ଡମ୍ବରୁଧର ନାୟକ

Advertisment

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ବାଲିଶଂକରା ଛକରେ ଜୋତା ସିଲେଇ କରି ବହୁ କଷ୍ଟରେ ପରିବାର ପ୍ରତିପୋଷଣ କରୁଥିଲେ ଗୋପାଳ ରୋହିଦାସ। ସେଥିରୁ ଯାହା ମିଳୁଥିଲା ତାଙ୍କର ୬ ଜଣିଆ ପରିବାରକୁ ଚଳାଇବା କଷ୍ଟକର ହୋଇପଡ଼ୁଥିଲା। ସେଥିପାଇଁ  ଅନେକ ସମୟରେ ଦାଦନ ଖଟିବାକୁ ଗୋଆ, ମୁମ୍ବାଇ ଚାଲି ଯାଉଥିଲେ ଗୋପାଳ। କିନ୍ତୁ ଦାରିଦ୍ର୍ୟ ଭିତରେ ବି ଆଦିବାସୀ ଅଧ୍ୟୁଷିତ ବାଲିଶଂକରା ବ୍ଲକ୍‌ର ପାରମ୍ପରିକ ଖେଳ ହକି ପ୍ରେମରେ ପଡ଼ି ଯାଇଥିଲେ ସେ। କେଉଁଠି ହକି ଖେଳ ହେଉଛି ଶୁଣିଲେ ସବୁ କାମ ଛାଡ଼ି ପାଗଳ ପରି ଧାଇଁ ଯାଉଥିଲେ ସେଠାକୁ। ଏପରିକି ଅନେକ ସମୟରେ ନିଜ ଜୋତା ମରାମତି ଦୋକାନକୁ ବି ବନ୍ଦ କରି ଦେଉଥିଲେ ହକି ପାଇଁ। ଖେଳ ଦେଖି ଖାଲି ହାତରେ ଘରକୁ ଫେରୁଥିଲେ। ଏଥି ପାଇଁ ଦିନେଦିନେ ସାରା ପରିବାରକୁ କଷ୍ଟ ସହିବାକୁ ପଡ଼ୁଥିଲା।

ବାପା ଗୋପାଳଙ୍କ ଏହି ହକି ନିଶାକୁ ଅତି ପାଖରୁ ଦେଖିଥିବା ତାଙ୍କ ସାନ ପୁଅ ବି ପିଲାବେଳୁ ବଙ୍କୁଲି ବାଡ଼ିର ଏହି ଖେଳ ଆଡ଼କୁ ଟାଣି ହୋଇ ଚାଲିଥିଲା। ନିଜ ଗାଁ ସଉନାମୁରାର ପ୍ରାଥମିକ ବିଦ୍ୟାଳୟରେ ଗୋଡ଼ିମାଟି ଖେଳ ପଡ଼ିଆରୁ ହିଁ ଆରମ୍ଭ ହୋଇଥିଲା କୁନି ପିଲାଟିର ହକିଯାତ୍ରା। ପରିବାର ଏତେ ଆର୍ଥିକ ଅନାଟନ ମଧ୍ୟରେ ଥିଲା ଯେ, ପୁଅ ପାଇଁ ହକି ବାଡ଼ିଟେ କିଣିଦେବା କଷ୍ଟକର ଥିଲା। ୪ ବର୍ଷ ବୟସରୁ ଶିଶୁଟି ଗାଁରେ ବାଉଁଶ ଓ କାଠଫାଳିଆକୁ ହକିବାଡ଼ି କରି ବଲ୍‌ ଗଡ଼ାଇବା ଆରମ୍ଭ କରି ଦେଇଥିଲା। କିନ୍ତୁ ହକି ପ୍ରତି ଥିବା ଝୁଙ୍କ ତାକୁ ଆଗକୁ ଆଗକୁ ନେଇଥିଲା। ଗାଁ ପଡ଼ିଆରୁ ଚୟନ ହୋଇ ସେ ୨୦୦୪ରେ ପାନପୋଷ କ୍ରୀଡ଼ା ଛାତ୍ରାବାସରେ ଯୋଗଦେଲା। ଏହାପରେ ତା’ ପାଇଁ ସୁଯୋଗର ଦ୍ବାର ଖୋଲି ଯାଇଥିଲା। ବାଲିଶଂକରାରୁ ବାଙ୍କୁଲିବାଡ଼ି ଧରି ଖେଳ ଆରମ୍ଭ କରିଥିବା ଏହି ପିଲାଟି ପାନ୍‌ପୋଷରୁ ପ୍ୟାରିସ୍ ପର୍ଯ୍ୟନ୍ତ ନିଜ ଗୌରବମୟ ଯାତ୍ରା ବଳରେ ଆଜି ଓଡ଼ିଶା ସମେତ ସାରା ଦେଶବାସୀଙ୍କ ଛାତିକୁ କୁଣ୍ଢେମୋଟ କରିଛି। ପ୍ରଥମ ଓ ଏକମାତ୍ର ଓଡ଼ିଆ ଭାବେ ଟୋକିଓ ଓ ପ୍ୟାରିସ୍‌ରେ ଲଗାତାର ଦୁଇ ଦୁଇଟି ଅଲିମ୍ପିକ୍ ପଦକ ଜିତିଥିବା ଏହି ଖେଳାଳି ଜଣକ କିଏ କହିବା ବିଶେଷ ଆବଶ୍ୟକତା ନାହିଁ। ସେ ହେଲେ ଓଡ଼ିଶା ହକିର ଗର୍ବିତ ଚେହେରା ଅମିତ ରୋହିଦାସ।

