ଲାହୋର: ଲଗାତାର ୩ ଟେଷ୍ଟ୍‌ରେ ଅର୍ଦ୍ଧଶତକ (୭୮, ୭୨, ୫୯) ହାସଲ କରିଥିଲେ ମଧ୍ୟ ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍ ସ୍ମିଥ୍‌ ଶତକରୁ ବଞ୍ଚିତ ଧାରାରେ ରହିଛନ୍ତି। ଚଳିତ ଲାହୋର ଟେଷ୍ଟ୍ ପ୍ରଥମ ପାଳିରେ ୫୯ ରନ୍‌ କରିବା ଅବସରରେ ସ୍ମିଥ୍‌ ଏକାଧିକ ଏସୀୟ ମହାନଙ୍କ ନାମରେ ଥିବା ବ୍ୟାଟିଂ କୀର୍ତ୍ତିମାନକୁ ପଛରେ ପକାଇଛନ୍ତି। ୧୫୦ ଟେଷ୍ଟ୍ ପାଳି ବେଳକୁ ସ୍ମିଥ୍‌ ସର୍ବାଧିକ ୭୯୯୩ ରନ୍‌ ସଂଗ୍ରହ କରି ଶୀର୍ଷରେ ରହିଛନ୍ତି। ସ୍ମିଥ୍‌ ସୋମବାର ଏହି ମାଇଲଖୁଣ୍ଟ୍ ପାଇଁ କୁମାର ସାଙ୍ଗାକାରା (୭୯୧୩), ସଚିନ ତେନ୍ଦୁଲକର (୭୮୬୯), ବୀରେନ୍ଦ୍ର ସେହବାଗ (୭୬୯୪), ରାହୁଲ ଦ୍ରାବିଡ଼ (୭୬୮୦)ଙ୍କୁ ପଛରେ ପକାଇଥିଲେ। ୮୦୦୦ ଟେଷ୍ଟ୍ ରନ୍‌ଠାରୁ ମାତ୍ର ୭ ରନ୍ ଦୂରରେ ଥିବାରୁ ସ୍ମିଥ୍‌ ଲାହୋର ଟେଷ୍ଟ୍ ଦ୍ବିତୀୟ ପାଳିରେ ଆଉ ଏକ ବ୍ୟାଟିଂ କୀର୍ତ୍ତିର ଅଧିକାରୀ ହେବା ସମ୍ଭାବନା ରହିଛି।

Advertisment

ଅଷ୍ଟ୍ରେଲିଆ ୩୯୧: ପାକିସ୍ତାନ ୯୦/୧
ଶୃଙ୍ଖଳା ନିର୍ଣ୍ଣାୟକ ତୃତୀୟ ତଥା ଶେଷ ଟେଷ୍ଟ୍‌ରେ ଅଷ୍ଟ୍ରେଲିଆର ୩୯୧ ରନ୍‌ ଜବାବରେ ପାକିସ୍ତାନ ଦ୍ବିତୀୟ ଦିନ ଶେଷ ସୁଦ୍ଧା ୧ ୱିକେଟ୍ ହରାଇ ୯୦ ରନ୍ କରିଛି। ପ୍ରାରମ୍ଭିକ ବ୍ୟାଟର୍‌ ଇମାମ୍‌ ଉଲ୍ ହକ୍‌ଙ୍କୁ ପ୍ୟାଟ୍ କମିନ୍ସ ସଅଳ ଆଉଟ୍ କରିଦେଇଥିଲେ ମଧ୍ୟ ଅବଦୁଲା ସଫିକ୍ (୪୫*, ୧୧୭ ବଲ୍‌) ଏବଂ ଆଝାର ଅଲୀ (୩୦*, ୭୯ ବଲ୍‌) ପାଳି ସମ୍ଭାଳିଛନ୍ତି। ପୂର୍ବରୁ ଅଷ୍ଟ୍ରେଲିଆ ପ୍ରଥମ ଦିନର ସ୍କୋର୍‌ ୨୩୨/୫ରୁ ଖେଳିଥିବା ବେଳେ ଦୁଇ ଅପରାଜିତ ବ୍ୟାଟର୍‌ କାମେରନ୍ ଗ୍ରିନ୍ (୭୯, ୧୬୩ ବଲ୍) ଓ ଆଲେକ୍ସ କ୍ୟାରି (୬୭, ୧୦୫ ବଲ୍) ଷଷ୍ଠ ୱିକେଟ୍ ପାଇଁ ୧୩୫ ରନ୍‌ ଯୋଡ଼ିନେବାରୁ ଅଷ୍ଟ୍ରେଲିଆ ବଡ଼ ସ୍କୋର୍‌ କରିଥିଲା। ନସିମ୍ ସାହାଙ୍କ ଚମତ୍କାର ରିଭର୍ସ ସୁଇଙ୍ଗ କିନ୍ତୁ ଅଷ୍ଟ୍ରେଲିଆ ପାଳିକୁ ଚା’ପାନ ବିରତି ପୂର୍ବରୁ ଶେଷ କରି ଦେଇଥିଲା। ସାହିନ୍ ସାହା ଆଫ୍ରିଦି ଓ ନସିମ୍ ସାହା ୪-୪ ୱିକେଟ୍ ଅକ୍ତିଆର କରିଥିଲେ।