କେପଟାଉନ : କେପଟାଉନ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ୭ ଓ୍ବିକେଟରେ ପରାସ୍ତ କରିଛି ଭାରତ । ଏହା ସହିତ ସିରିଜ ୧-୧ରେ ଅମିମାଂସିତ ଭାବେ ଶେଷ ହୋଇଛି । କିନ୍ତୁ ଏହି ଟେଷ୍ଟମ୍ୟାଚ ସହ ଯୋଡ଼ି ହୋଇଯାଇଛି ଏକ ଅଲୋଡ଼ା ରେକର୍ଡ । ଏହାକୁ କ୍ରିକେଟ ଇତିହାସର ସବୁଠାରୁ ଛୋଟ ମ୍ୟାଚ ବୋଲି କୁହାଯାଉଛି ।

Advertisment

ଏହି ମ୍ୟାଚଟି ମାତ୍ର ଦେଢ ଦିନରେ ଶେଷ ହୋଇଯାଇଥିଲା ଓ ମୋଟ ୬୪୨ଟି ବଲ୍ ପକାଯାଇଥିଲା । ଆଜିର ମ୍ୟାଚ ୯୨ ବର୍ଷର ରେକର୍ଡ ଭାଙ୍ଗିଦେଇଛି । ଏହି ମ୍ୟାଚ ପୂର୍ବରୁ କ୍ରିକେଟ ଇତିହାସର ସବୁଠାରୁ ଛୋଟ ମ୍ୟାଚ ୧୯୩୨ ମସିହାରେ ଖେଳାଯାଇଥିଲା । ସେହି ଟେଷ୍ଟ ମ୍ୟାଚଟି ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମେଲବୋର୍ଣ୍ଣରେ ଖେଳାଯାଇଥିଲା । ସେହି ମ୍ୟାଚରେ ବି ଦକ୍ଷିଣ ଆଫ୍ରିକାର ଇନିଂସ ପରାଜୟ ହୋଇଥିଲା । ଅଷ୍ଟ୍ରେଲିଆ ଇନିଂସ ଓ ୭୨ ରନରେ ବିଜୟ ହାସଲ କରିଥିଲା । ସେହି ମ୍ୟାଚରେ ମୋଟ ୬୫୬ଟି ବଲ ପକାଯାଇଥିଲା ।

କ୍ରିକେଟ ଇତିହାସରେ ୩ୟ ସବୁଠାରୁ ଛୋଟ ମ୍ୟାଚଟି ୧୯୩୫ ମସିହାରେ ଖେଳାଯାଇଥିଲା । ସେହି ମ୍ୟାଚଟି ଇଂଲଣ୍ଡ ଓ ଓ୍ବେଷ୍ଟ ଇଣ୍ଡିଜ୍ ମଧ୍ୟରେ ବ୍ରିଜଟାଉନଠାରେ ଖେଳାଯାଇଥିଲା । ସେହି ମ୍ୟାଚରେ ଇଂଲଣ୍ଡ ୪ ଓ୍ବିକେଟରେ ଜିତିଥିଲା । ସେହି ମ୍ୟାଚରେ ୬୭୨ଟି ବଲ ପକାଯାଇଥିଲା ।