ଟେଷ୍ଟ୍‌ ମାନ୍ୟତା: କୋହଲିଙ୍କ ପାଇଁ ସ୍ମିଥ୍ ବିପଦ

ଦୁବାଇ: ଚଳିତ ଆସେସ୍ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍‌ରେ ଦୁଇଟି ଶତକ ଏବଂ ୯୨ ରନ୍‌ର ପାଳି ଖେଳିବା ପରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍‌ ‌ଆଇସିସି ଟେଷ୍ଟ ବ୍ୟାଟ୍ସମ୍ୟାନ୍ ମାନ୍ୟତାର ଦ୍ବିତୀୟ ସ୍ଥାନରେ ପହଞ୍ଚି ଯାଇଛନ୍ତି। ସ୍ମିଥ୍ ନିଜ ବଳିଷ୍ଠ ପ୍ରଦର୍ଶନ ବଳରେ ନ୍ୟୁଜିଲାଣ୍ଡର ଅଧିନାୟକ କେନ୍ ୱିଲିୟମସନଙ୍କୁ ତୃତୀୟ ସ୍ଥାନକୁ ଠେଲିଦେବା ସହ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କଠାରୁ ଏବେ ମାତ୍ର ୯ ପଏଣ୍ଟ୍‌ ପଛରେ ରହିଛନ୍ତି। କୋହଲି ୯୨୨ ପଏଣ୍ଟ୍‌ ପାଇ ମାନ୍ୟତାର ପ୍ରଥମ ସ୍ଥାନରେ ଅଛନ୍ତି। ଅନ୍ୟ ପକ୍ଷରେ ସ୍ମିଥ୍ ୯୧୩ ପଏଣ୍ଟ ସହ ଦ୍ବିତୀୟ ସ୍ଥାନ ଅଧିକାର କରି ନେଇଛନ୍ତି। କୋହଲିଙ୍କ ଛଡ଼ା କେବଳ ଚେତେଶ୍ବର ପୂଜାରା ଅନ୍ୟତମ ଭାରତୀୟ ଭାବେ ଶ୍ରେଷ୍ଠ ୧୦ ମଧ୍ୟରେ ରହିଛନ୍ତି। ସେପଟେ ନ୍ୟୁଜିଲାଣ୍ଡ ବିପକ୍ଷ ଗଲ୍ ଟେଷ୍ଟ ଜିତିବା ପରେ ଶ୍ରୀଲଙ୍କା ଅଧିନାୟକ ଦିମୁଥ କରୁଣାରତ୍ନେ ଚାରିଟି ସ୍ଥାନ ଉପରକୁ ଲମ୍ଫ ମାରି ଅଷ୍ଟମ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଦକ୍ଷିଣ ଆଫ୍ରିକାର ଏଦେନ ମର୍କରାମଙ୍କ ମାନ୍ୟତାରେ ମଧ୍ୟ ଉନ୍ନତି ପରିଲକ୍ଷିତ ହୋଇଛି। ମର୍କରାମ ଷଷ୍ଠ ସ୍ଥାନରେ ଥିଲା ବେଳେ ପ୍ରଥମ ଦୁଇ ଆସେସ୍ ଟେଷ୍ଟ୍‌ରେ ଆଖିଦୃଶିଆ ରନ୍ କରି ପାରି ନଥିବା ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ନବମ ସ୍ଥାନକୁ ଖସି ଯାଇଛନ୍ତି। ଆଇସିସି ଟେଷ୍ଟ ବୋଲର ମାନ୍ୟତାରେ ପ୍ୟାଟ୍ କମିନ୍ସ କିନ୍ତୁ ପ୍ରଥମ ସ୍ଥାନରେ ସ୍ଥିର ରହିଛନ୍ତି। ଅନ୍ୟ ପକ୍ଷରେ ଭାରତୀୟ ସ୍ପିନର ରବୀନ୍ଦ୍ର ଜାଦେଜା ଷଷ୍ଠରୁ ପଞ୍ଚମକୁ ଉଠିଛନ୍ତି। ତାଙ୍କ ସାଥୀ ସ୍ପିନର ଆର ଅଶ୍ବିନ ଦଶମ ସ୍ଥାନ‌ ଅଧିକାର କରିଛନ୍ତି। ଅଲରାଉଣ୍ଡର ତାଲିକାରେ ଜାଦେଜା ୱେଷ୍ଟଇଣ୍ଡିଜ ଅଧିନାୟକ ଜାସନ ହୋଲ୍ଡର ଓ ବାଂଲାଦେଶର ସକିବ-ଅଲ-ହାସନଙ୍କ ପଛକୁ ତୃତୀୟ ସ୍ଥାନରେ ରହିଛନ୍ତି। କୋହଲିଙ୍କ ଭଳି ଭାରତ ମଧ୍ୟ ଟେଷ୍ଟ ମାନ୍ୟତାର ଏକ ନମ୍ବର ସ୍ଥାନ ହରାଇବାର ଆଶଙ୍କା ରହିଛି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ଯଦି ଭାରତ ୦-୧ରେ ହାରେ ତେବେ ୧୦୮ ପଏଣ୍ଟ୍‌କୁ ଖସି ଆସିବ। ଏହା ହେଲେ ପାକିସ୍ତାନକୁ ହଟାଇ ୱେଷ୍ଟଇଣ୍ଡିଜ୍ ସପ୍ତମ ସ୍ଥାନରେ ପହଞ୍ଚିବ। ସଂପ୍ରତି ଭାରତ ୧୧୩ ପଏଣ୍ଟ୍‌ ପାଇ ଦଳଗତ ଟେଷ୍ଟ ମାନ୍ୟତାର ପ୍ରଥମ ସ୍ଥାନରେ ଥିଲା ବେଳେ ନ୍ୟୁଜିଲାଣ୍ଡ (୧୧୧) ଦ୍ବିତୀୟ ଏବଂ ଦକ୍ଷିଣ ଆଫ୍ରିକା‌ (୧୦୮) ତୃତୀୟରେ ରହିଛି।

