ଭୁବନେଶ୍ବର: ସର୍ବଭାରତୀୟ କ୍ରୀଡ଼ା ସାମ୍ବାଦିକ ମହାସଂଘ (ଏସ୍ଜେଏଫ୍ଆଇ)ର ଦ୍ବିବାର୍ଷିକ କର୍ମକର୍ତ୍ତା ନିର୍ବାଚନ ରବିବାର ଭୁବନେଶ୍ବରସ୍ଥିତ ଏକ ହେଟେଲରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ତ୍ରିପୁରା କ୍ରୀଡ଼ା ସଂଘର ସରଜୁ ଚକ୍ରବର୍ତ୍ତୀ ନୂଆ ସଭାପତି ଓ ତେଲେଙ୍ଗାନାର ଭି. ରମେଶ ସମ୍ପାଦକ ଭାବେ ଆସନ୍ତା ୨ ବର୍ଷ ଲାଗି ନିର୍ବାଚିତ ହୋଇଛନ୍ତି। ଏହାଛଡ଼ା ୪ଟି ଉପସଭାପତି ପଦ ଲାଗି ହୋଇଥିବା ନିର୍ବାଚନରେ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍ଜା)ର ସମ୍ପାଦକ ସୁରେଶ ସ୍ବାଇଁ ରେକର୍ଡ ୧୨ଟି ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ଏସ୍ଜେଏଫ୍ଆଇ ଇତିହାସରେ ଏତେ ସଂଖ୍ୟକ ଭୋଟ ପୂର୍ବରୁ କେହି ପାଇ ନ ଥିଲେ। ନାଗପୁରର ନରେଶ ଶେଲ୍କେ, ଦିଲ୍ଲୀର ସାବି ହୁସେନ ଓ ତାମିଲନାଡୁର ଏସ୍ ଦୀପକ ରାଘବ ଅନ୍ୟ ୩ଜଣ ଉପସଭାପତି ହୋଇଛନ୍ତି। ସମ୍ପାଦକ ରମେଶ, ଯୁଗ୍ମ ସମ୍ପାଦକ ଆସାମ ସଂଘରର ପାର୍ଥ ଚକ୍ରବର୍ତ୍ତୀ ଓ କୋଷାଧ୍ୟକ୍ଷ ମୁମ୍ବାଇ ସଂଘର ସଞ୍ଜୟ ଘରପୁରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ୭ ଜଣିଆ କାର୍ଯ୍ୟକାରୀ କମିଟିକୁ ଓସ୍ଜା ସଭାପତି ସନ୍ଦୀପ ମିଶ୍ର ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ଓସ୍ଜା ଆନୁକୂଲ୍ୟରେ ଶନିବାର ସ୍ପୋର୍ଟ୍ସ କନକ୍ଲେଭ୍ ଆୟୋଜିତ ହୋଇଥିଲା ବେଳେ ରବିବାର ନିର୍ବାଚିତ କର୍ମକର୍ତ୍ତାଙ୍କୁ କିଟ୍ ବିଶ୍ବବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ସମସ୍ତ ବିଜୟୀ କର୍ମକର୍ତ୍ତାଙ୍କୁ ଓସ୍ଜା ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।
Advertisment

Sambad is now on WhatsApp
Join and get latest news updates delivered to you via WhatsApp