ଅଖ୍ୟାତ ପଲ୍ଲୀର ବିଖ୍ୟାତ ଝିଅ

ଯାଜପୁର ଯାଜପୁର ଜିଲ୍ଲା ରସୁଲପୁର ବ୍ଲକର ଚକ ଗୋପାଳପୁର। ଏଠି ଏବେ ଉତ୍ସବର ମାହୋଲ। କେଉଁଠି ପୂଜାର୍ଚ୍ଚନା ତ ଆଉ କେଉଁଠି ମିଷ୍ଟାନ୍ନ ବଣ୍ଟନ। ହାତରେ ପୂଜା ଥାଳି ଧରି ମନ୍ଦିର ମୁହାଁ ମହିଳା। ଦିନେ ଯେଉଁଠି ଝିଅ ପିଲାଙ୍କ ଦୌଡକୁଦକୁ ଅନେକ ନାପସନ୍ଦ କରୁଥିଲେ ଆଜି ସେଠାରେ ଲୋକଙ୍କ ମାନସିକତାରେ ଆସିଛି ବିରାଟ ପରିବର୍ତ୍ତନ। ସବୁ କିଛି ବଦଳି ଯାଇଛି। ଆଉ ଏ ସବୁ ସମ୍ଭବ ହୋଇଛି ଗାଁର ଜଣେ ଝିଅ ପାଇଁ। ସେ ଆଉ କେହି ନୁହଁନ୍ତି ଏହି ଅଖ୍ୟାତ ପଲ୍ଲୀର ବିଖ୍ୟାତ ଝିଅ ଦୂତି ଚାନ୍ଦ। ଏସୀୟ କ୍ରୀଡାର ୧୦୦ ମିଟର ପ୍ରତିଯୋଗିତାରେ ରୌପ୍ୟ ପଦକ ପାଇବା ପରେ ତାଙ୍କ ଗାଁ ଉଠୁଥିଲା ପଡୁଥିଲା। ଏହାପରେ ୨୦୦ ମିଟରରେ ପଦକ ଆଶାରେ ଆରମ୍ଭ ହୋଇ ଯାଇଥିଲା ପୂଜାର୍ଚ୍ଚନା। ଆଉ ଗ୍ରାମବାସୀଙ୍କ ଆଶା ଏବଂ ବିଶ୍ୱାସକୁ ମରିବାକୁ ନ ଦେଇ ଦୂତି ଏଥିରେ ବି ସଫଳ ହେଲେ। ୨୦୦ ମିଟର ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିବେ ବୋଲି ଗ୍ରାମବାସୀ ଆଶା ରଖିଥିଲେ। ହେଲେ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଲା ସେମାନଙ୍କୁ। ସବୁ କାମଧନ୍ଦା ଛାଡ଼ି ବୁଣାକାର ଗାଁ ଚକଗୋପାଳପୁରରେ ଏହି ଖବରକୁ ନେଇ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ। ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହେବାରୁ କିଛିଟା ନିରାଶ ହୋଇଥିଲେ ଗ୍ରାମବାସୀ। ତଥାପି ଗାଁ ଝିଅର ସଫଳତାରେ ଅଧିକାଂଶଙ୍କ ଛାତି କୁଣ୍ଢେମୋଟ ହୋଇ ଯାଇଥିଲା। ଏବେ ଗାଁର ସବୁରି ମୁହଁରେ କେବଳ ଦୂତିଙ୍କୁ ନେଇ ଚର୍ଚ୍ଚା। ରସୁଲପୁର ବ୍ଲକର ଚକ ଗୋପାଳପୁରରେ ଆଜି ଅପରାହ୍‌ଣରେ ଦେଖିବାକୁ ମିଳିଥିଲା ଏମିତି ଚିତ୍ର। ସମୟ ପ୍ରାୟ ୨ଟା। ଗାଁ ଭିତରେ ପଶୁପଶୁ ଭାସି ଆସୁଥିଲା ତନ୍ତର ଠକ୍‌ ଠକ୍‌ ଶବ୍ଦ। ହେଲେ ତନ୍ତ ପାଖରେ କୌଣସି ମହିଳାଙ୍କୁ ଦେଖିବାକୁ ମିଳୁନଥିଲା। କେବଳ ପୁରୁଷମାନେ ବସି ବୁଣାବୁଣି କରୁଥିବା ଦେଖିବାକୁ ମିଳିଥିଲା। କିଛି ବାଟ ଗଲାପରେ ଗାଁ ମୁଣ୍ଡରେ ଥିବା ରାଧାକୃଷ୍ଣ ମନ୍ଦିରରେ ଜମିଥିଲା ମହିଳାଙ୍କ ଭିଡ଼। ସମସ୍ତଙ୍କ ହାତରେ ଥିଲା ଦୀପ। ହୁଳହୁଳି ଓ ଶଂଖ ଧ୍ୱନିରେ ମନ୍ଦିର ପରିସର କମ୍ପୁଥିଲା। କିଛି ସମୟ ପରେ ଏସିଆ କ୍ରୀଡ଼ାର ୨୦୦ ମିଟର ପ୍ରତିଯୋଗିତାର ଫାଇନାଲ୍‌ ଅନୁଷ୍ଠିତ ହେବ। ଯେଉଁଥିରେ ଦୂତି ଦୌଡ଼ିବେ। ପୂର୍ବରୁ ଶହେ ମିଟର ଦୌଡ଼ରେ ରୌପ୍ୟ ପଦକ ଜିତି ସାରିଥିବା ଦୂତି ଏଥର କେମିତି ସୁନା ହାତେଇବେ ସେଥିପାଇଁ ସମସ୍ତେ ଠାକୁରଙ୍କ ପାଖରେ ପ୍ରାର୍ଥନା କରୁଥିଲେ। କେବଳ ରାଧାକୃଷ୍ଣ ମନ୍ଦିର ନୁହେଁ ଗାଁର ଗ୍ରାମଦେବୀ ମନ୍ଦିର, ଜଗନ୍ନାଥ ମନ୍ଦିରରେ ଅଖଣ୍ଡ ଦୀପ ବସାଯାଇଥିବା ଦେଖିବାକୁ ମିଳିଥିଲା। ସନ୍ଧ୍ୟାରେ ଦୂତି ପୁଣି ରୌପ୍ୟ ପଦକ ଜିତିଥିବା ଖବର ପ୍ରଚାରିତ ହେବା ପରେ ଗାଁରେ ଖୁସିର ଲହରି ଖେଳିଯାଇଛି। ଗ୍ରାମବାସୀ ପରସ୍ପରକୁ ମିଠା ଖୁଆଇ ଖୁସି ମନାଇଛନ୍ତି। ସ୍ୱର୍ଣ୍ଣ ପଦକ ନହେଲେ ନାହିଁ ଦୂତି ଲାଗ ଲାଗ ଦୁଇଟି ରୌପ୍ୟ ପଦକ ଜିତିଥିବାରୁ ପରିବାର ଲୋକଙ୍କ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି।

ଫୋନ୍‌ କରି ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଦୂତି ଜାକର୍ତା ଏସିଆଡ଼ର ୨୦୦ ମିଟରରେ ରୌପ୍ୟ ପଦକ ଜିତିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସହ ଟେଲିଫୋନରେ କଥାହେବା ସହ ବ୍ୟକ୍ତିଗତ ଭାବେ ଅଭିନନ୍ଦନ ଜଣାଇଥିଲେ। ଶ୍ରୀ ପଟ୍ଟନାୟକ ତାଙ୍କୁ ପ୍ରଶଂସା କରିବା ସହ ଉତ୍ତୋରତ୍ତର କାମନା କରିଥିଲେ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଦୂତିଙ୍କୁ ହୃଦୟ ଖୋଲା ପ୍ରଶଂସା କରିଥିଲେ। ସେ କହିଥିଲେ ଯେ କ୍ରମାଗତ ଭାବେ ୧୦୦ ଏବଂ ୨୦୦ ମିଟରରେ ପଦକ ଆଣି ଦୂତି ସାରା ଦେଶ ପାଇଁ ଗୌରବ ଆଣିଛନ୍ତି। ତାଙ୍କ ପାଇଁ ସାରା ଓଡ଼ିଶାବାସୀ ଆନନ୍ଦିତ। ସେ ସାରା ଦେଶର ଗର୍ବ ଏବଂ ଗୌରବ। ତାଙ୍କର ଏହି ଗୌରବମୟ ଯାତ୍ରା ଆଗକୁ ମଧ୍ୟ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ଵିଟ୍‌ କରି ଦୂତିଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଅଭାବରେ କଟିଥିଲା ପିଲା ଦିନ
