ସାଉଥମ୍ପଟନ୍‌: ଅଷ୍ଟ୍ରେଲିଆ ଦଳରୁ ୧୨ ମାସର ବାସନ୍ଦ ପରେ ପ୍ରତ୍ୟାବର୍ତନ କରିଥିବା ପୂର୍ବ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ ବିଶ୍ବକପ୍‌ ପୂର୍ବରୁ ନିଜର ଚମକ ଦେଖାଇଛନ୍ତି। ବିଶ୍ବକପ୍‌ ଜରିଆରେ ଦଳକୁ ଫେରିଥିବା ସ୍ମିଥ୍‌ ଶନିବାର ଅଷ୍ଟ୍ରେଲିଆ ଖେଳିଥିବା ଆୟୋଜକ ଇଂଲଣ୍ଡ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ଶତକ ଜମାଇ ପ୍ରତିଦ୍ବନ୍ଦ୍ବୀମାନଙ୍କୁ ସତର୍କ କରାଇଛନ୍ତି। ତାଙ୍କ ଶତକ (୧୧୬) ବଳରେ ଅଷ୍ଟ୍ରେଲିଆ ମଧ୍ୟ ବିଶ୍ବକପ୍‌ ଆୟୋଜନ ଇଂଲଣ୍ଡକୁ ଶନିବାର ଅଭ୍ୟାସ ମ୍ୟାଚ୍‌ରେ ପରାସ୍ତ କରିଦେଇଛି। ଟସ୍‌ ହାରି ବ୍ୟାଟିଂ ପାଇଥିବା ଅଷ୍ଟ୍ରେଲିଆ ନିର୍ଧାରିତ ୫୦ ଓଭରରେ ୯ ୱିକେଟ୍‌ ହରାଇ ୨୯୭ ରନ୍‌ କରିଥିଲା। ସ୍ମିଥ୍‌ ୧୦୨ ବଲ୍‌ରୁ ୮ ଚୌକା ଓ ୩ ଛକା ସହାୟତାରେ ୧୧୬ ରନ୍‌ କରି ଅନ୍ତିମ ଓଭରର ପଞ୍ଚମ ବଲ୍‌ରେ ହିଁ ଆଉଟ୍‌ ହୋଇଥିଲେ। ତାଙ୍କ ବ୍ୟତୀତ ଅନ୍ୟମାନଙ୍କ ମଧ୍ୟରେ ତାଙ୍କ ସହ ବାସନ୍ଦ ଦଣ୍ଡ ଭୋଗି ବିଶ୍ବକପ୍‌ ଦଳକୁ ଫେରିଥିବା ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଡେଭିଡ୍‌ ୱର୍ନର ୪୩, ସନ୍‌ ମାର୍ସ ୩୦, ୱିକେଟ୍‌ରକ୍ଷକ ଆଲେକ୍ସ କାରେ ୩୦ ଓ ଉସ୍‌ମାନ ଖୱାଜା ୩୧ ରନ୍‌ କରିଥିଲେ। ଅଧିନାୟକ ଆରୋନ୍‌ ଫିଞ୍ଚ୍‌ (୧୪) ଓ ଅଲ୍‌ରାଉଣ୍ଡର ମାର୍କସ୍‌ ଷ୍ଟୋଇନିସ୍‌ (୧୩) ବଡ଼ ସ୍କୋର୍‌ କରିପାରିନଥିଲେ। ଇଂଲଣ୍ଡ ପକ୍ଷରୁ ସଫଳ ବୋଲର ଭାବେ ଅଲ୍‌ରାଉଣ୍ତର ଲିଆମ୍‌ ପ୍ଲଙ୍କେଟ୍‌ ୯-୦-୬୯-୪ର ବୋଲିଂ ଚିତ୍ର ପାଇଥିଲେ। ଜବାବରେ ଜେମ୍‌ସ ଭିନ୍‌ସେ (୬୪) ଓ ଅଧିନାୟକ ଜୋସ୍‌ ବଟ୍ଟଲର୍‌ (୫୨)ଙ୍କ ଅର୍ଧଶତକ ସାଙ୍ଗକୁ କ୍ରିସ୍‌ ୱକ୍‌ସଙ୍କ ୪୦, ଜାସନ୍‌ ରୟଙ୍କ ୩୨, ମୋଇନ୍‌ ଅଲ୍ଲୀଙ୍କ ୨୨ ଓ ବେନ୍‌ ଷ୍ଟୋକ୍‌ସଙ୍କ ୨୦ ରନ୍‌ ସତ୍ତ୍ବେ ଇଂଲଣ୍ଡ୍‌ ୪୯.୩ ଓଭରରେ ୨୮୫ ରନ୍‌ରେ ସମସ୍ତ ୱିକେଟ୍‌ ହରାଇ ୧୨ ରନ୍‌ରେ ମ୍ୟାଚ୍‌ ହାରିଯାଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ସଫଳ ବୋଲର ଭାବେ ବେହେରନ୍‌ଡର୍ଫ ଓ ରିଚାର୍ଡସନ୍‌ ୨ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ।

Advertisment