ଭୁବନେଶ୍ୱର: ଓଡ଼ିଶାର କୁଶଳୀ ପିଲାମାନଙ୍କ ଦକ୍ଷତା ଏବେ ସାରା ବିଶ୍ୱର ଦୃଷ୍ଟିକୁ ଆସିଛି। ବିଶ୍ବସ୍ତରରେ ଓଡ଼ିଶାର ପିଲାମାନେ ପଦକ ପରେ ପଦକ ହାସଲ କରୁଛନ୍ତି। ୨୦୩୬ ଓ ୨୦୪୭କୁ ଦୃଷ୍ଟିରେ ରଖି ଏକ ବିକଶିତ ଓଡ଼ିଶା ଗଠନ ପାଇଁ କାର୍ଯ୍ୟକ୍ରମମାନ ପ୍ରସ୍ତୁତ ହେଉଛି। ଏହି ବିକଶିତ ଓଡ଼ିଶାର ପ୍ରକୃତ ସାରଥୀ ହେବେ ଦକ୍ଷ ଯୁବ ଶକ୍ତି। ଦକ୍ଷ ଯୁବକ ଯୁବତୀ ମାନେ ହିଁ ଓଡ଼ିଶା ପାଇଁ ଏକ ସୁନ୍ଦର ଭବିଷ୍ୟତ ନିର୍ମାଣ କରି ପାରିବେ। ତେଣୁ ଓଡ଼ିଶାରେ ଦକ୍ଷତା ବିକାଶକୁ ଏକ ଆନ୍ଦୋଳନରେ ପରିଣତ କରାଯିବ। ପ୍ରତ୍ୟେକ କ୍ଷେତ୍ରରେ, ପ୍ରତ୍ୟେକ ସ୍ତରରେ ଦକ୍ଷତାର ବିକାଶ ପାଇଁ ଉଦ୍ୟମ ଜାରି ରହିବ। ଆଜି ଲୋକସେବା ଭବନରେ ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Advertisment

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ପାଇଥିବା ଦେବଗଡ଼ ଜିଲ୍ଲାର ଅମରେଶ ସାହୁଙ୍କୁ ୨୫ଲକ୍ଷ ଟଙ୍କା ଓ ମେଡାଲିଅନ୍‌ ଫର୍‌ ଏକ୍ସଲେନ୍ସ ପାଇଥିବା ଗଜପତି ଜିଲ୍ଲାର ଗେଡେଲା ଅଖିଲଙ୍କୁ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀ କହିଲେ, ଫ୍ରାନ୍ସର ଲିଅନ୍‌ଠାରେ ଗତ ସେପ୍ଟେମ୍ବର ୧୦ରୁ ୧୫ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ ସାରା ଦେଶର ୬୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ କେବଳ ଓଡ଼ିଶାରୁ ୧୫ଜଣ ଭାଗ ନେବା ଏକ ବହୁତ ବଡ଼ ସଫଳତା। ଓଡ଼ିଶାର ପିଲାମାନଙ୍କର ଦକ୍ଷତା ଉପରେ ଥିବା ଭରସାର ଏହା ହେଉଛି ଜ୍ୱଳନ୍ତ ପ୍ରମାଣ। ଓଡ଼ିଶାରେ ଦକ୍ଷତା ବିକାଶ ପାଇଁ ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ ହେଉଛି। ଏ ବର୍ଷ ବଜେଟ୍‌ରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା କ୍ଷେତ୍ରରେ କେବଳ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ୧୦୫୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।

ସିଏମ୍‌ ଆସ୍ପାୟାର ଯୋଜନା ସଂପର୍କରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଲେ, ଏହାର ଲକ୍ଷ୍ୟ ହେଉଛି ଶିଳ୍ପ କ୍ଷେତ୍ରରେ ପିଲାଙ୍କୁ ନିଯୁକ୍ତି ଯୋଗ୍ୟ କରିବା। ନିକଟରେ ୪୫ ହଜାର କୋଟି ଟଙ୍କାର ୨୬ଟି ଶିଳ୍ପ ସ୍ଥାପନ ପାଇଁ ମଞ୍ଜୁରି ଦିଆଯାଇଛି। ଯେଉଁଥିରେ ୩୬ ହଜାର ନିଯୁକ୍ତି ସୃଷ୍ଟି ହେବ। ତେଣୁ ପିଲାଙ୍କୁ ଏହି ସବୁ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ପାଇଁ ଉପଯୁକ୍ତ ଦକ୍ଷତା ଦରକାର। ଦକ୍ଷତା ବିକାଶ କାର୍ଯ୍ୟକ୍ରମର ବିକେନ୍ଦ୍ରୀକରଣ କରାଯାଇ ଜିଲ୍ଲା ସ୍ତରରେ ‘ନୂଆ ଓଡ଼ିଶା ଜିଲ୍ଲା ଦକ୍ଷତା କେନ୍ଦ୍ର’ ଖୋଲା ଯାଉଛି। ଏହା ଦ୍ବାରା ସ୍ଥାନୀୟ ଅଞ୍ଚଳର ଯୁବକମାନେ ଦକ୍ଷତା ଅର୍ଜନ କରିବା ସହିତ ସ୍ଥାନୀୟ ଶିଳ୍ପର ଚାହିଦା ମଧ୍ୟ ପୂରଣ କରି ପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। 

କାର୍ଯ୍ୟକ୍ରମରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଲେ, ଦେଶର ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀଙ୍କ ମଧ୍ୟରୁ କେବଳ ୨୫ ପ୍ରତିଶତ ଓଡ଼ିଶାରୁ ହିଁ ଥିଲେ। ଓଡ଼ିଶାର ପିଲାମାନଙ୍କର ଦକ୍ଷତା ରହିଛି। ଏହାକୁ ତୃଣମୂଳ ସ୍ତରକୁ ପ୍ରସାରିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଉଦ୍ୟମ ଆରମ୍ଭ କରାଯାଇଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଲେ, ଓଡ଼ିଶାର ଦକ୍ଷତା ବିକାଶ କାର୍ଯ୍ୟକ୍ରମର ଏକ ସ୍ୱତନ୍ତ୍ର ମାନଦଣ୍ଡ ରହିଛି। ବିଶ୍ୱସ୍ତରରେ ଓଡ଼ିଶା ପିଲାମାନଙ୍କର ଦକ୍ଷତାକୁ ପରିଚୟ ମିଳିପାରିଛି। ତେଣୁ ଶିଳ୍ପର ଚାହିଦା ଅନୁଯାୟୀ ଆମ ପିଲାମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦିଆଗଲେ ସେମାନେ ବିଶ୍ୱସ୍ତରରେ ନିଯୁକ୍ତି ପାଇବା ପାଇଁ ଯୋଗ୍ୟ ହୋଇପାରିବେ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଏନ୍.ବି.ଏସ ରାଜପୁତ ସ୍ୱାଗତ ଭାଷଣ ଓ ବିଭାଗର ନିର୍ଦ୍ଦେଶିକା  ରଶ୍ମିତା ପଣ୍ଡା ଧନ୍ୟବାଦ ଦେଇଥିଲେ।