ସ୍ଲେଜିଂ ନୁହେଁ, ବ୍ୟାଟ୍‌ ଓ ବଲ୍‌ କଥା କହୁ

-ଜେଫ୍‌ ଥମ୍ପ୍‌ସନ୍‌, ଅଷ୍ଟ୍ରେଲୀୟ କିମ୍ବଦନ୍ତୀ

ଦୁଇଟି ଟେ‌ଷ୍ଟ୍‌ ସରିଯାଇଛି। ସ୍ଥିତି ୧-୧ ରହିଛି। ଆଉ ଦୁଇଟି ଟେ‌ଷ୍ଟ୍‌ ବାକି ଥିଲାବେଳେ ବୁଧବାରଠୁ ଆରମ୍ଭ ହେବାକୁ ଯାଉଥିବା ସ୍ବତନ୍ତ୍ର ବକ୍ସିଂ ଡେ ଟେଷ୍ଟ୍‌ ଉପରେ ଆମ ସମସ୍ତଙ୍କ ନଜର ରହିଛି। ଏହି ଟେଷ୍ଟ୍‌ ମେଲ୍‌ବର୍ନରେ ଖେଳାଯିବ। ମୋ ମତରେ, ଭାରତ ପ୍ରଥମ ଟେଷ୍ଟ୍‌ରେ ବଢିଆ ଖେଳିଥିଲା। ହେଲେ ଶୃଙ୍ଖଳା ସାରା ତାକୁ ବଜାୟ ରଖିବା ଭାବିବା ଠିକ୍‌ ହେବନି। ତଥାପି ଘରୋଇ ଦଳକୁ କଡ଼ା ଆହ୍ବାନ ଦେବାର ସାମର୍ଥ୍ୟ ରଖିଛି। ଭାରତ ଆଡିଲେଡ୍‌ରେ ବିଜୟ ବାନା ଉଡାଇବା ପରେ ପର୍ଥରେ ବୁଡ଼ି ଗଲା। ମୁଁ ଭାବୁଛି, ମଝିରେ ଭାରତୀୟଙ୍କୁ ସମର୍ଥନ ମିଳିଲାନି। ଅଷ୍ଟ୍ରେଲୀୟମାନେ ସର୍ବଦା ପ୍ରତିପକ୍ଷର ଅଧିନାୟକଙ୍କୁ ଟାର୍ଗେଟ୍‌ କରିଥାନ୍ତି। ଯାହାକି ନବେ ଦଶକରୁ ଷ୍ଟିଭ୍‌ ୱ’ ଅଧିନାୟକ ଥିଲାବେଳଠୁ ମୁଖ୍ୟତଃ ଆରମ୍ଭ ହୋଇଛି। ସେହି ଦୃଷ୍ଟିରୁ ଏଥର ଘରୋଇ ଦଳ ମଧ୍ୟ ବିରାଟ କୋହଲିଙ୍କୁ ଟାର୍ଗେଟ୍‌ କରିଛି। କାରଣ କୋହଲି କେବଳ ଭାରତୀୟ ଅଧିନାୟକ ନୁହଁନ୍ତି, ସେ ମଧ୍ୟ ଭ୍ରମଣକାରୀ ଦଳର ସର୍ବ‌େଶ୍ରେଷ୍ଠ ଖେଳାଳି। କୋହଲି ଜଣେ ଆକ୍ରମଣାତ୍ମକ ଖେଳାଳି, ଯିଏକି ପଡ଼ିଆ ଭିତରେ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଭଲ ପାଆନ୍ତି। ତାଙ୍କୁ ବିଗାଡ଼ିବାକୁ ଚେଷ୍ଟା କଲେ ସେ ପ୍ରତିକ୍ରିୟା ବ୍ୟକ୍ତ କରନ୍ତି। ଯାହାକି ପର୍ଥରେ ଦେଖାଯାଇଥିଲା। ଏହି ଯୋଜନା ବି ଅଷ୍ଟ୍ରେଲିଆ ପାଇଁ କାମ ଦେଇଥିଲା। ପର୍ଥରେ ଟିମ୍‌ ପେନ୍‌ଙ୍କ ସହ କିଛି ସମୟ କୋହଲିଙ୍କ ଯୁକ୍ତିତର୍କ ଚର୍ଚ୍ଚାରେ ଥିଲା। ହେଲେ ବ୍ୟକ୍ତଗତ ଭାବେ ମୁଁ ଏଭଳି ଘଟଣାର ଘୋର ବିରୋଧୀ। ଆମ ସମୟରେ ଆମେ କେବେ ବି ଖେଳାଳିଙ୍କୁ ଚିଡ଼ାଇବା ବା ଯୁକ୍ତିତର୍କ କରୁନଥିଲୁ। ମୋ ମତରେ, ଖେଳାଳିଙ୍କ ମଧ୍ୟରେ ପରସ୍ପର ଯୁକ୍ତିତର୍କ ବା ଚିଡ଼ାଚିଡ଼ି ଘଟଣା ଠିକ୍‌ ନୁହେଁ। କାରଣ ବ୍ୟାଟ୍‌ସମ୍ୟାନ୍‌ଙ୍କ ମନରେ ଭୟ ସଞ୍ଚାର କରିବା ପାଇଁ ତୁମ ହାତରେ ଗୋଟିଏ ବଲ୍‌ ଅଛି। ତୁମେ କାହିଁକି ବ୍ୟାଟ୍‌ସମ୍ୟାନ୍‌ ସହ ଯୁକ୍ତିତର୍କ କରିବ? ଏଭଳି ଘଟଣା କାହିଁକି ଘଟୁଛି ତାହା ମୁଁ ଆଦୌ ବୁଝିପାରୁନି। ମୋ ମତରେ ବଲ୍‌ ଓ ବ୍ୟାଟ୍‌କୁ ସେହି କାମ କରିବାକୁ ଦିଆଯାଉ। ପୁଣି ପର୍ଥ ‌ଟେଷ୍ଟ୍‌ ବେଳେ ଷ୍ଟମ୍ପ୍‌ ମାଇକ୍ରୋ ଫୋନ୍‌ ଦ୍ବାରା ସଂଗୃହୀତ ଯୁକ୍ତିତର୍କକୁ ନେଇ ବହୁଳ ଆଲୋଚନା ହେବା ମୁଁ ଶୁଣିଛି। ହେଲେ ଏହା ଆଦୌ ଶେଭାନୀୟ ନୁହେଁ। ଅନେକ ବିଶେଷଜ୍ଞ ସ୍ଲେଜିଂ (କଥା କଟାକଟି)କୁ କ୍ରିକେଟ୍‌ର ଏକ ଅଂଶ ବୋଲି ସମର୍ଥନ କରୁଥିଲା ବେଳେ ମୁଁ କିନ୍ତୁ ଏହାର ବିରୋଧୀ।
ପର୍ଥରେ ପରାଜୟର କାରଣ ଭାରତୀୟ ବୋଲର ବୋଲି ମୁଁ କହିବି। ଏବର ଦ୍ରୁ୍ତ ବୋଲିଂ ବାହିନୀ ଭାରତର ସବୁଠୁ ଶ୍ରେଷ୍ଠ ବୋଲି ଆଲୋଚନା ହେଉଥିଲା ବେଳେ ପର୍ଥରେ ‌ସେମାନେ ଶୃଙ୍ଖଳିତ ବୋଲିଂ କରିନଥିଲେ। ଦ୍ରୁତ ୱିକେଟ୍‌ରେ ଭାରତୀୟ ଦ୍ରୁତ ବୋଲରମାନେ ପ୍ରଥମ ଦିନ ପ୍ରଥମ ଘଣ୍ଟାରେ ସଂଖ୍ୟାଧିକ ସର୍ଟ ବଲ୍‌ ପକାଇ ଅଷ୍ଟ୍ରେଲୀୟ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଆଗକୁ ଆସି ଖେଳିବାକୁ ଦେଇନଥିଲେ। ଯଶ୍‌ପ୍ରୀତ୍‌ ବୁମ୍‌ରାଙ୍କ ବୋଲିଂରେ ମୁଁ ଖୁବ୍‌ ପ୍ରଭାବିତ। ବୁମ୍‌ରାଙ୍କ ପେସ୍‌ ଓ ବାଉଁସିକୁ ବୁଝିବାରେ ଅଷ୍ଟ୍ରେଲୀୟ ଅସୁବିଧା ଭୋଗିଥିଲେ। ଦ୍ବିତୀୟ ପାଳିରେ ମହମ୍ମଦ ସାମି ଘାତକ ବୋଲିଂ କରିଥିଲେ। ହେଲେ ଟେଷ୍ଟ୍‌ରେ ବ୍ୟାଟ୍‌ସମ୍ୟାନ୍‌ଙ୍କୁ କିପରି ଅଡ଼ୁଆରେ ପକାଇହେବ ତାହା ସେମାନଙ୍କୁ ଗ୍ଲେନ୍‌ ମ୍ୟାକ୍‌ଗ୍ରାଙ୍କଠୁ ଶିଖିବା ଦରକାର। ଏବର ଅଷ୍ଟ୍ରେଲିଅ ବ୍ୟାଟିଂ କ୍ରମ ଦୁର୍ବଳ ଥିବା ମୁଁ ସ୍ବୀକାର କରିବି। ତେଣୁ ଭାରତୀୟ ବୋଲରମାନେ ଶୃଙ୍ଖଳିତ ବୋଲିଂ କରି ଚାପ ସୃଷ୍ଟି କରିପାରିଲେ ଭାରତର ବିଜୟ ସମ୍ଭାବନା ରହିବ। ମେଲ୍‌ବର୍ନ ପିଚ୍‌ ଗତବର୍ଷ ଆସେସ୍‌ରୁ ନିନ୍ଦିତ ହୋଇ ରହିଛି। ତେଣୁ କ୍ୟୁରେଟର୍‌ ଓ ଗ୍ରାଉଣ୍ଡ୍‌ସମ୍ୟାନ୍‌ ଏଥର ବାହାବା ନେବାକୁ ପ୍ରୟାସ କରିଥି‌ବେ। ଭାରତ ଅଶ୍ବିନ୍‌ଙ୍କ ଅନୁପସ୍ଥିତି ଅନୁଭବ ନିଶ୍ଚୟ କରୁଥିବ। ମାତ୍ର ରବୀନ୍ଦ୍ର ଜଦେଜା ଉଭୟ ବଲ୍‌ ଓ ବ୍ୟାଟ୍‌ରେ ଭରଣା କରିପାରିବେ ବୋଲି ମୋର ବିଶ୍ବାସ ରହିଛି। ବିଶେଷକରି ବୋଲରଙ୍କ ବିପକ୍ଷରେ ଯୁଦ୍ଧ ଜିତିବାକୁ ହେଲେ ବ୍ୟାଟ୍‌ସମ୍ୟାନ୍‌ଙ୍କ ପାଇଁ ଧୈର୍ଯ୍ୟ ହିଁ ମୁଖ୍ୟ ଅସ୍ତ୍ର। ଫଳାଫଳ ଯାହା ହେଉନା କାହିଁକି ଏକଥା ବ୍ୟାଟ୍‌ସମ୍ୟାନ୍‌ଙ୍କୁ ମନେ ରଖିବା ଉଚିତ। ଶେଷରେ ଏତିକି କହିବି, ଭାରତୀୟ ଦଳ ଶୃଙ୍ଖଲା ଜିତିବାର ସାମର୍ଥ୍ୟ ରଖିଛି। ସେମାନେ ପର୍ଥ ଭୁଲ୍‌ର ସମୀକ୍ଷା କରିସାରିଥିବେ ଏବଂ ଆଗକୁ ବଢ଼ିବାର ଆଶା ରଖିଥିବେ। ଉଭୟ ବ୍ୟାଟିଂ ଓ ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ କଲେ ଅଷ୍ଟ୍ରେଲିଆକୁ ଅଷ୍ଟ୍ରେଆରେ ହିଁ ପରାସ୍ତ କରିବାର ଲାଳସା ପୂରଣ ହୋଇପାରିବ। (୩୬୦ କର୍ପୋରେଟ୍‌ ରିଲେସନ୍‌ସ)

ସମ୍ବନ୍ଧିତ ଖବର