଏପରିକି ୧୯୭୦-୭୧ରେ ଗୁଜରାଟ ଏବଂ ପଶ୍ଚିମାଞ୍ଚଳର ପ୍ରତିନିଧିତ୍ବ କରିଥିଲେ। ପ୍ରଚଣ୍ଡ ପ୍ରତିଭାର ଅଧିକାରୀ କଣ୍ଟ୍ରାକ୍ଟର ୧୯୫୫ରୁ ୧୯୬୨ ମଧ୍ୟରେ ଭାରତ ପକ୍ଷରୁ ମାତ୍ର ୩୧ ଟେଷ୍ଟ୍ ଖେଳିପାରିଥିଲେ। ବାମହାତୀ ବ୍ୟାଟର୍‌ କଣ୍ଟ୍ରାକ୍ଟର କିନ୍ତୁ ୧୩୮ ପ୍ରଥମଶ୍ରେଣୀ ମ୍ୟାଚ୍ ଖେଳିଥିଲେ। ପଞ୍ଜରା ହାଡ଼ ଭାଙ୍ଗିବା ସତ୍ତ୍ବେ ୧୯୫୯ ମସିହାରେ ଐତିହାସିକ ଲର୍ଡସ ପଡ଼ିଆରେ ଇଂଲଣ୍ଡ ବିପକ୍ଷରେ ୮୧ ରନ୍‌ର ଲଢ଼ୁଆ ପାଳି ଖେଳି ବେଶ୍ ଚର୍ଚ୍ଚିତ ହୋଇଥିଲେ ସେ।

ସମ୍ବନ୍ଧିତ ଖବର