ଅଭାବି ପରିବାରରେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଆଥ୍‌ଲେଟ୍‌ ଦୂତି ଚାନ୍ଦଙ୍କ ଜନ୍ମ। ବାପା ଚକ୍ରଧର ଜଣେ ସାଧାରଣ ବୁଣାକାର। ମା ଅଖୋଜି ଗୃହିଣୀ ଅଟନ୍ତି। ପରିବାରରେ ଦୂତିଙ୍କୁ ମିଶାଇ ୬ ଭଉଣୀ। ବଡ଼ ଭଉଣୀ ବିବାହ କରି ସାରିଥିବାବେଳେ ବର୍ତ୍ତମାନ ଘରେ ଅଛନ୍ତି ସରସ୍ୱତୀ, ସଂଯୁକ୍ତା, ଦୂତି, ଅଞ୍ଜନା ଓ ପ୍ରତିଭା। ସରସ୍ୱତୀ ପୁଲିସ ବିଭାଗରେ ଚାକିରି କରୁଥିବା ବେଳେ ଦୂତି ଓଏମ୍‌ସିରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟରତ ଅଛନ୍ତି। ଅଞ୍ଜନା ଓ ପ୍ରତିଭା ପାଠପଢୁଛନ୍ତି। ବାପାମାଆଙ୍କର ଏମାନେ ଝିଅ ହୋଇ ବି କୌଣସି ଗୁଣରେ ପୁଅଠାରୁ କମ୍‌ ନୁହଁନ୍ତି। ଅଭାବି ପରିବାରରୁ ଆସିଥିବା ଦୂତିଙ୍କୁ ଏହି ସ୍ଥାନରେ ପହଞ୍ଚିବା ପାଇଁ କମ୍‌ ଘାତ ପ୍ରତିଘାତର ସମ୍ମୁଖୀନ ହେବାକୁ ପଡ଼ିନି। ବ୍ରହ୍ମଣୀ ପଠାରେ ଦୌଡ଼ି ଦୂତି ବ୍ଲକ ଓ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ନିଜ ଚମତ୍କାରିତା ଦେଖାଇଥିଲେ। ଏହାପରେ ସେ ଭୁବନେଶ୍ୱରରେ ଥିବା କ୍ରୀଡ଼ା ଛାତ୍ରବାସରେ ରହି ତାଲିମ ନେବାର ସୁଯୋଗ ପାଇଲେ। ସେଠାରୁ ଆରମ୍ଭ ହେଲା ସଫଳତାର ଜୟଯାତ୍ରା। ୨୦୧୦ ମସିହାରେ ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଅନୁଷ୍ଠିତ ଜାତୀୟ ଜୁନିଅର୍‌ ସ୍କୁଲ ଗେମ୍‌ରେ ଅଂଶଗ୍ରହଣ କରି ଚାରି ଚାରିଟି ସ୍ୱର୍ଣ୍ଣ ପଦକ ହାସଲ କରିବା ସହ ଶ୍ରେଷ୍ଠ ଆଥ୍‌ଲେଟ୍‌ ଭାବେ ବିବେଚିତ ହୋଇଥିଲେ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ତାଙ୍କୁ ଏକ ନାନୋ କାର୍‌ ପୁରସ୍କାର ଦେଇଥିଲେ। ଏହାପରେ ସେ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢ଼ି ଅଲିମ୍ପିକରେ ଅଂଶଗ୍ରହଣ କରିବା ସହ ଏସିଆନ୍‌ ଗେମ୍‌ରେ ପଦକ ଅର୍ଜନ କରି ଦେଶ ପାଇଁ ଗୌରବ ଆଣିଦେଇଛନ୍ତି।

ଅଲିମ୍ପିକ୍‌ ସଂଘର ପୁରସ୍କାର ଘୋଷଣା
