ସ୍ମିଥ୍‌, ଓ୍ଵାର୍ନର, ବନକ୍ରଫ୍ଟ ନିଲମ୍ବିତ:ଚତୁର୍ଥ ଟେଷ୍ଟ୍‌ରେ ଖେଳିବେନି

ଦକ୍ଷିଣ ଆଫ୍ରିକାରୁ ଘରକୁ ଫେରିଲେ:୨୪ ଘଣ୍ଟା ଭିତରେ ଅଧିକ କାର୍ଯ୍ୟାନୁଷ୍ଠାନ

ମୁଖ୍ୟ ପ୍ରଶିକ୍ଷକ ଲିମ୍ୟାନ୍‌ ବର୍ତିଗଲେ

ସିଡ୍‌ନି: ସାରା ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଥିବା ବଲ୍‌ ବିକୃତ ମାମଲା ପଦାକୁ ଆସିବାର ତିନି ଦିନ ପରେ କ୍ରିକେଟ୍‌ ଅଷ୍ଟ୍ରେଲିଆ (ସିଏ) ଏହାର ତିନି ବିବାଦୀୟ କ୍ରିକେଟର୍‌ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌, ଉପ-ଅଧିନାୟକ ଡେଭିଡ୍‌ ଓ୍ଵାର୍ନର ଓ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ କାମେରୁନ୍‌ ବନକ୍ରଫ୍ଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଚଳିତ ଦକ୍ଷିଣ ଆଫ୍ରିକା ଶୃଙ୍ଖଳାରେ ଏହି ତିନି ଜଣ କ୍ରିକେଟରଙ୍କ ଆଉ କୌଣସି ଭୂମିକା ରହିବ ନାହିଁ। ସମସ୍ତେ ତୁରନ୍ତ ସ୍ୱଦେଶ ଫେରିବେ ବୋଲି କ୍ରିକେଟ୍‌ ଅଷ୍ଟ୍ରେଲିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଜେମ୍ସ ସଦରଲାଣ୍ଡ ମଙ୍ଗଳବାର ବିଳମ୍ବିତ ରାତିରେ ଘୋଷଣା କରିଛନ୍ତି। ସେଥିପାଇଁ ତିନି ଜଣ ଯାକ ମଧ୍ୟ ଶୁକ୍ରବାରଠାରୁ ଆରମ୍ଭ ହେଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଟେଷ୍ଟରୁ ବାଦ୍‌ ପଡ଼ିଛନ୍ତି। ସ୍ମିଥ୍‌ ପୂର୍ବରୁ ଆଇସିସି ଦ୍ୱାରା ଗୋଟିଏ ଟେଷ୍ଟ୍‌ରୁ ବାସନ୍ଦ ହୋଇଥିବାରୁ ଏହି ମ୍ୟାଚ୍‌ ଖେଳିପାରି ନଥାନ୍ତେ। କ୍ରିକେଟ୍‌ ଅଷ୍ଟ୍ରେଲିଆର କଡ଼ା ଆଭମୁଖ୍ୟ ପରେ ଓ୍ଵାର୍ନର ଏବଂ ବନକ୍ରଫ୍ଟ ବି ତାଙ୍କ ସହ ଏହି ମହତ୍ୱପୂର୍ଣ୍ଣ ମୁକାବିଲାରୁ ବାଦ ପଡ଼ିଛନ୍ତି। ସ୍ମିଥ୍‌, ଓ୍ଵାର୍ନର ଓ ବନକ୍ରଫ୍ଟ ହିଁ ଅନ୍ୟ ଦଳୀୟ ସାଥୀଙ୍କ ଅଗଚୋରରେ କେପ୍‌ଟାଉନ ଟେଷ୍ଟ୍‌ରେ ବଲ୍‌ ବିକୃତ କରିବାକୁ ଷଡ଼ଯନ୍ତ୍ର ରଚିିଥିଲେ। ଏପରିକି ପ୍ରଶିକ୍ଷକ ଡାରେନ୍‌ ଲିମ୍ୟାନ୍‌ ମଧ୍ୟ ଏହି କୁତ୍ସିତ ଏବଂ ନିନ୍ଦନୀୟ କାର୍ଯ୍ୟର ଟିକିଏ ହେଲେ ବି ଆଭାସ ପାଇ ନଥିଲେ। ସେଥିପାଇଁ ଲିମ୍ୟାନଙ୍କ ସହ ଅଷ୍ଟ୍ରେଲିଆ ଦଳର ଅନ୍ୟ କୌଣସି ଖେଳାଳିଙ୍କ ବିରୋଧରେ କ୍ରିକେଟ୍‌ ଅଷ୍ଟ୍ରେଲିଆ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ। ଆସନ୍ତା ୨୪ ଘଣ୍ଟା ଭିତରେ ଏହି ତିନି ଜଣଙ୍କ ନିଲମ୍ବନ ଅବଧି କେତେ ହେବ ତାହା ସ୍ପଷ୍ଟ କରି ଦିଆଯିବ ବୋଲି ସଦରଲାଣ୍ଡ ଘୋଷଣା କରିଛନ୍ତି।
ସଦରଲାଣ୍ଡ କହିଛନ୍ତି ବୁଧବାର ସକାଳେ ଆମ ତଦନ୍ତ ଶେଷ ହେବ। ଏହା ପରେ ଆମେ ଦଣ୍ଡ ବିଧାନର ପରିମାଣ ଏବଂ ଅବଧି ବିଷୟରେ କହି ପାରିବୁ। ଏହି ନିଷ୍ପତ୍ତି ପରେ ଚାରି ଟିକିଆ ଶୃଙ୍ଖଳାରେ ୧-୨ରେ ପଛୁଆ ଥିବା ଅଷ୍ଟ୍ରେଲିଆ ତା’ର ଦୁଇ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ସ୍ମିଥ୍‌ ଏବଂ ଓ୍ଵାର୍ନରଙ୍କ ବିନା ଜୋହାନେସବର୍ଗରେ ଖେଳା ଯିବାକୁ ଥିବା ଚତୁର୍ଥ ଟେଷ୍ଟ୍‌କୁ ଯିବ। ଚତୁର୍ଥ ଟେଷ୍ଟ୍‌ ଲାଗି ଓ୍ଵିକେଟ୍‌ ରକ୍ଷକ ଟିମ୍‌ ପେନ୍‌ ଆନୁଷ୍ଠାନିକ ଭାବେ ଅଧିନାୟକ ନିଯୁକ୍ତ ହୋଇଛନ୍ତି। ସେହିଭଳି ସ୍ମିଥ୍‌, ଓ୍ଵାର୍ନର ଏବଂ ବନକ୍ରଫ୍ଟଙ୍କ ବଦଳ ଖେଳାଳି ଭାବେ ମ୍ୟାଟ୍‌ ରେନସ’, ଗ୍ଲେନ୍‌ ମ୍ୟାକ୍ସେଓ୍ଵଲ୍‌ ଓ ଜୋ ବର୍ନସଙ୍କ ନାଁ ଘୋଷଣା କରାଯାଇଛି। ମୁଖ୍ୟ ପ୍ରଶିକ୍ଷକ ଡାରେନ ଲିମ୍ୟାନ୍‌ କିନ୍ତୁ କଙ୍ଗାରୁ ଦଳର ପ୍ରଶିକ୍ଷକ ଭାବେ ତାଙ୍କ କାର୍ଯ୍ୟ ଜାରି ରଖିବେ। କାରଣ ଏହି ବିବାଦରେ ତାଙ୍କର କୌଣସି ଭୂମିକା ନଥିବା ସଦରଲାଣ୍ଡ ସଙ୍କେତ ଦେଇଛନ୍ତି।
ସଦରଲାଣ୍ଡ ଏହି ମାମଲାରେ କ୍ରିକେଟ୍‌ ଅଷ୍ଟ୍ରେଲିଆର ଅଭିମୁଖ୍ୟକୁ ସ୍ପଷ୍ଟ କରିବାକୁ ଯାଇ କହିଛନ୍ତି ଯେ ରବିବାର କହିଥିବା କଥାକୁ ମୁଁ ପୁନର୍ବାର ଦୋହରାଇବି। ଅଷ୍ଟ୍ରେଲିଆ ପ୍ରଶଂସକଙ୍କ ରାଗ ଏବଂ ହତାଶଭାବକୁ ମୁଁ ବୁଝିପାରୁଛି। କ୍ରିକେଟ୍‌ ଅଷ୍ଟ୍ରେଲିଆ ତରଫରୁ ମୁଁ ଅଷ୍ଟ୍ରେଲିଆବାସୀ, କ୍ରିକେଟ୍‌କୁ ଆଦର୍ଶ କରୁଥିବା ଲକ୍ଷ ଲକ୍ଷ କୁନି କୁନି ପିଲା ଓ କ୍ରିକେଟ୍‌ ଦକ୍ଷିଣ ଆଫ୍ରିକାକୁ ପୁଣି ଥରେ କ୍ଷମା ମାଗୁଛି। ଏହି ଘଟଣା ବୈଷୟିକ ମାମଲା ବାହାରେ ଥିଲା। ଏହା ଅଷ୍ଟ୍ରେଲିଆ ତା’ର କ୍ରୀଡ଼ା ଦଳକୁ ନେଇ ଗର୍ବ ଅନୁଭବ କରିବ କି ନାହିଁ ସେ ବିଷୟରେ ଥିଲା। ସ୍ମିଥ୍‌, ଓ୍ଵାର୍ନର ଓ ବନକ୍ରଫ୍ଟଙ୍କ ଛଡ଼ା ଏହି ବିଷୟରେ ଅନ୍ୟ କୌଣସି ଖେଳାଳି ଜାଣି ନଥିଲେ। ଏହି ତିନି ଜଣଯାକ କ୍ରିକେଟ୍‌ ଅଷ୍ଟ୍ରେଲିଆର ଆଚରଣ ସଂହିତା ଉଲ୍ଲଂଘନ କରିଛନ୍ତି। ଲିମ୍ୟାନ୍‌ଙ୍କର କୌଣସି ଦୋଷ ନଥିବାରୁ ସେ ପ୍ରଶିକ୍ଷକ ପଦ ବଜାୟ ରଖିବେ।
