କୋହଲିଙ୍କୁ ହଟାଇ ସ୍ମିଥ୍ ଏକ ନମ୍ବର

ବୁମ୍‌ରା ତୃତୀୟକୁ ଉଠି‌‌ଲେ

ଦୁବାଇ: ଭାରତୀୟ ଅଧିନାୟକ ବିରାଟ କୋହଲି ଟେଷ୍ଟ୍‌ ମାନ୍ୟତାର ଏକ ନମ୍ବର ସ୍ଥାନ ହରାଇଛନ୍ତି। ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ତାଙ୍କୁ ଦ୍ବିତୀୟ ସ୍ଥାନକୁ ‌ଠେଲି ଦେଇଛନ୍ତି। ସଦ୍ୟ ପ୍ରକାଶିତ ତାଲିକାରେ ସ୍ମିଥ୍ ୯୦୪ ପଏଣ୍ଟ ପାଇ ପ୍ରଥମ ସ୍ଥାନରେ ଥିଲା ବେଳେ ୯୦୩ ପଏଣ୍ଟ ସହ କୋହଲି ଦ୍ବିତୀୟ ସ୍ଥାନକୁ ଖସି ଯାଇଛନ୍ତି। ହେଡିଂଲେରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଆସେସ୍ ଟେଷ୍ଟ୍‌ ଖେଳି ନପାରିବା ସତ୍ତ୍ବେ ସ୍ମିଥ୍ ଏହି ସଫଳତା ଲାଭ କରିଛନ୍ତି। ଅନ୍ୟପକ୍ଷରେ କିଙ୍ଗଷ୍ଟନର ସାବିନା ପାର୍କରେ ଖେଳାଯାଇଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ବିତୀୟ ତଥା ଅନ୍ତିମ ଟେଷ୍ଟ୍‌ର ପ୍ରଥମ ପାଳିରେ ୭୬ ଏବଂ ଦ୍ବିତୀୟ ପାଳିରେ ଖାତା ଖୋଲି ନପାରିବାର କ୍ଷତି କୋହଲିଙ୍କୁ ସହିବାକୁ ପଡ଼ିଛି। ଏହି ମ୍ୟାଚ୍ ପୂର୍ବରୁ ସ୍ମିଥ୍‌ଙ୍କଠାରୁ କୋହଲି ୬ ପଏଣ୍ଟ୍‌ ଆଗରେ ଥିଲେ। ଏବେ କିନ୍ତୁ ଗୋଟିଏ ପଏଣ୍ଟ ପଛକୁ ଚାଲି ଆସିଛନ୍ତି।

ସ୍ମିଥ୍ ୨୦୧୫ ମସିହା ଡିସେମ୍ବର ମାସରେ ଟେଷ୍ଟ ମାନ୍ୟତାର ଶୀର୍ଷ ସ୍ଥାନ ଦଖଲ କରିଥିଲେ। ହେଲେ କେପ୍ ଟାଉନ୍ ଟେଷ୍ଟର ବଲ୍ ବିକୃତ ବିବାଦରେ ବର୍ଷକ ପାଇଁ ବାସନ୍ଦ ହେବା ପରେ କୋହଲି ୨୦୧୮ ଅଗଷ୍ଟରେ ତାଙ୍କଠାରୁ ଏକ ନମ୍ବର ସ୍ଥାନ ଛଡ଼ାଇ ନେଇଥିଲେ। ଏବେ ପୁଣି ସ୍ମିଥ୍ ନିଜ ପୁରୁଣା ସ୍ଥାନ ‌ଫେରି ପାଇଛନ୍ତି। ସ୍ମିଥ୍ ଇଂଲଣ୍ଡ ବିପକ୍ଷ ଏଜବାଷ୍ଟନ ଟେଷ୍ଟ୍‌ (ଚଳିତ ଆସେସ୍‌ର ପ୍ରଥମ ମୁକାବିଲା)ର ଉଭୟ ପାଳିରେ ଶତକ (୧୪୪, ୧୪୨) ଅର୍ଜନ କରିଥିଲେ। ସେହିଭଳି ଅମୀମାଂସିତ ରହିଥିବା ଲର୍ଡସ ଟେଷ୍ଟର ଗୋଟିଏ ପାଳିରେ ୯୨ ରନ୍ କରିଥିଲେ। ମସ୍ତିସ୍କ ଆଘାତ ପାଇଁ ସେ ଦ୍ବିତୀୟ ପାଳିରେ ବ୍ୟାଟିଂ କରି ପାରି ନଥିଲେ। ଏହି କାରଣ ପାଇଁ ସେ ମଧ୍ୟ ହେଡିଂଲେ ଟେଷ୍ଟ ଖେଳିବାରୁ ବଞ୍ଚିତ ହୋଇଥିଲେ। ତଥାପି ସେ ଆଇସିସି ମାନ୍ୟତାର ଶୀର୍ଷ ସ୍ଥାନ ଦଖଲ କରି ନେଇଛନ୍ତି। ଓଲ୍ଡ ଟ୍ରାଫର୍ଡରେ ବୁଧବାରଠାରୁ ଖେଳାଯିବାକୁ ଥିବା ଚତୁର୍ଥ ଆସେସ୍ ଟେଷ୍ଟରେ ନିଜ ସ୍ଥାନ ଆହୁରି ମଜବୁତ କରିବା ଲାଗି ସ୍ମିଥଙ୍କ ପାଖରେ ସୁଯୋଗ ରହିବ। ଅନ୍ୟପକ୍ଷରେ ଅକ୍ଟୋବରରେ ଘରୋଇ ପରିବେଶରେ ଖେଳାଯିବାକୁ ଥିବା ଟେଷ୍ଟ ଶୃଙ୍ଖଳାରେ ନିଜ ସ୍ଥାନ ଫେରିପାଇବାକୁ କୋହଲି ଚେଷ୍ଟା କରିବେ। ଅନ୍ୟମାନଙ୍କ ମଧ୍ୟରେ ଅଜିଙ୍କ୍ୟ ରାହାଣେ ଇଣ୍ଡିଜ୍ ଶୃଙ୍ଖଳାରେ ବହୁତ ଭଲ ପ୍ରଦର୍ଶନ କରିବା ପରେ ଶ୍ରେଷ୍ଠ ୧୦ ବ୍ୟାଟ୍ସମ୍ୟାନ୍‌ଙ୍କ ତାଲିକାରେ ପ୍ରବେଶ କରିଛନ୍ତି। ସେ ଏକାଦଶରୁ ସପ୍ତମକୁ ଉଠିଛନ୍ତି। ଯୁବ ଭାରତୀୟ ବ୍ୟାଟ୍ସମ୍ୟାନ୍ ହନୁମା ବିହାରୀ ୬ ଟେଷ୍ଟ ମ୍ୟାଚ୍ ଖେଳି ୩୦ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଶୃଙ୍ଖଳା ବିଜୟ (୨-୦) ପରେ କିନ୍ତୁ ଦଳଗତ ଭାବେ ଭାରତ ଏକ ନମ୍ବର ସ୍ଥାନରେ ନିଜ ସ୍ଥିତି ଆହୁରି ମଜବୁତ କରି ନେଇଛି। ଦ୍ବିତୀୟ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ (୧୦୯)ଠାରୁ ଭାରତ (୧୧୩) ଏବେ ପୂରା ୪ ପଏଣ୍ଟ୍‌ ଆଗରେ ରହିଛି। ଶ୍ରୀଲଙ୍କା ବିପକ୍ଷ ଦୁଇ ଟିକିଆ ଶୃଙ୍ଖଳାକୁ ୧-୧ରେ ଅମୀମାଂସିତ ରଖିବା ପରେ ନ୍ୟୁଜିଲାଣ୍ଡ ତା’ ପଏଣ୍ଟ ତାଲିକାରେ ଉନ୍ନତି କରିପାରିନାହିଁ।

