ଲଣ୍ଡନ: ଭାରତର ଷ୍ଟାର ବ୍ୟାଟସ୍‌ଓମ୍ୟାନ୍‌ ସ୍ମୃତି ମନ୍ଧାନା ଟି-୨୦ ମୁକାବିଲାରେ ଇଂଲଣ୍ଡରେ ରବିବାର ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ଏଥି ସହିତ ୨୨ ବର୍ଷୀୟ ଯୁବତୀ ମନ୍ଧାନା ମହିଳା ଟି-୨୦ରେ ଦ୍ରୁତତମ ବ୍ୟାଟିଂ କରି ଅର୍ଦ୍ଧଶତକର ପୂର୍ବତନ ରେକର୍ଡ ସହିତ ସମକକ୍ଷ ହୋଇଛନ୍ତି।

Advertisment

ମନ୍ଧାନା ଇଂଲଣ୍ଡ ଓମ୍ୟାନ୍‌ କ୍ରିକେଟ୍‌ ସୁପର ଲିଗ୍‌ରେ ୧୮ଟି ବଲ ଖେଳି ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୨୦୦୫ରେ ଭାରତ ବିପକ୍ଷରେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ନ୍ୟୁଜିଲାଣ୍ଡର ସୋଫି ଡିଭାଇନଙ୍କ ରେକର୍ଡ ସହିତ ସମକକ୍ଷ ହୋଇଛନ୍ତି।

ଟି-୨୦ କ୍ରିକେଟ୍‌ରେ ଦ୍ରୁତତମ ଅର୍ଦ୍ଧଶତକ

-ପୁରୁଷ ଟି-୨୦ରେ ଯୁବରାଜ ସିଂହ ଓ କ୍ରିସ ଗେଲ୍‌ ୧୨ଟି ବଲ ଖେଳି ଅର୍ଦ୍ଧଶତକ ହାସଲ କରିଛନ୍ତି।
-ମହିଳା ଟି-୨୦ରେ ସୋଫି ଡିଭାଇନ ଓ ସ୍ମୃତି ମନ୍ଧାନା ୧୮ଟି ବଲ ଖେଳି ଅର୍ଦ୍ଧଶତକ ହାସଲ କରିଛନ୍ତି।

ଟାଉଣ୍ଟନର ‘ଦ କୁପର ଆସୋସିଏସନ୍‌ କାଉଣ୍ଟି ଗ୍ରାଉଣ୍ଡ’ରେ ରବିବାର ୱେଷ୍ଟର୍ଣ୍ଣ ଷ୍ଟର୍ମ ପକ୍ଷରୁ ମନ୍ଧାନା ଲଫବୋରୋ ଲାଇଟନିଙ୍ଗ ବିରୋଧରେ ୧୯ଟି ବଲ ଖେଳି ଅପରାଜିତ ୫୨ ରନ୍‌ ସଂଗ୍ରହ କରିଛନ୍ତି। ନିଜର ଇନିଂସରେ ସେ ୪ଟି ଛକା ଓ ୫ଟି ଚୌକା ମାରିଥିଲେ। ଏଥି ସହିତ ସେ କେଏସ୍‌ଏଲ୍‌ ଇତିହାସରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଥିବା ଖେଳାଳି ହୋଇପାରିଛନ୍ତି। ଏହି ଲିଗ୍‌ରେ ପୂର୍ବରୁ ୨୨ଟି ବଲରେ ଅର୍ଦ୍ଧଶତକ ହୋଇଥିଲା।

ମନ୍ଧାନାଙ୍କ ଇନିଂସ ବଳରେ ୱେଷ୍ଟ ଷ୍ଟର୍ମ ଟିମ୍‌ ୬-୬ଓଭର ମ୍ୟାଚ୍‌ରେ ୨ଓ୍ଵିକେଟ୍‌ ହରାଇ ୮୫ ରନ୍‌ ସଂଗ୍ରହ କରଥିଲା। ଜବାବରେ ଲଫବୋରୋ ଲାଇଟିନିଙ୍ଗ ନିର୍ଦ୍ଧାରିତ ଓଭରରେ ୬୭ ରନ୍‌ ସଂଗ୍ରହ କରିଥିଲା।