ସିଡନି: ଅଷ୍ଟ୍ରେଲିଆର ରନ୍ ମେସିନ୍ ଷ୍ଟିଭେନ୍ ସ୍ମିଥ୍ ଚତୁର୍ଥ ଥର ପାଇଁ ଆଲାନ୍ ବର୍ଡର ପଦକ ଜିତିଛନ୍ତି। ଏହି ସମ୍ମାନଜନକ ପଦକକୁ ୪ ଥର ଜିତିବାରେ ସେ ଦୁଇ ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଓ ମାଇକେଲ୍ କ୍ଲାର୍କଙ୍କ ପରେ ତୃତୀୟ ଖେଳାଳି ହୋଇଛନ୍ତି। ଭୋଟିଂ ପ୍ରକ୍ରିୟାରେ ସ୍ମିଥ୍ଙ୍କୁ ୧୭୧ ଭୋଟ୍ ମିଳିଥିବା ବେଳେ ଟ୍ରାଭିସ୍ ହେଡ୍ ୧୪୪ଟି ପାଇଥିଲେ। ପୂର୍ବରୁ ସ୍ମିଥ୍ ୨୦୧୫, ୨୦୧୮, ୨୦୨୧ରେ ଏହି ସମ୍ମାନ ପାଇଥିଲେ। ଭୋଟିଂ ପାଇଁ ଧାର୍ଯ୍ୟ ଅବଧି ସମୟରେ ସ୍ମିଥ୍ ୪ ଶତକ ସହିତ ୧,୫୨୪ ରନ୍ ସଂଗ୍ରହ କରିଥିଲେ। ଏଥି ସହିତ ଅଷ୍ଟ୍ରେଲିଆ ମଧ୍ୟ ଟେଷ୍ଟ ମାନ୍ୟତାରେ ଏକ ନମ୍ବର ଦଳ ହୋଇଥିଲା।
ଫେବ୍ରୁଆରି ୫ ତାରିଖରୁ ଆରମ୍ଭ ହେଉଥିବା ଭାରତ ବିପକ୍ଷ ୪ ମ୍ୟାଚ୍ ଟେଷ୍ଟ ଶୃଙ୍ଖଳାରେ ସ୍ମିଥ୍ ନିଶ୍ଚିତ ପ୍ରମୁଖ ଖେଳାଳି ହେବେ। ୩୩ ବର୍ଷୀୟ ଏହି ଅଭିଜ୍ଞ ବ୍ୟାଟର୍ ୫୦ ଓଭରରେ ମଧ୍ୟ ଜବରଦସ୍ତ ଫର୍ମରେ ଅଛନ୍ତି। ଅନ୍ୟ ଦୁଇ ଫର୍ମାଟରେ କିନ୍ତୁ ସ୍ମିଥ ପଛରେ ପଡ଼ିଯାଇଥିଲେ। ଜୋସ ହାଜେଲଉଡ୍ଙ୍କୁ ପଛରେ ପକାଇ ମାର୍କସ ଷ୍ଟୋଇନିସ୍ ଦେଶର ଶ୍ରେଷ୍ଠ ଟ୍ବେଣ୍ଟି-୨୦ କ୍ରିକେଟର୍ ଏବଂ ଉସମାନ ଖୱାଜା ଶ୍ରେଷ୍ଠ ଟେଷ୍ଟ କ୍ରିକେଟର୍ ବିବେଚିତ ହୋଇ ସେନ୍ ୱର୍ଣ୍ଣ ସମ୍ମାନ ପାଇଛନ୍ତି। ଶ୍ରେଷ୍ଠ ଦିନିକିଆ କ୍ରିକେଟର୍ ସମ୍ମାନ ଡେଭିଡ୍ ୱାର୍ଣ୍ଣରଙ୍କୁ ମିଳିଛି। ସମସ୍ତ ୩ ଫର୍ମାଟରେ ଚମତ୍କାର ଖେଳୁଥିବା ବେଥ୍ ମୁନିଙ୍କୁ ଶ୍ରେଷ୍ଠ ମହିଳା କ୍ରିକେଟର୍ ଭାବେ ବେଲିଣ୍ଡା କ୍ଲାର୍କ ପୁରସ୍କାର ପ୍ରଦାନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/smth.jpg)