ସ୍ମିଥ୍‌-ଓ୍ଵାର୍ନର ବର୍ଷେ, ବନକ୍ରଫ୍ଟ ୯ ମାସ ବାସନ୍ଦ, ଅଧିନାୟକତ୍ୱ ଉପରେ ଅଙ୍କୁଶ

ସିଡନି: ବଲ୍‌ ବିକୃତ ମାମଲାରେ କଡା ଆଭିମୁଖ୍ୟ ଅବଲମ୍ବନ କରି କ୍ରିକେଟ୍‌ ଅଷ୍ଟ୍ରେଲିଆ (ସିଏ) ବୁଧବାର ଏହାର ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ ଏବଂ ଉପ ଅଧିନାୟକ ଡେଭିଡ୍‌ ଓ୍ଵାର୍ନରଙ୍କୁ ବର୍ଷକ ପାଇଁ ଅନ୍ତର୍ଜାତୀୟ ଓ ଘରାଇ କ୍ରିକେଟ୍‌ରୁ ବାସନ୍ଦ କରିଛି। ଓ୍ଵାର୍ନର ଅଧିନାୟକ ପଦରୁ ଆଜୀବନ ବାସନ୍ଦ ହୋଇଛନ୍ତି। ଅର୍ଥାତ୍‌ ସେ ନିଜ ଖେଳ ଜୀବନ ମଧ୍ୟରେ କେବେବି ଆଉ କଙ୍ଗାରୁ ଦଳର ଅଧିନାୟକ ପଦ ଅଳଙ୍କୃତ କରି ପାରିବେ ନାହିଁ। ସେହିଭଳି ସ୍ମିଥ୍‌ ନିଜ ବାସନ୍ଦାଦେଶ ଶେଷ ହେବାର ୧୨ ମାସ ପର୍ଯ୍ୟନ୍ତ ଅଧିନାୟକ ପଦକୁ ଫେରି ପାରିବେ ନାହିଁ। ବଲ୍‌ ବିକୃତ କରି କ୍ୟାମେରା ଲେନ୍ସରେ ଧରା ପଡ଼ିଥିବା ଯୁବ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ କାମେରୁନ୍‌ ବନକ୍ରଫ୍ଟ ୯ ମାସ ପର୍ଯ୍ୟନ୍ତ ବାସନ୍ଦ ହୋଇଛନ୍ତି। ସେହିଭଳି ବାସନ୍ଦ ଅବଧି ପୂରଣର ୧୨ ମାସ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆର ଅଧିନାୟକ ଭାବେ ବନ୍‌କ୍ରଫ୍ଟଙ୍କ ନାମ ବିଚାରକୁ ନିଆଯାଇପାରିବ ନାହିଁ ବୋଲି ସିଏ ବୁଧବାର ଘୋଷଣା କରିଛି। କେପଟାଉନ ଟେଷ୍ଟ୍‌ରେ ବଲ୍‌ ବିକୃତ କରିବାର ମୂଳ ଯୋଜନା ଓ୍ଵାର୍ନରଙ୍କର ଥିଲା। ସେ ହିଁ ଏପରି କରିବାକୁ ସ୍ମିଥଙ୍କୁ ପରାମର୍ଶ ଦେଇଥିଲେ। ସେହିଭଳି ବଲ୍‌ର ଆକାର ବଦଳାଇବା ଲାଗି ବନକ୍ରଫ୍ଟ ବାଲି କାଗଜର ବ୍ୟବହାର କରିଥିଲେ। ସାମ୍ବାଦିକ ସମ୍ମିଳନୀରେ କିନ୍ତୁ ସ୍ମିଥ୍‌ ଏବଂ ବନକ୍ରଫ୍ଟ ଏହା ଏକ ଅଠାଳିଆ ଟେପ୍‌ ଥିବା ମିଛରେ କହିଥିଲେ ବୋଲି ମଧ୍ୟ କ୍ରିକେଟ୍‌ ଅଷ୍ଟ୍ରେଲିଆ ବୁଧବାର ସ୍ପଷ୍ଟ କରି ଦେଇଛି। ସିଏ ପକ୍ଷରୁ ପ୍ରକାଶିତ ପ୍ରେସ୍‌ ବିଜ୍ଞପ୍ତିରେ ଏହି ବିବାଦୀୟ ତଥା ଲଜ୍ଜାଜନକ କାଣ୍ଡ ପାଇଁ ସ୍ମିଥ୍‌, ଓ୍ଵାର୍ନର ଏବଂ ବନକ୍ରଫ୍ଟଙ୍କୁ ଦାୟୀ କରାଯାଇଛି। ଏହି ତିନି ଜଣଙ୍କ ବିରୋଧରେ ଖେଳ ଭାବନାକୁ କ୍ଷୁଣ୍ଣ କରିବା, ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିବା, କ୍ରିକେଟ୍‌ର ହିତ ବିରୋଧୀ କାମ କରିବା ଏବଂ ଖେଳରେ ବ୍ୟାଘାତ ସୃଷ୍ଟି କରିବା ଭଳି ସଙ୍ଗୀନ ଅଭିଯୋଗରେ ସିଏ ଏଭଳି କଠୋର ଦଣ୍ଡବିଧାନ କରିଛି। କେପଟାଉନ ଟେଷ୍ଟ୍‌ରେ ବଲ୍‌ର ଆକାର ବଦଳାଇବା ଲାଗି ଓ୍ଵାର୍ନର ଷଡ଼ଯନ୍ତ୍ର କରିଥିଲେ। ସ୍ମିଥ୍‌ ଏହି ବିଷୟରେ ଜାଣିଥିଲେ ମଧ୍ୟ ଏହାକୁ ରୋକି ନଥିଲେ। ବନକ୍ରଫ୍ଟ ନିଜ ବରିଷ୍ଠ ଖେଳାଳିଙ୍କ ପ୍ରରୋଚନାରେ ଭାସି ଯାଇଥିଲେ। ସେଥିପାଇଁ ତିନି ଜଣ ଯାକଙ୍କୁ ବାସନ୍ଦାଦେଶ ବିଷୟରେ ବ୍ୟକ୍ତିଗତ ଭାବେ ସିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ଜେମ୍ସ ସଦରଲାଣ୍ଡ ଜଣାଇଥିଲେ। ବୁଧବାର ସକାଳେ ଜୋହାନେବର୍ଗର ହୋଟେଲରେ ସଦରଲାଣ୍ଡ ଦଣ୍ଡ ବିଧାନ ବିଷୟରେ ଜଣାଇବା ପରେ ସ୍ମିଥ ସିଧାସଳଖ ବିମାନବନ୍ଦର ଯାଇ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିଥିଲେ। ଓ୍ଵାର୍ନର ଏବଂ ବନକ୍ରଫ୍ଟଙ୍କୁ ମଧ୍ୟ ତୁରନ୍ତ ଦକ୍ଷିଣ ଆଫ୍ରିକା ଛାଡ଼ିବାକୁ ସିଏ ନିର୍ଦେଶ ଦେଇଥିଲା। ଏହି ଦଣ୍ଡବିଧାନ ବିରୋଧରେ ଅବଶ୍ୟ ଜିତି ଜଣ ଯାକ ଖେଳାଳି ସିଏ ଶୃଙ୍ଖଳା ସମିତି ନିକଟରେ ଆବେଦନ କରି ପାରିବେ। ଅନ୍ତର୍ଜାତୀୟ ଏବଂ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରୁ ବାସନ୍ଦ ହୋଇଥିଲେ ମଧ୍ୟ ସ୍ମିଥ୍‌, ଓ୍ଵାର୍ନର ଓ ବନକ୍ରଫ୍ଟଙ୍କୁ କ୍ଲବ୍‌ କ୍ରିକେଟ୍‌ ଖେଳିବାକୁ ଅନୁମତି ପ୍ରଦାନ କରାଯିବ ବୋଲି ସିଏ ଅଧ୍ୟକ୍ଷ ଡେଭିଡ୍‌ ପିଭର କହିଛନ୍ତି। ତେବେ ସେମାନଙ୍କୁ ଏଥିଲାଗି ୧୦୦ ଘଣ୍ଟାର ସାମାଜିକ ସେବା ଦେବାକୁ ପଡ଼ିବ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ବରୁ ଆଇସିସି ସ୍ମିଥଙ୍କୁ ଗୋଟିଏ ଟେଷ୍ଟ୍‌ରୁ ବାସନ୍ଦ କରିବା ସହ ତାଙ୍କୁ ମ୍ୟାଚ୍‌ ପାଉଣାର ୧୦୦ ପ୍ରତିଶତ ଜରିମାନା କରିଥିଲା। ସେହିଭଳି ବନକ୍ରଫ୍ଟଙ୍କୁ ତାଙ୍କ ମ୍ୟାଚ୍‌ ପାଉଣାର ୭୦ ପ୍ରତିଶତ ଜରିମାନା କରାଯାଇଥିଲା। ମଙ୍ଗଳବାର ରାତିରେ ସିଏ ଏହି ତିନି ଜଣଙ୍କୁ ନିଲମ୍ବିତ କରିବା ସହ ବାସନ୍ଦାଦେଶର ଅବଧି ବିଷୟରେ ବୁଧବାର କହିବ ବୋଲି ଘୋଷଣା କରିଥିଲା। ଶୁକ୍ରବାରଠାରୁ ଆରମ୍ଭ ହେଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ତଥା ଶେଷ ଟେଷ୍ଟ୍‌ ଲାଗି ସ୍ମିଥ୍‌, ଓ୍ଵାର୍ନର ଓ ବନକ୍ରଫ୍ଟଙ୍କ ସ୍ଥାନରେ ମ୍ୟାଟ୍‌ ରେନସ’, ଜୋ ବର୍ନସ ଓ ଗ୍ଲେନ୍‌ ମ୍ୟାକ୍ସେଓ୍ଵଲଙ୍କୁ ସିଏ ବଦଳ ଖେଳାଳି ଭାବେ ଦଳରେ ସାମିଲ କରିଛି।

ଆଇପିଏଲ୍‌ରୁ ବି ବିଦା ହେଲେ
କ୍ରିକେଟ୍‌ ଅଷ୍ଟ୍ରେଲିଆର ବାସନ୍ଦାଦେଶ ସହ ବଲ୍‌ ବିକୃତ ବିବାଦରେ ଛନ୍ଦି ହୋଇ ଚାରିଆଡ଼ୁ ସମାଲୋଚିତ ହେଉଥିବା ଷ୍ଟିଭେନ୍‌ ସ୍ମିଥ୍‌ ଏବଂ ଡେଭିଡ୍‌ ଓ୍ଵାର୍ନର ନିଜ ନିଜର ଆଇପିଏଲ୍‌ ବାର୍ଷିକ ଚୁକ୍ତି ହରାଇଛନ୍ତି। ରାଜସ୍ଥାନ ରୟାଲ୍ସର ଅଧିନାୟକ ପଦରୁ ସ୍ମିଥ୍‌ ବିବାଦ ପଦାକୁ ଆସିବାର ପରଦିନ ଇସ୍ତଫା ଦେଇଥିଲେ। ସେହିଭଳି ଓ୍ଵାର୍ନର ବୁଧବାର ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ପଦ ଛାଡ଼ି ଦେଇଥିଲେ। ତେବେ କ୍ରିକେଟ୍‌ ଅଷ୍ଟ୍ରେଲିଆ ଉଭୟଙ୍କୁ ବର୍ଷକ ପାଇଁ ବାସନ୍ଦ କରିବା ପରେ କେବଳ ଅଧିନାୟକ ପଦ ନୁହେଁ ଉଭୟ ଚଳିତ ବର୍ଷର ସମଗ୍ର ଆଇପିଏଲରୁ ମଧ୍ୟ ବାଦ୍‌ ପଡ଼ିଛନ୍ତି। ସ୍ମିଥ୍‌ ଏବଂ ଓ୍ଵାର୍ନର ଚଳିତ ବର୍ଷର ଆଇପିଏଲ୍‌ ଖେଳି ପାରିବେ ନାହିଁ ବୋଲି ବୁଧବାର ଆଇପିଏଲ୍‌ ମୁଖ୍ୟ ରାଜୀବ ଶୁକ୍ଳା ଘୋଷଣା କରିଥିଲେ। ରାଜସ୍ଥାନ ଏବଂ ହାଇଦ୍ରାବାଦକୁ ଏହି ଦୁଇ ଜଣଙ୍କ ବଦଳ ଖେଳାଳି ନେବାକୁ ଅନୁମତି ଦିଆଯିବ ବୋଲି ସେ କହିଥିଲେ। ବିସିସିଆଇ କାର୍ଯ୍ୟକାରୀ ସଭାପତି ସିକେ ଖନ୍ନା, ଆଇପିଏଲ୍‌ ଅଧ୍ୟକ୍ଷ ରାଜୀବ ଶୁକ୍ଳା, କାର୍ଯ୍ୟକାରୀ ସଂପାଦକ ଅମିତାଭ ଚୌଧୁରୀଙ୍କ ସହ ଆଲୋଚନା ପରେ ପ୍ରଶାସନିକ ସମିତି ସ୍ମିଥ୍‌ ଏବଂ ଓ୍ଵାର୍ନରଙ୍କୁ ବାସନ୍ଦ କରିବାକୁ ନିଷ୍ପତ୍ତି ନେଇଥିବା ବିସିସିଆଇ ଏକ ପୃଥକ ପ୍ରେସ୍‌ ବିଜ୍ଞପ୍ତିରେ କହିଥିଲା।

ସମ୍ବନ୍ଧିତ ଖବର