କ୍ରିକେଟ୍‌ ଅଷ୍ଟ୍ରେଲିଆର ନିଷ୍ପତ୍ତି ପରେ ଓ୍ଵାର୍ନର ଏବଂ ସ୍ମିଥ୍‌ ଚଳିତ ବର୍ଷର ଆଇପିଏଲ୍‌ ଖେଳିବା ଲଟକି ଯାଇଛି। ସ୍ମିଥ୍‌ ପୂର୍ବରୁ ରାଜସ୍ଥାନ ରୟାଲ୍ସ ଦଳର ଅଧିନାୟକ ପଦରୁ ବିତାଡ଼ିତ ହୋଇ ସାରିଛନ୍ତି। ଓ୍ଵାର୍ନର ବି ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ପଦରୁ ବିଦା ହେବାର ଆଶଙ୍କା ଅଧିକ। ଏପରିକି କ୍ରିକେଟ୍‌ ଅଷ୍ଟ୍ରେଲିଆ ଯଦି ଆପତ୍ତି ବିହୀନ ପତ୍ର ନଦିଏ, ତାହାଲେ ଦୁଇ ଜଣ ଯାକ ପୂରା ଆଇପିଏଲ୍‌-୨୦୧୮ ଋତୁରେ ଅନୁପସ୍ଥିତ ରହିବେ।
ସ୍ମିଥ୍‌-ଓ୍ଵାର୍ନର ବର୍ଷକ ପାଇଁ ବାସନ୍ଦ ହେବେ
ବଲ୍‌ ବିକୃତ ବିବାଦରେ ଆଇସିସି ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭେନ୍‌ ସ୍ମିଥଙ୍କୁ ଗୋଟିଏ ଟେଷ୍ଟ୍‌ରୁ ବାସନ୍ଦ କରିବା ସହ ତାଙ୍କ ମ୍ୟାଚ୍‌ ପାଉଣାର ୧୦୦ ପ୍ରତିଶତ କାଟି ଦେଇଛି। ହେଲେ ସ୍ମିଥ୍‌ କରିଥିବା କାଣ୍ଡ ତୁଳନାରେ ଏହି ଦଣ୍ଡ ବହୁତ କମ୍‌ ହୋଇ ଯାଇଛି ବୋଲି କ୍ରିକେଟ୍‌ ପଣ୍ଡିତମାନେ ଖୋଲାଖୋଲି କହୁଛନ୍ତି। ଯାହା ଆଇସିସି ଓ କ୍ରିକେଟ୍‌ ଅଷ୍ଟ୍ରେଲିଆକୁ ଅଡ଼ୁଆରେ ପକାଇଛି। ସେଥିପାଇଁ କ୍ରିକେଟ୍‌ ଅଷ୍ଟ୍ରେଲିଆ ମାମଲାର ନିଜସ୍ୱ ତଦନ୍ତ କରି ସ୍ମିଥ ଏବଂ ଉପଅଧିନାୟକ ଡେଭିଡ୍‌ ଓ୍ଵାର୍ନରଙ୍କ ବିରୋଧରେ ସାନି କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ ହେଉଛି। କ୍ରିକେଟ୍‌ ଅଷ୍ଟ୍ରେଲିଆ ବୁଧବାର ସକାଳୁ ଦଣ୍ଡବିଧାନର ପରିମାଣ ଓ ଅବଧି ବିଷୟରେ ପ୍ରେସ୍‌ ବିଜ୍ଞପ୍ତି ଜାରି କରିବାର ସମ୍ଭାବନା ରହିଛି। ଅଷ୍ଟ୍ରେଲିଆ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଉଭୟ ସ୍ମିଥ୍‌ ଏବଂ ଓ୍ଵାର୍ନରଙ୍କୁ ଦକ୍ଷିଣ ଆଫ୍ରିକା ଶୃଙ୍ଖଳାରୁ ବାଦ୍‌ ଦେବା ସହ କ୍ରିକେଟ୍‌ ଅଷ୍ଟ୍ରେଲିଆ ସେମାନଙ୍କୁ ବର୍ଷକ ପାଇଁ ବାସନ୍ଦ କରିପାରେ।

ସମ୍ବନ୍ଧିତ ଖବର