ମୁମ୍ବାଇ: ଜାତୀୟ ଦଳରେ ସ୍ଥାନ ପାଇବା ଲାଗି ଦୀର୍ଘବର୍ଷ କାଳ ସଂଘର୍ଷ କରି ବିଫଳ ହେବା ପରେ ରଣଜୀ ତାରକା ସ୍ମିଥ୍ ପଟେଲ ଶେଷରେ ଭାରତ ଛାଡ଼ି ଆମେରିକା ଚାଲିଯାଇଛନ୍ତି। ସେଠାକାର ଜାତୀୟ କ୍ରିକେଟ୍ ଦଳରୁ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି ଏହି ୨୮ ବର୍ଷୀୟ ୱିକେଟ୍ ରକ୍ଷକ ବ୍ୟାଟ୍ସମ୍ୟାନ୍। ୨୦୧୨ ମସିହାରେ ୧୯ ବର୍ଷରୁ କମ୍ ବିଶ୍ବକପ୍ ଜିତିଥିବା ଭାରତୀୟ ଦଳର ସଦସ୍ୟ ଥିବା ସ୍ମିତ୍ ଗୁଜରାଟ, ଗୋଆ, ତ୍ରିପୁରା, ବରୋଦା ଆଦି ରାଜ୍ୟ ପକ୍ଷରୁ ରଣଜୀ ଖେଳିଛନ୍ତି। ମୋଟ ୫୫ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିବା ସ୍ମିତ କିନ୍ତୁ କେବେ ବି ଭାରତୀୟ ଦଳର ନିକଟତର ହୋଇ ପାରି ନାହାନ୍ତି। ତାଙ୍କ ମାତାପିତା ୨୦୧୦ ମସିହାରେ ଆମେରିକା ଯାଇ ବସବାସ କରୁଥିଲେ ମଧ୍ୟ ସ୍ମିତ୍ ଭାରତରେ ରହି ଜାତୀୟ ଦଳରେ ସ୍ଥାନ ପାଇବା ଲାଗି ପ୍ରଚେଷ୍ଟା କରୁଥିଲେ। ହେଲେ ସଫଳ ହୋଇ ପାରି ନଥିଲେ। କ୍ରିକେଟ୍ ସହ ପରିବାରିକ କାରଣ ପାଇଁ ଆମେରିକା ଚାଲିଯିବାକୁ ନିଷ୍ପତ୍ତି ନେଇଥିବା ସେ ସୂଚନା ଦେଇଛନ୍ତି।
ସ୍ମିତ୍ ମଧ୍ୟ ବିସିସିଆଇ ଅନୁବନ୍ଧିତ ସମସ୍ତ ପ୍ରକାର କ୍ରିକେଟ୍ରୁ ଅବସର ଘୋଷଣା କରିସାରିଛନ୍ତି। ଏହା ପରେ ଅଗଷ୍ଟ ମାସରେ ସେ କାରବିଆନ୍ ପ୍ରିମିୟର ଲିଗ୍ରେ ବାର୍ବାଡସ୍ ଟ୍ରାଇଡେଣ୍ଟ ଦଳର ପ୍ରତିନିଧିତ୍ବ କରିବେ। ଏହି ବିଷୟ ସୂଚନା ଦେବାକୁ ଯାଇ ସ୍ମିତ୍ କରିଛନ୍ତି ଯେ ମୁଁ ଏହି ନିଷ୍ପତ୍ତି ହଠାତ୍ କିମ୍ବା ରାତାରାତି ନେଇନି। ଗତ ଦେଢ଼ ମାସ ଭାରତରେ ମୋ କ୍ରିକେଟ୍ ଭବିଷ୍ୟତ ନେଇ ଗଭୀର ଭାବେ ଅନୁଶୀଳନ କରୁଛି। ବିସିସିଆଇରୁ ଅବସର ନେବା ଏବଂ ଆମେରିକା ଯିବା ପଛରେ ଦୁଇଟି କାରଣ ରହିଛି। ୱିକେଟ୍ରକ୍ଷକ ବ୍ୟାଟ୍ସମ୍ୟାନଙ୍କ ପାଇଁ ଭାରତରେ ବହୁତ ପ୍ରତିଦ୍ବନ୍ଦ୍ବିତା ରହିଛି। ଗତ ୮ ବର୍ଷ ଧରି ଜାତୀୟ ଦଳକୁ ଯିବା ଲାଗି ଚେଷ୍ଟା କରି ସଫଳ ହୋଇନି। ଦ୍ବିତୀୟତଃ ମୁଁ ମୋ ପରିବାର ସହ ସମୟ କଟାଇବାକୁ ଚାହୁଛି। ଗତ ୧୧ ବର୍ଷ ଧରି ମୋ ମାତାପିତା ଏକାକି ଆମେରିକାରେ ରହୁଛନ୍ତି।
ଭାରତରେ ରହିବାର କାରଣ ବିରାଟ କୋହଲି ଥିଲେ। କ୍ରିକେଟ୍ କ୍ୟାରିୟରକୁ ଆଗକୁ ନେବାରେ ସେ ମୋର ପ୍ରେରଣାର ସ୍ରୋତ ଥିଲେ। ୨୦୧୨ ମସିହା ୧୯ ବର୍ଷରୁ କମ୍ ବିଶ୍ବକପ୍ର ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲରେ ସ୍ମିତ୍ (୬୨) ଓ ଉନ୍ମୁକ୍ତ ଚାନ୍ଦ (୧୧୧*) ୧୩୦ ରନ୍ର ଭାଗୀଦାରି କରି ଭାରତକୁ ବିଜେତା କରାଇଥିଲେ। ଗ୍ରିନ୍ କାର୍ଡଧାରୀ ହୋଇଥିବାରୁ ୨୦୨୨ରୁ ସେ ଆମେରିକା ପକ୍ଷରୁ ଖେଳିବାର ସୁଯୋଗ ପାଇବେ। ଘରୋଇ କ୍ରିକେଟ୍ରେ ଭଲ କରିବା ସତ୍ତ୍ବେ କୌଣସି ଆଇପିଏଲ୍ ଦଳ ତାଙ୍କୁ ନକିଣିବାକୁ ଜୀବନର ଅନ୍ୟତମ ଅବସୋସ ଏବଂ ୧୯ ବର୍ଷରୁ କମ୍ ବିଶ୍ବକପ୍ ବିଜୟକୁ ନିଜ କ୍ରିକେଟ୍ ଜୀବନର ସର୍ବୋଚ୍ଚ ସ୍ତର ଭାବେ ବର୍ଣ୍ଣନା କରିଛନ୍ତି ସ୍ମିତ୍।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/56f46h4sf6h456fs4hhhhhhhhhhhhhhhhhhhhhhhhhhh.jpg)