ଗାଲେ: ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ ତଥା ବିଶ୍ବ କ୍ରିକେଟର୍ ଅନ୍ୟତମ ମହାନ ବ୍ୟାଟର୍ ଷ୍ଟିଭେନ୍ ସ୍ମିଥ୍ ବୁଧବାର ନିଜ ଖେଳ ଜୀବନର ଏକ ବଡ଼ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ବର୍ଡର-ଗାଭାସ୍କର ଟ୍ରଫି ଶେଷରେ ୯୯୯୯ ରନ୍ରେ ଅଟକିଯାଇଥିବା ସ୍ମିଥ୍ ବୁଧବାର ୧୦,୦୦୦ ଟେଷ୍ଟ୍ ରନ୍ ପୂର୍ଣ୍ଣ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ୍ର ପ୍ରଥମ ଦିନ ହିଁ ୩୫ ବର୍ଷୀୟ ସ୍ମିଥ୍ ଏହି ବିରଳ କ୍ଲବ୍ର ସଦସ୍ୟ ହୋଇଯାଇଛନ୍ତି। ଅଷ୍ଟ୍ରେଲିଆ ପାଳିର ୩୧ତମ ଓଭରରେ ଅଫସ୍ପିନର୍ ପ୍ରବଥ ଜୟସୁରିୟାଙ୍କୁ ମିଡ୍ ଅନ୍କୁ ଖେଳି ଏକ ରନ୍ ସହ ସେ ୧୦,୦୦୦ ରନ୍ ପୂର୍ଣ୍ଣ କରିଥିଲେ। ଏହି ଗୌରବ ଅର୍ଜନରେ ସ୍ମିଥ୍ ଅଷ୍ଟ୍ରେଲିଆର ଚତୁର୍ଥ ଓ ବିଶ୍ବର ୧୫ତମ ଖେଳାଳି ହୋଇଛନ୍ତି। ଭାରତୀୟ କିଂବଦନ୍ତି ସୁନିଲ ଗାଭାସ୍କର ଏହି କ୍ଳବ୍ର ପ୍ରଥମ ସଦସ୍ୟ ଥିଲେ। ପୂର୍ବରୁ ଅଷ୍ଟ୍ରେଲିଆ ପାଇଁ ଆଲାନ୍ ବର୍ଡର, ଷ୍ଟିଭ୍ ସ୍ମିଥ୍, ରିକି ପଣ୍ଟିଂ ଏହି କ୍ଲବ୍ର ସଦସ୍ୟ ଅଛନ୍ତି। ସ୍ମିଥ୍ ନିଜ ୧୧୫ତମ ଟେଷ୍ଟରେ ଏହି ମାଇଲଖୁଣ୍ଟ ଛୁଇଁବା ସହ ସହ ଶତକୀୟ ପାଳି ଖେଳି ଏହାକୁ ଅଧିକ ମଧୁର କରିଛନ୍ତି।
ଖୱାଜା ଓ ସ୍ମିଥ୍ଙ୍କ ଶତକ: ଅଷ୍ଟ୍ରେଲିଆ ୩୩୦/୨
ଗାଲେ: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ୍ର ପ୍ରଥମ ଦିନରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ପ୍ରାଧାନ୍ୟ ବିସ୍ତାର କରିଛି। ପ୍ରଥମ ଦିନରେ ଅଷ୍ଟ୍ରେଲିଆ ୨ ୱିକେଟ୍ ବିନିମୟରେ ୩୩୦ ରନ୍ ସଂଗ୍ରହ କରି ବଡ଼ ସ୍କୋର୍ ଦିଗରେ ଅଗ୍ରସର ହୋଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ପାଇଁ ପ୍ରଥମ ଅଧିବେଶନରେ ଟ୍ରାଭିସ୍ ହେଡ୍ ଦ୍ରୁତ ଅର୍ଦ୍ଧଶତକ (୪୦ ବଲ୍ରୁ ୫୭ରନ୍) ହାସଲ କରିଥିବାବେଳେ ମାର୍ନସ ଲାବୁସେନ୍ (୫୦ ବଲ୍ରୁ ୨୦ ରନ୍) ମନ୍ଥର ଖେଳିଥିଲେ। ୩୦ ଓଭର ବେଳକୁ ଅଷ୍ଟ୍ରେଲିଆ ୧୩୫/୨ରେ ପହଞ୍ଚିଯାଇଥିଲା। ଏହି ସମୟରେ ଓପନର୍ ଉସମାନ ଖୱାଜାଙ୍କ ସହ ପଡ଼ିଆରେ ଏକାଠି ହୋଇଥିବା ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ଶ୍ରୀଲଙ୍କା ବୋଲରଙ୍କୁ ଆଉ ୱିକେଟ୍ ଦେଇନଥିଲେ। ପ୍ରଥମ ଦିନ ଉଭୟ ୫୧.୧ ଓଭର ଖେଳି ଅତୁଟ ତୃତୀୟ ୱିକେଟ୍ ପାଇଁ ୧୯୫ ରନ୍ ଯୋଡ଼ି ସାରିଛନ୍ତି। ବର୍ଡର ଗାଭାସ୍କର ଟ୍ରଫି ଶୃଙ୍ଖଳାରେ ସଂଘର୍ଷ କରିଥିବା ଖୱାଜା ନିଜ ୧୬ତମ ଶତକ ହାସଲ କରିଥିବାବେଳେ ସ୍ମିଥ୍ ନିଜ ୩୫ତମ ଟେଷ୍ଟ୍ ଶତକ ଅର୍ଜନ କରିଛନ୍ତି। ପ୍ରଥମ ଦିନ ଷ୍ଟମ୍ପ୍ସ ବେଳକୁ ଖୱାଜା (୨୧୦ ବଲ୍ରୁ ୧୪୭* ରନ୍) ଏବଂ ସ୍ମିଥ୍ (୧୮୮ ବଲ୍ରୁ ୧୦୪* ରନ୍) ବ୍ୟାଟିଂ କରୁଥିଲେ। ଶ୍ରୀଲଙ୍କା ପକ୍ଷରୁ ପ୍ରବଥ ଜୟସୁରିୟା ଓ ଜେଫ୍ରେ ବନ୍ଦରସେ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଛନ୍ତି।