ଶ୍ରେଷ୍ଠ ୧୦ ଟେଷ୍ଟ୍‌ ବ୍ୟାଟ୍ସମ୍ୟାନ୍ ମାନ୍ୟତା: ବିରାଟ କୋହଲି, ଷ୍ଟିଭେନ୍ ସ୍ମିଥ୍, କେନ୍ ୱିଲିୟମସନ୍, ଚେତେଶ୍ବର ପୂଜାରା, ହେନରି ନିକୋଲ୍ସ, ଏଦେନ ମର୍କରାମ, କ୍ବିଣ୍ଟନ୍ ଡି’ କକ୍, ଦିମୁଥ କରୁଣାରତ୍ନେ, ଜୋ ରୁଟ୍, ଫାଫ୍‌ ଡୁ’ ପ୍ଲେସିସ୍।

ଶ୍ରେଷ୍ଠ ୧୦ ଦିନିକିଆ ବ୍ୟାଟ୍ସମ୍ୟାନ୍ ମାନ୍ୟତା: ବିରାଟ କୋହଲି, ରୋହିତ ଶର୍ମା, ବାବର ଆଜମ, ଫାଫ୍ ଡୁ’ ପ୍ଲେସିସ୍, ରସ୍ ଟେଲର, କେନ୍ ୱିଲିୟମସନ୍, ଡେଭିଡ୍ ୱାର୍ନର, ଜୋ ରୁଟ୍, କ୍ବିଣ୍ଟନ୍ ଡି’ କକ୍, ଜାସନ ରୟ। ଶ୍ରେଷ୍ଠ ୧୦ ଟ୍ବେଣ୍ଟି-୨୦ ବ୍ୟାଟ୍ସମ୍ୟାନ୍ ମାନ୍ୟତା: ବାବର ଆଜମ, କଲିନ ମୁନ୍ରୋ, ଗ୍ଲେନ୍ ମ୍ୟାକ୍ସୱେଲ୍, ଆରୋନ ଫିଞ୍ଚ, ହଜରତୁଲ୍ଲା, ଡାର୍କି ସଟ୍, ଲୋକେଶ ରାହୁଲ, ଫକର ଜମନ, ରୋହିତ ଶର୍ମା, ଆଲେକ୍ସ ହେଲ୍ସ।

ସମ୍ବନ୍ଧିତ ଖବର