ସ୍ମିଥ୍‌ଙ୍କ ଶତକରେ ଅଷ୍ଟ୍ରେଲିଆ ଆଗୁଆ

ବ୍ରିସ୍‌ବେନ୍‌: ପ୍ରଥମ ଆସେସ୍‌ ଟେଷ୍ଟ୍‍ରେ ଷ୍ଟିଭେନ୍‌ ସ୍ମିଥ୍‌ଙ୍କ ଦାୟିତ୍ୱପୂର୍ଣ୍ଣ ଅପରାଜିତ ଶତକ ବଳରେ ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ମାତ୍ର ୨୬ ରନ୍‌ର ଅଗ୍ରଣୀ ନେଇଛି। ଇଂଲଣ୍ଡର ୩୦୨ ରନ୍‌ ଜବାବରେ ଅଷ୍ଟ୍ରେଲିଆ ୩୨୮ ରନ୍‌ କରିଛି। ତୃତୀୟ ଦିନ ଶେଷ ସୁଦ୍ଧା ଇଂଲଣ୍ଡ କିନ୍ତୁ ୩୩ ରନ୍‌ରେ ୨ ଓ୍ଵିକେଟ୍‌ ହରାଇ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି।

ଗାବାରେ ଅଷ୍ଟ୍ରେଲିଆ ଶନିବାର ସକାଳେ ୧୬୫/୪ରୁ ଖେଳିଥିଲା। କିନ୍ତୁ ସନ୍‌ ମାର୍ସ (୫୧) ଅର୍ଧଶତକ ହାସଲ ପରେ ଷ୍ଟୁଆର୍ଟ ବ୍ରଡ୍‌ଙ୍କ ଶିକାର ହୋଇ ଫେରିଯାଇଥିଲେ। ଏହା ପରେ ଟିମ୍‌ ପାଇନ୍‌ଙ୍କୁ ଆଣ୍ଡରସନ୍‌ ଓ୍ଵିକେଟ୍‌ ପଛପଟେ ବେୟାରଷ୍ଟୋଙ୍କ ଗ୍ଲୋଭ୍‌ସରେ ଧରାଇ ନେଇଥିଲେ। ମିଚେଲ ଷ୍ଟାର୍କଙ୍କୁ ଷ୍ଟୁଆର୍ଟ ବ୍ରଡ୍‌ ନିଜ ବୋଲିଂରେ କ୍ୟାଚ୍‌ ନେଇ ପ୍ୟାଭିଲିଅନ୍‌ ରାସ୍ତା ଦେଖାଇଥିଲେ। ୨୦୯ ରନ୍‌ରେ ୭ ଓ୍ଵିକେଟ୍‌ ହରାଇବା ପରେ ଅଷ୍ଟ୍ରେଲିଆର ଅଗ୍ରଣୀ ଆଶା କ୍ଷୀଣ ଲାଗୁଥିଲା। ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ଙ୍କୁ କିନ୍ତୁ ପ୍ୟାଟ୍‌ କମିନ୍‌ସ ଦେଇଥିଲେ ଭଲ ସହାୟତା। କମିନ୍‌ସ (୪୨, ୧୨୦ ବଲ୍‌, ୫ ଚୌକା,୧ ଛକା)ଙ୍କୁ ସାଥୀ କରି ସ୍ମିଥ୍‌ (୧୪୧*, ୩୨୬ ବଲ୍‌, ୧୪ ଚୌକା) କିନ୍ତୁ ସବୁ କିଛି ଓଲଟପାଲଟ୍‌ କରି ଦେଇଥିଲେ। ଉଭୟଙ୍କ ମଧ୍ୟରେ ଅଷ୍ଟମ ଓ୍ଵିକେଟ୍‌ ପାଇଁ ସଂଗୃହିତ ହୋଇଥିଲା ୬୯ ରନ୍‌। କମିନ୍‌ସଙ୍କ ଆଉଟ୍‌ ବେଳକୁ ଅଷ୍ଟ୍ରେଲିଆ ତଥାପି ୨୭ ରନ୍‌ ପଛରେ ଥିଲା। କିନ୍ତୁ ଶେଷ ଦୁଇ ବ୍ୟାଟସମ୍ୟାନ୍‌ ହାଜେଲଉଡ୍‌ (୬) ଓ ନାଥନ୍‌ ଲିଅନ୍‌ (୯)ଙ୍କୁ ସାଥୀ କରି ସ୍ମିଥ୍‌ ମୂଲ୍ୟବାନ ୫୩ ରନ୍‌ ଯୋଡ଼ି ନେଇଥିଲେ। ସ୍ମିଥ୍‌ ସାଢ଼େ ଆଠଘଣ୍ଟା ଲଢ଼େଇ କରି ଦଳକୁ ଅଗେଇ ନେଇଥିଲେ। ସ୍ମିଥ୍‌ ଶନିବାର ନିଜର ଷଷ୍ଠ ଆସେସ୍‌ ଟେଷ୍ଟ୍‍ ଓ ୨୧ତମ ଟେଷ୍ଟ ଶତକ ହାସଲ କରିଥିଲେ।
୨୬ ରନ୍‌ ପଛରେ ଥାଇ ଇଂଲଣ୍ଡ ଦ୍ୱିତୀୟ ପାଳି ଖେଳିଥିବା ବେଳେ ୬ ଓଭର ଭିତରେ ଆଲେଷ୍ଟର୍‌ କୁକ୍‌ (୭) ଏବଂ ଜେମ୍‌ ଭିନ୍‌ସ (୨)ଙ୍କୁ ହାଜେଲଉଡ୍‌ ଆଉଟ୍‌ କରି ଦେଇଥିଲେ। ଦିନର ଶେଷ ୧୦ ଓଭରକୁ ହାତେଇ ନେଇ ମାର୍କ ଷ୍ଟୋନ୍‌ମ୍ୟାନ୍‌ (୧୯*) ଏବଂ ଜୋ ରୁଟ୍‌ (୫*) ଅଧିକ କ୍ଷତି ପହଞ୍ଚାଇ ନାହାନ୍ତି।

ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ପ୍ରଥମ ପାଳି: ୩୦୨ (ଭିନ୍‌ସ-୮୩, ଷ୍ଟୋନ୍‌ମ୍ୟାନ୍‌-୫୩, ମଲନ୍‌-୫୬, ଷ୍ଟାର୍କ-୩/୭୭, କମିନ୍‌ସ-୩/୮୫, ଲିଅନ-୨/୭୮, ହାଜେଲ୍‌ଉଡ୍‌-୧/୫୭)। ଅଷ୍ଟ୍ରେଲିଆ ପ୍ରଥମ ପାଳି: ୧୩୦.୩ ଓଭରରେ ୩୨୮ (ଷ୍ଟିଭେନ୍‌ ସ୍ମିଥ୍‌-୧୪୧*, ସନ୍‌ ମାର୍ସ-୫୧, ପ୍ୟାଟ୍‌ କମିନସ-୪୨, ଷ୍ଟୁଆର୍ଟ ବ୍ରଡ୍‌-୩/୪୯, ଜେମ୍‌ସ ଆଣ୍ଡର୍‌ସନ୍‌-୨/୫୦, ମୋଇନ୍‌ ଅଲୀ-୨/୭୪, ଜ୍ୟାକ୍‌ ବଲ୍‌-୧/୭୭)। ଇଂଲଣ୍ଡ ଦ୍ୱିତୀୟ ପାଳି: ୧୬ ଓଭରରେ ୩୩/୨ (ଜେମ୍‌ସ ଷ୍ଟୋନ୍‌ମ୍ୟାନ-୧୯*, ଜୋ ରୁଟ୍‌-୫*, ଜୋସ୍‌ ହାଜେଲ୍‌ଉଡ୍‌-୨/୧୧)।

ସମ୍ବନ୍ଧିତ ଖବର