ଲର୍ଡ୍ସ, : ଟେଷ୍ଟରେ ୯ ହଜାର ରନ୍ ପୂରଣ କରିଥିବା ସ୍ମିଥ୍ଙ୍କ ୩୨ତମ ଶତକ ସହାୟତାରେ ଅଷ୍ଟ୍ରେଲିଆ ଦ୍ବିତୀୟ ଆସେସ୍ ଟେଷ୍ଟର ଦ୍ବିତୀୟ ଦିନରେ ୪୧୬ ରନ୍ ସଂଗ୍ରହ କରି ସମସ୍ତ ୱିକେଟ୍ ହରାଇଛି। ଜବାବରେ ଗୁରୁବାର ଦ୍ବିତୀୟ ଦିବସ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୪ ୱିକେଟ୍ ବିନିମୟରେ ୨୭୮ ରନ୍ ସଂଗ୍ରହ କରିଛି। ହାରି ବ୍ରୁକ୍ ଓ ବେନ୍ ଷ୍ଟୋକ୍ସ ବ୍ୟାଟିଂ କରୁଛନ୍ତି। ପୂର୍ବରୁ ଜାକ୍ କ୍ରଲି (୪୮), ବେନ୍ ଡକେଟ୍ (୯୮), ଓଲି ପୋପ୍ (୪୨) ଅଷ୍ଟ୍ରେଲିଆ ବୋଲରଙ୍କୁ ଦୃଢ଼ ଜବାବ ଦେଇଥିଲେ।
ପ୍ରଥମ ଦିନରେ ଅଧା ୱିକେଟ୍ ହରାଇଥିଲେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିବା ଅଷ୍ଟ୍ରେଲିଆ ଦ୍ବିତୀୟ ଦିନରେ ମାତ୍ର ୭୭ ରନ୍ ଯୋଗ କରି ସମସ୍ତ ୱିକେଟ୍ ହରାଇଥିଲା। ୯୨ତମ ଓଭରରେ ଜେମ୍ସ ଆଣ୍ଡରସନ୍ଙ୍କୁ ସାମ୍ନା କରୁଥିଲା ବେଳେ ସ୍ମିଥ୍ ୩୨ତମ ଶତକ ଅର୍ଜନ କରିଥିଲେ। ଏହାଫଳରେ ଅଷ୍ଟ୍ରେଲିଆ ପାଇଁ ସର୍ବାଧିକ ଶତକ ଅର୍ଜନ କରିବାରେ ସେ ଷ୍ଟିଭ୍ ୱ’ଙ୍କ ସମକକ୍ଷ ହୋଇପାରିଛନ୍ତି। ୧୭୪ ପାଳିରୁ ତିନି ଅଙ୍କ ଛୁଇଁ ସେ ଦ୍ରୁତତମ ଶତକ ହାସଲରେ ରିକି ପଣ୍ଟିଂ (୧୭୬ ପାଳି)ଙ୍କୁ ପଛରେ ପକାଇଛନ୍ତି। ଏଥିସହିତ ସ୍ମିଥ୍ ଆସେସ୍ରେ ଦ୍ବିତୀୟ ସର୍ବାଧିକ ଶତକ (୧୨) ମାରିବାରେ ଜାକ୍ ହବ୍ସଙ୍କ ସମକକ୍ଷ ହୋଇଛନ୍ତି।