ବୁମ୍‌ରା ତୃତୀୟକୁ ଉଠି‌‌ଲେ
ୱେଷ୍ଟଇଣ୍ଡିଜ୍ ଶୃଙ୍ଖଳାରେ ବ୍ୟକ୍ତିଗତ ଭାବେ ପ୍ରଥମ ଟେଷ୍ଟ ହ୍ୟାଟ୍ରିକ୍ ନେଇଥିବା ଭାରତୀୟ ବାମହା‌ତୀ ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କ ମାନ୍ୟତାରେ ଉନ୍ନତି ଘଟିଛି। ସେ ଟେଷ୍ଟ ବୋଲର ମାନ୍ୟତାର ପ୍ରଥମ ୫ ସ୍ଥାନରେ ପ୍ରବେଶ କରିଛନ୍ତି। ସେହିଭଳି ଭାରତ ବିପକ୍ଷ ଶୃଙ୍ଖଳାରେ ମୂଳପୋଛ ହେବା ସତ୍ତ୍ବେ ଏହି ଦଳର ଅଧିନାୟକ ଜାସନ ହୋଲ୍ଡରଙ୍କ ମାନ୍ୟତାରେ ମଧ୍ୟ ଉନ୍ନତି ପରିଲକ୍ଷିତ ହୋଇଛି। ବୁମରା ୪ ସ୍ଥାନ ଉପରକୁ ଉଠି ସପ୍ତମରୁ ତୃତୀୟରେ ପହଞ୍ଚି ଯାଇଛନ୍ତି। ହୋଲ୍ଡର ଏକଦଶରୁ ୭ ସ୍ଥାନ ଲମ୍ଫ ମାରି ଚତୁର୍ଥରେ ଅଛନ୍ତି। କିଙ୍ଗଷ୍ଟନ୍ ଟେଷ୍ଟରେ ମାତ୍ର ୪ ୱିକେଟ୍ ନେବା ପରେ ୱେଷ୍ଟଇଣ୍ଡିଜର ପ୍ରମୁଖ ଦ୍ରୁତ ବୋଲର କେମାର ରୋଚ ଗୋଟିଏ ସ୍ଥାନ ତଳକୁ ଖସି ନବମ ସ୍ଥାନରେ ରହିଛନ୍ତି। ୮୩୫ ପଏଣ୍ଟ ସହ ବୁମ୍‌ରା ଟେଷ୍ଟ ମାନ୍ୟତାରେ ଭାରତୀୟ ବୋଲର ଭାବେ ଦ୍ବିତୀୟ ସର୍ବାଧିକ ପଏଣ୍ଟ ହାସଲ କରିଛନ୍ତି। ୧୯୮୦ ମସିହାରେ କପିଳ ଦେବ ୮୭୭ ପଏଣ୍ଟ ଅର୍ଜନ କରିଥିଲେ। ବୁମ୍‌ରା ମାତ୍ର ୧୨ ଟେଷ୍ଟ ଖେଳି ତାଙ୍କ ପାଖରେ ପହଞ୍ଚି ଯାଇଛନ୍ତି।

ସମ୍ବନ୍ଧିତ ଖବର