ବ୍ରିସ୍ବେନ୍: ପ୍ରଥମ ଆସେସ୍ ଟେଷ୍ଟ୍ର ପ୍ରଥମ ପାଳିରେ ଅଗ୍ରଣୀ ନେବାକୁ ସଂଘର୍ଷ ଜାରି ରହିଛି। ଇଂଲଣ୍ଡର ପ୍ରଥମ ପାଳି ୩୦୨ ରନରେ ସୀମିତ ରହିବା ପରେ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଘରୋଇ କଙ୍ଗାରୁ ଦଳ ୪ ଓ୍ଵିକେଟରେ ୧୬୫ ରନ୍ ସଂଗ୍ରହ କରିଛି। ହାତରେ ୬ ଓ୍ଵିକେଟ୍ ଥାଇ ଅଷ୍ଟ୍ରେଲିଆ ତଥାପି ୧୩୭ ରନ୍ ପଛରେ ପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଇଂଲଣ୍ଡର ୩୦୨ ରନ୍କୁ ପିଛା କରି ଅଷ୍ଟ୍ରେଲିଆ ଶୁକ୍ରବାର ୭୬ ରନ୍ ଭିତରେ କାମେରନ୍ ବନ୍କ୍ରଫ୍ଟ (୫), ଡେଭିଡ୍ ଓ୍ଵାର୍ନର (୨୬), ଉସମାନ ଖଓ୍ଵାଜା (୧୧) ଏବଂ ପିଟର୍ ହ୍ୟାଣ୍ଡ୍ସ୍କମ୍ବ (୧୪)ଙ୍କୁ ହରାଇ ଦେଇଥିଲା। ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ (୬୪*, ୧୪୮ ବଲ୍, ୬ ଚୌକା) ଏବଂ ସନ୍ ମାର୍ସ (୪୪*, ୧୨୨ ବଲ୍, ୭ ଚୌକା) ଅତୁଟ ପଞ୍ଚମ ଓ୍ଵିକେଟ୍ରେ ୩୭.୧ ଓଭରରେ ୮୯* ରନ ଯୋଡ଼ି ଆଶା କାଏମ ରଖିଛନ୍ତି। ଇଂଲଣ୍ଡ ପକ୍ଷରୁ ୩ ଦ୍ରୁତ ବୋଲର ଜେମ୍ସ ଆଣ୍ଡର୍ସନ, ଷ୍ଟୁଆର୍ଟ ବ୍ରଡ୍, ଜ୍ୟାକ୍ ବଲ୍ ଏବଂ ସ୍ପିନର୍ ମୋଇନ୍ ଅଲୀ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।
ପୂର୍ବରୁ ଇଂଲଣ୍ଡ ୧୬୫/୪ରୁ ଖେଳ ଆରମ୍ଭ କରିଥିଲା। ପଞ୍ଚମ ଓ୍ଵିକେଟ୍ ପାଇଁ ଦାଓ୍ଵିଦ ମଲନ୍ (୫୬, ୧୩୦ ବଲ୍, ୧୧ ଚୌକା) ଏବଂ ମୋଇନ୍ ଅଲୀ (୩୮, ୧୦୨ ବଲ୍, ୨ ଚୌକା, ୧ ଛକା) ୮୩ ରନ୍ ଯୋଡ଼ିଥିଲେ। ଲଗାତାର ଓଭରରେ ଉଭୟଙ୍କ ଆଉଟ୍ ଇଂଲଣ୍ଡ ପାଳିକୁ ସୀମିତ ରଖିଥିଲା। ଅବଶ୍ୟ ଶେଷ ୨ ଓ୍ଵିକେଟ୍ ଭାଗୀଦାରିରେ ଦଳ ୩୨ ରନ୍ ଯୋଡ଼ିପାରିଥିଲେ।
ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ପ୍ରଥମ ପାଳି: ୩୦୨ (ଭିନ୍ସ-୮୩, ଷ୍ଟୋନ୍ମ୍ୟାନ୍-୫୩, ମଲନ୍-୫୬, ଷ୍ଟାର୍କ-୩/୭୭, କମିନ୍ସ-୩/୮୫, ଲିଅନ-୨/୭୮, ହାଜେଲ୍ଉଡ୍-୧/୫୭)। ଅଷ୍ଟ୍ରେଲିଆ ପ୍ରଥମ ପାଳି: ୬୨ ଓଭରରେ ୧୬୫/୪ (ଷ୍ଟିଭେନ୍ ସ୍ମିଥ୍-୬୪*, ସନ୍ ମାର୍ସ-୪୪*, ବ୍ରଡ୍-୧/୧୮, ଆଣ୍ଡର୍ସନ୍-୧/୨୬, ବଲ୍-୧/୩୫, ଅଲୀ-୧/୫୦)।