ଆର୍ଚରଙ୍କ ବାଉନ୍ସର ମାଡ଼କୁ ଭୁଲି ପାରୁନାହାନ୍ତି ସ୍ମିଥ୍

ଲଣ୍ଡନ : ଲର୍ଡସ ଟେଷ୍ଟ୍‌ରେ ଇଂଲଣ୍ଡ ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କ ବାଉନ୍ସର ବଲ୍ ବେକରେ ବାଜିବାକୁ ଭୁଲି ପାରୁ ନାହାନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍। ଏହି ଘଟଣା ୨୦୧୪ର ଫିଲ୍ ହ୍ୟୁଗ୍ସ ବାଉନ୍ସର ମାଡ଼ ଘଟଣାକୁ ମନେ ପକାଇ ଦେଇଥିଲା ବୋଲି ସ୍ମିଥ୍ କହିଛନ୍ତି। ତେବେ ଆର୍ଚରଙ୍କୁ ଭୟ କରୁଥିବା ଆଶଙ୍କାକୁ ସେ ଦୃଢ଼ ହସ୍ତରେ ଖଣ୍ଡନ କରିଛନ୍ତି। ବେକରେ ବଲ୍ ବାଜିବା ପରେ ଅନେକ କଥା ମନକୁ ଆସିଥିଲା। ସେଥିମଧ୍ୟରେ ହ୍ୟୁଗ୍ସଙ୍କ ଅକାଳ ବିୟୋଗ ମାମଲା ମଧ୍ୟ ଥିଲା। ସେଥିପାଇଁ ମୁଁ ପ୍ରଥମ କିଛି ମିନିଟ୍ ବହୁତ ଦୁଃଖୀ ଥିଲି ବୋଲି ସ୍ମିଥ୍ କହିଛନ୍ତି। ଆର୍ଚରଙ୍କ ବଲ୍‌ରେ ଗୁରୁତର ଆହତ ହୋଇଥିବା ସ୍ମିଥ୍ ଲର୍ଡସ ଟେଷ୍ଟର ଦ୍ବିତୀୟ ପାଳିରେ ବ୍ୟାଟିଂ କରି ପାରି ନଥିଲେ। ସେ ମଧ୍ୟ ହେଡିଂଲେରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ଖେଳି ପାରି ନଥିଲେ। ତେବେ ଏବେ ସେ ସଂପୂର୍ଣ୍ଣ ସୁସ୍ଥ ଥିବା ନିଜେ ସ୍ମିଥ୍ ସୂଚନା ଦେଇଛନ୍ତି। ଚତୁର୍ଥ ଟେଷ୍ଟ୍‌ରେ ସେ ଆର୍ଚରଙ୍କର ଦୃଢ଼ ମୁକାବିଲା କରିବେ ବୋଲି ସ୍ମିଥ୍ ଦୃଢ଼ ଆଶାପୋଷଣ କରିଛନ୍ତି। ସୂଚନାଯୋଗ୍ୟ ଯେ ୨୦୧୪ରେ ସିଡ୍‌ନି କ୍ରିକେଟ୍ ପଡ଼ିଆରେ ଦକ୍ଷିଣ ଅଷ୍ଟ୍ରେଲିଆ ଏବଂ ନ୍ୟୁ ସାଉଥୱେଲ୍ସ ମଧ୍ୟରେ ଖେଳାଯାଉଥିବା ଏକ ସେଫିଲ୍ଡ ସିଲ୍ଡ ମ୍ୟାଚ୍ ବେଳେ ନ୍ୟୁ ସାଉଥ୍ ୱେଲ୍ସ ବୋଲର ସିନ୍ ଆବୋଟଙ୍କ ଏକ ବାଉନ୍ସର ହ୍ୟୁଗ୍ସଙ୍କ ବାମପଟ କାନ ପାଖରେ ବାଜିଥିଲା। ପଡ଼ିଆ ଭିତରେ ହିଁ ସେ ବେହୋସ ହୋଇ ଟଳି ପଡ଼ିଥିଲେ। ଦୁଇ ଦିନ ପରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଏହି ଘଟଣା ସେତେବେଳେ କ୍ରିକେଟ୍ ଜଗତରେ ଶୋକର ଛାୟା ଖେଳାଇ ଦେଇଥି‌ଲା। ସ୍ମିଥ୍ ମଧ୍ୟ ଆର୍ଚରଙ୍କ ବଲ୍ ବାଜିବା ପରେ ପିଚ୍ ଉପରେ ଟଳି ପଡ଼ିଥିଲେ। ହେଲେ ଚେତା ହରାଇ ନଥିଲେ।

ସମ୍ବନ୍ଧିତ ଖବର