ଜାତୀୟ ଉପକନିଷ୍ଠ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ ପରେ ଆଉ ପଛକୁ ଫେରି ଚାହିଁ ନଥିଲେ ଅମିତ। ୨୦୦୯ରେ ଉପକନିଷ୍ଠ ଏସିଆ କପ୍‌ରେ ଭାଗନେବା ସହ ୨୦୧୨ରେ ଏସିଆନ ଚାମ୍ପିଅନସିପ୍‌ରେ ଭାରତୀୟ ଦଳରେ ସାମିଲ ହୋଇଥିଲେ। ୨୦୧୨ରେ ପ୍ରଥମଥର ଲଣ୍ଡନ ଆଲିମ୍ପିକ ପାଇଁ ଶିବିରରେ ସାମିଲ ହୋଇଥିଲେ ମଧ୍ୟ ଚୂଡ଼ାନ୍ତ ତାଲିକାରେ ସ୍ଥାନ ସୁରକ୍ଷିତ କରିପାରି ନଥିଲେ। ପରବର୍ତ୍ତୀ ସମୟରେ ଏକାଧିକ ପ୍ରତିଯୋଗିତା, ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା (ରୌପ୍ୟ), ୨୮ତମ ସୁଲତାନ ଆଜଲାନ ଶାହ କପ୍‌ (ରୌପ୍ୟ), ୨୦୧୮ ଚାମ୍ପିଅନ୍ସ ଟ୍ରଫି (ରୌପ୍ୟ), ୨୦୧୬-୧୭ ହକି ୱାର୍ଲ୍ଡ ଲିଗ ( କାଂସ୍ୟ), ଏସିଆ କପ୍‌ ବିଜୟୀ ଦଳର ସଦସ୍ୟ ଥିଲେ। ହକି ପ୍ରେମରେ ପଡ଼ିଥିବା ବାପା ଗୋପାଳଙ୍କ ଇଚ୍ଛା ଥିଲା, ପୁଅ ଅଲିମ୍ପିକ୍ ଖେଳିବ। ୨୦୨୧ରେ ଅଲିମ୍ପିକରେ କାଂସ୍ୟ ପଦକ ଜିତି ବାପାଙ୍କ ଏହି ଇଚ୍ଛା ପୂରଣ କରିଥିଲେ ଅମିତ। କିନ୍ତୁ ସେତେବେଳେ ପୁଅର କୀର୍ତ୍ତି ଦେଖିବାକୁ ବାପା ଆଉ ନଥିଲେ।

୨୦୨୦ ଅକ୍ଟୋବର ୧୮ରେ କିଡନି ରୋଗରେ ଆଖି ବୁଜି ସାରିଥିଲେ। ଭାରତୀୟ ହକି ଦଳର ସୁରକ୍ଷା ପ୍ରାଚୀର ଓ ବିଶ୍ବର ଶ୍ରେଷ୍ଠତମ ଫାଷ୍ଟ ରସର୍ ଭାବେ ଚମତ୍କାର ପ୍ରଦର୍ଶନ କରି ଆସୁଥିବା ଅମିତ ଚଳିତ ଅଲିମ୍ପିକ୍ସରେ ପୁଣି କାଂସ୍ୟ ପଦକ ଜିତି ପରିବାର ଓ ସୁନ୍ଦରଗଡ଼ ମାଟିକୁ ଗୌରବାନ୍ବିତ କରିଛନ୍ତି। ଟିଭି‌ରେ ମା’ଗୋଲାପି, ଭାଇ ନିରଞ୍ଜନ, ଭାଉଜ ଦୁଷ୍ମନ୍ତୀ ଓ ୩ ବିବାହିତ ଭଉଣୀ ସବିତା, ଲକ୍ଷ୍ମୀ ଓ ସୁସ୍ମିତା ଅମିତଙ୍କ ହକିବାଡ଼ିର ଚମକ ଦେଖି ଉଲ୍ଲସିତ ହୋଇଥିଲେ। ପୁଅ କାଂସ୍ୟପଦକ ଜିତିବା ପରେ ସମସ୍ତଙ୍କ ଆଖିରେ ଖୁସିର ଲୁହ ଭରି ଯାଇଥିଲା ବୋଲି କହୁଥିଲେ ମା’ ଗୋଲାପି। ସାରା ଭାରତବାସୀଙ୍କ ପ୍ରିୟ ପୁତ୍ର ପାଲଟି ଯାଇଥିବା ‘ସଉନାମୁରାର ସାନ୍’ ଅଲିମ୍ପିଆନ୍ ଅମିତ୍‌ଙ୍କ ଅପେକ୍ଷାରେ ଏବେ ରାତିରେ ନିଦ ହେଉ ନଥିବା କହିଛନ୍ତି ତାଙ୍କ ମା’, ଭଉଣୀ ଓ ଉତ୍‌ଫୁଲ୍ଲିତ ଗ୍ରାମବାସୀ।