କଟକ: ଏସୀୟ କ୍ରୀଡ଼ାର ମହିଳା ୨୦୦ ମିଟରରେ ରୌପ୍ୟ ପଦକ ଜିତିଥିବା ଦୂତି ଚାନ୍ଦଙ୍କ ପାଇଁ ପୁଣି ଥରେ ଆର୍ଥିକ ପୁରସ୍କାର ଘୋଷଣା କରାଯାଇଛି। ଓଡ଼ିଶା ଅଲିମ୍ପିକ୍‌ ସଂଘ ଏବଂ ଓଡ଼ିଶା ଦୌଡ଼କୁଦ ସଂଘ ପକ୍ଷରୁ ୫୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା ହୋଇଛି। ଏଥିପୂର୍ବରୁ ୧୦୦ ମିଟରରେ ଦୂତି ରୌପ୍ୟ ପାଇଥିଲା ବେଳେ ଉଭୟ ସଂଘ ୫୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ମଧ୍ୟ ଘୋଷଣା କରିଥିଲେ। ଫଳରେ ଏହି ଦୁଇ ସଂଘଙ୍କଠୁ ଦୂତି ୨ ଲକ୍ଷ ଟଙ୍କା ପୁରସ୍କାର ପାଇବେ। ଏଥିସହିତ ତାଙ୍କର ପ୍ରଦର୍ଶନ ପାଇଁ ଅଲିମ୍ପିକ ସଂଘ ସମ୍ପାଦକ ଏମ୍‌ଏ ଆଲାମ ଓ ଦୌଡ଼କୁଦ ସଂଘ ସମ୍ପାଦକ ଆଶୀର୍ବାଦ ବେହେରା ଦୂତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଝିଅର ସଫଳତାରେ ବହୁତ ଖୁସି
ପିଲାଦିନେ ଦୌଡ଼ାଦୌଡ଼ି କରୁଥିଲା। ଏବେ ସେ ଭଲ ଖେଳୁଛି। ଦେଶ ପାଇଁ ପଦକ ଜିତୁଛି। ଝିଅର ସଫଳତାକୁ ନେଇ ମୁଁ ବହୁତ ଖୁସି। ତା ପାଇଁ ଗାଁରେ ଉତ୍ସବର ମାହୋଲ। ସ୍ୱର୍ଣ୍ଣ ପଦକ ଜିତିଲେ ଆହୁରି ଖୁସି ହେବି। ଭଗବାନଙ୍କ ଆଶୀର୍ବାଦରୁ ସେ ନିଶ୍ଚିତ ସଫଳ ହେବ ବୋଲି ଆଶା ଅଛି।
– ଚକ୍ରଧର ଚାନ୍ଦ, ବାପା
ଦୂତିଙ୍କ ପାଇଁ ଗର୍ବିତ
ପ୍ରତିଯୋଗିତା ଆରମ୍ଭ ହେଲା ଦିନଠାରୁ ଗାଁର ରାଧାକୃଷ୍ଣ ମନ୍ଦିର, ତିରିଣୀ ଓ ଜଗନ୍ନାଥ ମନ୍ଦିରରେ ଅଖଣ୍ଡ ଦୀପ ଜାଳୁଥିଲିି। ଗାଁ ଲୋକ ଏବଂ ମହିଳାମାନେ ପୂଜାର୍ଚ୍ଚନା କରୁଥିଲେ। ସମସ୍ତଙ୍କ ଆଶୀର୍ବାଦରୁ ସେ ସଫଳ ହୋଇଛି। ସେଥିପାଇଁ ମୁଁ ଗର୍ବିତ।
– ଅଖୋଜି ଚାନ୍ଦ, ମାଆ
ଅଲିମ୍ପିକ ପଦକ ଆଶା ରଖିଛି
ଆମେ ଝିଅ ହେଲେ ବି ବାପାମାଆ ଆମକୁ ପାଠପଢ଼ା ସାଙ୍ଗକୁ ଖେଳକୁଦ କରିବାକୁ ଅନୁମତି ଦେଉଥିଲେ। ଦୂତିକୁ ନେଇ ପାଖ ବ୍ରାହ୍ମଣୀ ନଦୀ ପଠାରେ ଦୌଡ଼ିବାକୁ ଯାଉଥିଲି। ସେତେବେଳେ ତା’ର ପ୍ରତିଭା ସମ୍ପର୍କରେ ଜାଣିପାରିଥିଲି। ଏଠାରେ ସେ ବ୍ଲକ ଏବଂ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଭୁବନେଶ୍ୱର କ୍ରୀଡ଼ା ଛାତ୍ରବାସ ଯାଇଥିଲା। ଅନେକ ଜାତୀୟ ଓ ଆନ୍ତର୍ଜାତିକ ପ୍ରତିଯୋଗିତାରେ ପଦକ ଜିତି ସାରିଥିବା ଦୂତି ଠାରୁ ଭବିଷ୍ୟତରେ ଗୋଟିଏ ଅଲିମ୍ପିକ ପଦକ ଆଶା ରଖିଛି।
– ସରସ୍ୱତୀ ଚାନ୍ଦ, ବଡ଼ ଭଉଣୀ

ସମ୍ବନ୍ଧିତ ଖବର