ଆସେସ୍ରେ ଡନ୍ ବ୍ରାଡ୍ମ୍ୟାନ୍ ସର୍ବାଧିକ ୧୯ ଶତକ ମାରିଛନ୍ତି। ପୁଣି ଇଂଲଣ୍ଡରେ ସ୍ମିଥ୍ଙ୍କ ଏହା ହେଉଛି ଅଷ୍ଟମ ଶତକ। ଇଂଲଣ୍ଡରେ ବ୍ରାଡ୍ମ୍ୟାନ୍ ସର୍ବାଧିକ ୧୧ ଶତକ ଅର୍ଜନ କରିଥିଲେ। ପ୍ରଥମ ଦିନରେ କୁମାର ସାଙ୍ଗାକାରା (୧୭୨ ପାଳି)ଙ୍କ ପଛକୁ ସେ ଦ୍ବିତୀୟ ଦ୍ରୁତତମ ଭାବେ ୯ହଜାର ଟେଷ୍ଟ ରନ୍ ପୂରଣ କରିଥିଲେ।
ସଂକ୍ଷିପ୍ତ ସ୍କୋର୍: ଅଷ୍ଟ୍ରେଲିଆ ପ୍ରଥମ ପାଳି: ୧୦୦.୪ ଓଭରରେ ୪୧୬ (ଷ୍ଟିଭେନ୍ ସ୍ମିଥ୍-୧୧୦, ଟ୍ରାଭିସ୍ ହେଡ୍-୭୭, ଡେଭିଡ୍ ୱାର୍ଣ୍ଣର-୬୬, ଆଲେକ୍ସ କ୍ୟାରି-୨୨, ପ୍ୟାଟ୍ କମିନ୍ସ-୨୨*, ଜୋସ୍ ଟଙ୍ଗ-୩/୯୮, ଓଲି ରବିନସନ୍-୩/୧୦୦, ଜୋ ରୁଟ୍-୨/୧୯, ଜେମ୍ସ ଆଣ୍ଡରସନ୍-୧/୫୩, ଷ୍ଟୁଆର୍ଟ ବ୍ରଡ୍-୧/୯୯)। ଇଂଲଣ୍ଡ ପ୍ରଥମ ପାଳି: ୬୧ ଓଭରରେ ୨୭୮/୪ (ବେନ୍ ଡକେଟ୍-୯୮, ଜାକ୍ କ୍ରଲି-୪୮, ଓଲି ପୋପ୍-୪୨, ଜୋ ରୁଟ୍-୧୦, ହାରି ବ୍ରୁକ୍-୪୫*, ବେନ୍ ଷ୍ଟୋକ୍ସ-୧୭*, ନାଥନ୍ ଲାୟନ-୧/୩୫, କାମେରନ୍ ଗ୍ରିନ୍-୧/୪୩, ଜୋସ୍ ହାଜେଲଉଡ୍-୧/୬୩, ମିଚେଲ୍ ଷ୍ଟାର୍କ-୭୫)।
ରୁଟ୍ଙ୍କ ଆସେସ୍ କୀର୍ତ୍ତିମାନ
ଆସେସ୍ ଟେଷ୍ଟ ଇତିହାସରେ ରୁଟ୍ ଆଉ ଏକ ମାଇଲ୍ଖୁଣ୍ଟ ଛୁଇଁଛନ୍ତି। ପ୍ରତିଯୋଗିତାରେ ୨୦୦୦ ରନ୍ କରିବା ସହ ୨୦ ୱିକେଟ୍ ଅକ୍ତିଆର କରିବାରେ ରୁଟ୍ ତୃତୀୟ ଖେଳାଳି ହୋଇଛନ୍ତି। ତାଙ୍କ ପୂର୍ବରୁ ଅଷ୍ଟ୍ରେଲିଆର ୱାରୱିକ୍ ଆର୍ମଷ୍ଟ୍ରଙ୍ଗ (୨୧୭୨ ରନ୍ ଓ ୭୪ ୱିକେଟ୍) ଓ ଇଂଲଣ୍ଡର ୱାଲି ହାମଣ୍ଡ (୨୮୫୨ ରନ୍ ଓ ୩୬ ୱିକେଟ୍) ଏହି ମାଇଲ୍ଖୁଣ୍ଟ ପାର୍ କରିଛନ୍ତି। ଦ୍ବିତୀୟ ଟେଷ୍ଟର ପ୍ରଥମ ଦିନରେ ଟ୍ରାଭିସ୍ ହେଡ୍ ଓ କାମେରନ ଗ୍ରିନ୍ଙ୍କୁ ଗୋଟିଏ ଓଭରରେ ଆଉଟ୍ କରିବା ପରେ ରୁଟ୍ ଏହି ମାଇଲ୍ଖୁଣ୍ଟ ଛୁଇଁଥିଲେ।